ଇରାନ ଆକ୍ରମଣକୁ ନିନ୍ଦା କଲେ ୧୨ ଆରବ ଏବଂ ଇସଲାମିକ୍ ଦେଶ
ମଧ୍ୟପ୍ରାଚ୍ୟ ଯୁଦ୍ଧ ସମଗ୍ର ବିଶ୍ବକୁ ପ୍ରଭାବିତ କରୁଛି । ଇରାନ ସିଧାସଳଖ କାତାରର ‘ରାସ୍ ଲାଫାନ୍’ ଶିଳ୍ପାଞ୍ଚଳ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଏଠାରେ ବିଶ୍ୱର ସବୁଠାରୁ ବଡ଼ ପ୍ରାକୃତିକ ଗ୍ୟାସ୍ (LNG) ଉତ୍ପାଦନ କେନ୍ଦ୍ର ରହିଛି । କିଛି ଦିନ ପୂର୍ବରୁ ଇସ୍ରାଏଲ, ଇରାନର ସବୁଠାରୁ ବଡ଼ ଗ୍ୟାସ୍ ଫିଲ୍ଡ ‘ସାଉଥ୍ ପାର୍ସ’ ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଇରାନ କାତାରର ଗ୍ୟାସ୍ ପ୍ଲାଣ୍ଟକୁ ଟାର୍ଗେଟ୍ କରିଛି । କାତାରର ଗ୍ୟାସ୍ ପ୍ଲାଣ୍ଟରେ ଭୟଙ୍କର ଭାବେ ନିଆଁ ଲାଗିଯାଇଛି । ଉତ୍ପାଦନ ବନ୍ଦ ହୋଇଯାଇଛି ।
ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଗ୍ୟାସ୍ କାତାର ଯୋଗାଇଥାଏ । କାତାର ଏହାକୁ ନିଜ ଦେଶର ସାର୍ବଭୌମତ୍ୱ ଉପରେ ଆକ୍ରମଣ କହି ଇରାନର ସାମରିକ ଅଧିକାରୀମାନଙ୍କୁ ଦେଶରୁ ବାହାର କରିଦେଇଛି ।ସାଉଦି ଆରବର ରାଜଧାନୀ ରିୟାଦରେ ୧୨ ଗୁରୁତ୍ୱପୂର୍ଣ୍ଣ ଆରବ ଏବଂ ଇସଲାମିକ୍ ଦେଶର ବୈଦେଶିକ ମନ୍ତ୍ରୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସର୍ବସମ୍ମତିକ୍ରମେ ଇରାନ ଦ୍ୱାରା କରାଯାଇଥିବା କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣକୁ ନିନ୍ଦା ଏବଂ ପ୍ରତିବାଦ କରିଛନ୍ତି। ମନ୍ତ୍ରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଇରାନର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ଆଇନର ଏକ ଖୋଲା ଉଲ୍ଲଂଘନ ଏବଂ ଏହାକୁ ତୁରନ୍ତ ବନ୍ଦ କରାଯିବା ଉଚିତ।ମନ୍ତ୍ରୀମାନେ କହିଛନ୍ତି, ଇରାନ କୌଣସି ଦେଶକୁ ଧମକ ଦେବା କିମ୍ବା ଏହାର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ପାଇଁ ଏହାର ସାମରିକ କ୍ଷମତା ବ୍ୟବହାର କରିବା ଉଚିତ୍ ନୁହେଁ।
