ଉତ୍କଳୀୟ ମହାନ ସଂସ୍କୃତି ର ପର୍ବ ରଜ ପର୍ବ ।।


ଉତ୍କଳୀୟ ସଂସ୍କୃତି ଓ ପରମ୍ପରା ଐତିହ୍ୟ ଏବଂ ଭାଇଚାରା ତଥା ମାତୃଶକ୍ତି ର ପବିତ୍ର ପର୍ବ ହେଉଛି ରଜ ।। ମାଆ ମାଟି ଓ ମୌସୁମୀ ର ଆଦ୍ୟ ମିଳନ ର ପର୍ବ ରଜ ପର୍ବ ।। ଉତ୍କଳ ର କୃଷି ସମ୍ବନ୍ଧୀୟ ଲୋକ ଉତ୍ସବ ହେଉଛି ରଜପର୍ବ। ଲୋକ ମାନଙ୍କ ହୃଦୟରେ ନୂତନ ଉତ୍ସାହ, ଉଦ୍ଦୀପନା, ଶକ୍ତି ଓ ପ୍ରେରଣା ଯୋଗାଇବା ହେଉଛି ପ୍ରାଚୀନ କାଳରୁ ପାଳିତ ହେଉଥିବା ରଜପର୍ବର ମୂଖ୍ୟ ଉଦ୍ଦେଶ୍ୟ। ଅନେକଙ୍କ ମତରେ ‘ର’ ଅର୍ଥ ପୃଥିବୀ ଓ ‘ଜ’ ଅର୍ଥ ଜାତ, ରଜପର୍ବର ଅର୍ଥ ହେଉଛି ପୃଥିବୀ ଜାତ ପର୍ବ। ପୃଥିବୀ ପୃଷ୍ଠରେ ପଞ୍ଚଭୂତରୁ ଜାତ ପ୍ରାଣୀ ଓ ଉଦ୍ଭିଦ ଜଗତ ହିତରେ ମା ବସୁମତୀ ପୂଜନ ହେଉଛି ଏହି ପର୍ବର ମୂଳ କଥା। ଆଷାଢ଼ ମାସରେ ମେଘ ଓ ମାଟିର ମିଳନ ହେଉଛି ସୃଷ୍ଟିର ଏକ ସ୍ଵାଭାବିକ ବିଚିତ୍ର ଲୀଳା।ଏଇଥିପାଇଁ ତ ରଜ ସମୟରେ ପୃଥିବୀ ରଜସ୍ୱଳା ହୁଏ ବୋଲି ବିଶ୍ବାସ କରାଯାଏ।ରଜ ପୂର୍ବରୁ ବୁଣା ଯାଇଥିବା ଧାନ, ଅପେକ୍ଷା କରିଥାଏ ବର୍ଷାକୁ।ରଜ ତିନିଦିନ, ଓଡ଼ିଶାର ଚାଷୀ ଭାଇମାନଙ୍କର ଅବସର ବିନୋଦନର ସମୟ। କଠିନ ପରିଶ୍ରମ ପରେ ବିଶ୍ରାମ ଓ ଆନନ୍ଦମୁଖର ହେବା ପ୍ରକୃତିର ନିୟମ।


ଜ୍ୟେଷ୍ଠ ମାସର ଶେଷ ଦିନ ବା ମାସନ୍ତରେ ପହିଲି ରଜ, ତା’ପର ଦିନ ରଜ ସଂକ୍ରାନ୍ତି ଓ ରଜ ସଂକ୍ରାନ୍ତି ପରଦିନକୁ ଭୂମିଦାହ ଦିବସ କୁହାଯାଏ। ଭୂମିଦାହ ପରଦିନ ରଜସ୍ୱଳା ବସୁଧା ର ବସୁମତୀ ସ୍ନାନ ଦ୍ଵାରା ରଜପର୍ବର ସମାପ୍ତି ଘଟେ ସେହି ବର୍ଷ ପାଇଁ।
ରଜ ସମୟରେ ପୃଥିବୀ ରଜସ୍ୱଳା ହୋଇ ଥିବାର ବିଶ୍ଵାସରେ କୁମାରୀ କନ୍ୟା ମାନେ ଭୂମିରେ ଚାଲନ୍ତି ନାହିଁ କି କୌଣସି ଜିନିଷକୁ କଟାକଟି କରନ୍ତି ନାହିଁ। ପୂର୍ବରୁ ସେମାନେ ଗୁଆ ଖୋଳ ଓ କଦଳୀ ବାସୁଙ୍ଗ ପିନ୍ଧି ଚାଲୁଥିବା ବେଳେ ଏବେ ଚପଲ ପିନ୍ଧି ଚାଲୁଥିବା ଦେଖିବାକୁ ମିଳୁଛି। କୁମାରୀ କନ୍ଯା ମାନେ ଫଳମୂଳ ଓ ପିଠା ଖାଆନ୍ତି। ପଣା ପିଅନ୍ତି। ଓଡ଼ିଶାର ଲୋକେ ବନ୍ଧୁ ବାନ୍ଧବ ମାନଙ୍କ ଘରକୁ ପିଠାପଣା, ମିଠା,ଫଳ ଓ ତରକାରୀ ନେଇ ଯାଆନ୍ତି। ଏହାଦ୍ବାରା ଭାବର ଆଦାନପ୍ରଦାନ ହୁଏ। ନୂଆ ଲୁଗାପଟା ପିନ୍ଧି, ପିଠାପଣା ଖାଇ, ବନ୍ଧୁବାନ୍ଧବ, ସାଙ୍ଗସାଥି ଓ ସଂପର୍କୀୟମାନଙ୍କ ମେଳରେ ଗୀତ ଗାଇ ଦୋଳିରେ ଝୁଲି କିମ୍ବା ତାସ୍,ଲୁଡୁ,ଡୁଡୁ, ବାଗୁଡ଼ି ଖେଳି ରଜ ତିନିଦିନ ସମୟ ଅତିବାହିତ କରିବା ହେଉଛି ଓଡ଼ିଆ ଜନଜୀବନର ଚିତ୍ର।

ଓଡ଼ିଆ ଘରେ ଗୃହିଣୀ ମାନେ ପୋଡ଼ପିଠା, ଚକୁଳି,ସରୁ ଚକୁଳି,ଦୁବ ଚକୁଳି, ଛୁଞ୍ଚି ପତର ଚକୁଳି ପ୍ରସ୍ତୁତ କରିବା ସହିତ ସେମାନଙ୍କ ମଧ୍ୟରେ ପରୋକ୍ଷରେ ପିଠା ତିଆରି ପ୍ରତିଯୋଗିତା ଚାଲିଥାଏ।ରାମଦୋଳି,ଚକ୍ରଦୋଳି,ପାଟଦୋଳି ଆଦି ପ୍ରସ୍ତୁତ ଦୋଳିରେ କୁମାରୀ କନ୍ଯା ଓ ନବବଧୂ ମାନେ ନାନା ବିଷୟରେ ଦୋଳି ଗୀତ ଗାଇ ଦୋଳିରେ ଝୁଲନ୍ତି।
“ଦୋଳି ହୁଏ କଟମଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ
ଦିଶୁଥାଏ ଝଟଝଟ।”
ସୁନାନାକି ଭଉଣୀ ପୁଣି ଗାଏ ମନମତାଣିଆ ଗୀତ,
“ଦୋଳି ମୁଣ୍ଡେ ଦେଲି କଳା
ପ୍ରଥମେ ବନ୍ଦିଲି ସର୍ବମଙ୍ଗଳା
ସରତି ଉଠିବ ଗଳା।”
ଆଉ କେଉଁଠି ରଜଦୋଳି ଗୀତର ରାଗିଣୀ,
“ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ସଜବାଜ।
ରାଶିରୁ ଛାଡ଼ିଲା ଚୋପା ଗୋଡ଼ରେ ନାଇଛୁ ସରୁ ଅଳତା ଲୋ ମଥାରେ ସିନ୍ଦୂର ଟୋପା।”
ରଜ ପାନରେ ଗୁଆ, ଅଳେଇଚ, ଗୁଜୁରାତି,ଖଇର, ନଡ଼ିଆ ଖଣ୍ଡ ଆଦି ସହିତ ବିଭିନ୍ନ ପ୍ରକାର ସୁବାସିତ ପଦାର୍ଥ ବ୍ୟବହୃତ ହୁଏ।
ଢୋଲ ମହୁରୀ ଆଦି ବାଦ୍ଯର ତାଳେ ତାଳେ ଯୁବକ ମାନେ ବାଗୁଡ଼ି, କବାଡି ଖେଳନ୍ତି। କେଉଁଠି ଖେଳ ପ୍ରତିଯୋଗିତା ତ କେଉଁଠି ବାଦି ପାଲା କିମ୍ବା ଅପେରା ପ୍ରତିଯୋଗିତା ଅନୁଷ୍ଠିତ ହୁଏ। କେଉଁ ଗ୍ରାମରେ ଗ୍ରାମଦେବତୀଙ୍କ ମାଜଣା ତ ଅନ୍ୟ କେଉଁ ଗ୍ରାମ ବା ସହରରେ ହରିହାଟ,ଯାଗଯଜ୍ଞ, ଭଜନ, କୀର୍ତ୍ତନ ହେଉଥାଏ।

ରଜପର୍ବ ସ୍ଵାଗତ କରେ ବର୍ଷା ଋତୁକୁ। ମାଟିକୁ ମାତା ଓ ଦେବତା ଭାବେ ପୂଜା କରାଯାଏ।
“ମାଟି ଶସ୍ୟଦାତା ପିଣ୍ଡକରତା
ମାଟି ହେଜାଇ ନାନାରଙ୍ଗେ କଥା।
ମାଟି ଲାଗି ବଡ଼ ଲୋକ ବୋଲାନ୍ତି
ବିପ୍ର ଦେବତା ପରଜା ପାଳନ୍ତି।
ମାଟିକୁ ଆଗେ ଦଣ୍ଡବତ କର
ଗୁରୁଚରଣ ମାଟି ଅଙ୍ଗେ ବୋଳ।”
ରଜ ତିନିଦିନ ଭୂ ଖନନ ବାରଣ କରାଯାଇ ଧରିତ୍ରୀ ମା’କୁ ବିଶ୍ରାମ ଦେବା ସହିତ ମାତୃଜାତି ମଧ୍ୟରେ ଉତ୍ସାହ ଓ ନୂତନ ଶକ୍ତି ଜାଗ୍ରତ କରିବା ରଜପର୍ବର ମୂଖ୍ୟ ଉଦ୍ଦେଶ୍ୟ। ଅବିବାହିତ ଝିଅ ମାନଙ୍କୁ ଭବିଷ୍ୟତ ନାରୀ ଭୂମିକାରେ ଅବତୀର୍ଣ୍ଣ ହୋଇ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିବାର ଆଚାରସଂହିତା ଶିକ୍ଷା ହେଉଛି ରଜପର୍ବର ଚଳଣି। ବସୁମତୀ ସ୍ନାନ ହେଉଛି ବସୁଧା ପ୍ରତି ଭକ୍ତିଭାବ ଜାଗ୍ରତର ସ୍ଵରୂପ।।
ଲେଖକ:: ବାବାଜୀ ଚରଣ ଦାସ,
ପଞ୍ଚସଖା ନଗର, ଡୁମୁଡୁମା ଭୁବନେଶ୍ବର-୧୯।