ଉତ୍କଳୀୟ ସଂସ୍କୃତିରେ ପ୍ରଥମାଷ୍ଟମୀର ମହତ୍ତ୍ଵ।

ଓଡ଼ିଶାର ପାରମ୍ପରିକ ପର୍ବ ପ୍ରଥମାଷ୍ଟମୀର ଅନ୍ୟ ନାମ ସୈାଭାଗିନୀ ଅଷ୍ଟମୀ। ପୂର୍ବରୁ ମାର୍ଗଶିର ମାସକୁ ସବୁ ମାସ ମଧ୍ୟରେ ସାର ତଥା ଆଦ୍ୟ ମାସ ଭାବେ ଗ୍ରହଣ କରାଯାଇ, ଏହାର ପ୍ରଥମ ଅଷ୍ଟମୀରେ ବଂଶର ପ୍ରଥମ ଜାତ ସନ୍ତାନକୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଉଥିଲା। ଏହି ପରମ୍ପରା ଆଜି ବି ଉତ୍କଳର ପୁରପଲ୍ଲୀରେ ପ୍ରଚଳିତ। ଜ୍ୟେଷ୍ଠ ସନ୍ତାନର ଆୟୁ ବୃଦ୍ଧି ତଥା ସୁଖ ସମ୍ପଦ ବୃଦ୍ଧି ପାଇଁ ମାଆ ମାନେ ଷଠୀ ଦେବୀଙ୍କୁ ପୂଜା କରିଥାନ୍ତି। ସେହି ଦିନ ପଞ୍ଚପଲ୍ଲବ ଓ ପଞ୍ଚ ଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ପରେ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଠାକୁରଙ୍କ ଆଗରେ ଏକ ପିଢାରେ‌ ବସାଇ ଦୁଇ କାନରେ ଫୁଲ, ମୁଣ୍ଡରେ ଚନ୍ଦନ ଲଗାଇ,ଦୁବ ବରକୋଳି ପତ୍ର ଓ ହଳଦୀ ମିଶା ଚାଉଳରେ ମାଆ ମାନେ ବନ୍ଦାପନା କରନ୍ତି। ପରମ୍ପରା ଅନୁଯାୟୀ ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ଷଠୀ ଦେବୀଙ୍କୁ ପ୍ରଣାମ କରି ପିତାମାତା ତଥା ଗୁରୁଜନ ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।ପଢୁଆଁ ଅର୍ଥ ପ୍ରଥମ।ପଢୁଆଁ ପୁଅ ବା ଝିଅ ପାଇଁ ମାମୁଁ ମାନେ ନୁଆ ଲୁଗା, ମିଷ୍ଟାନ୍ନ ଓ ଅନ୍ୟାନ୍ୟ ସାମଗ୍ରୀ ଧରି ଭଉଣୀ ଘରକୁ ଯାଇ ଭଣଜା,ଭାଣିଜୀଙ୍କୁ ପଢୁଆଁ କରନ୍ତି। ସେଥିପାଇଁ ମାମୁଁ ଙ୍କୁ କୁହାଯାଏ ଅଷ୍ଟମୀ ବନ୍ଧୁ। ପ୍ରଥମାଷ୍ଟମୀ ପାଇଁ ହଳଦୀ ପତ୍ର ବ୍ୟବହାର କରି ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଏ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାମୁଁ ଘର ନିଆଳି ନିକଟସ୍ଥ ମାଧବ ମନ୍ଦିରରୁ ଭାର ଆସିବାର ପରମ୍ପରା ବହୁ ପ୍ରାଚୀନ ବୋଲି ଶୁଣାଯାଏ। ଭୁବନେଶ୍ବର ଲିଙ୍ଗରାଜ ମହାପ୍ରଭୁଙ୍କ ପଢୁଆଁ ହେବା ପାଇଁ କପାଳୀ ମଠ ଯିବା,

ଏଠାରେ ମାମୁଁ ମାଇଁ ବରୁଣେଶ୍ଵର ଓ ବନଦେବୀଙ୍କୁ ଭେଟିବା,ଆମ ସଂସ୍କୃତିର ଆଧାର।ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର, ପୁରୀ ଅଭିମୁଖେ ସଙ୍କୀର୍ତ୍ତନ ମଣ୍ଡଳୀର ସଙ୍କୀର୍ତ୍ତନ, ଢୋଲ ମହୁରୀ ବାଜାର ତାଳେ ତାଳେ ଶ୍ରୀଜୀଉମାନଙ୍କର ପଢୁଆଁ ଭାର ଆଗେଇ ଚାଲିଛି। ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ପାରମ୍ପରିକ ନୃତ୍ୟ, ଗୀତ ସହିତ ଶ୍ରୀମନ୍ଦିର ଅଭିମୁଖେ ଯାଏ।ସେବକମାନେ ଆଗରେ ପତାକା ଧରି ଚାଲନ୍ତି। ଢୋଲ ମହୁରୀର ମଙ୍ଗଳ ବାଦ୍ୟ ସହିତ ଗଡୁଆ ସେବକଙ୍କ ପାଇକ ଆଖଡ଼ା,ରାମତାଳି,ଲଉଡି ପ୍ରଦର୍ଶନ ଏହି ଭାରଯାତ୍ରାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିଥାଏ।

ଶ୍ରୀଜୀଉମାନଙ୍କର ପଢୁଆଁ ପାଇଁ ନୂଆ ଲୁଗା ସହିତ ଏଣ୍ଡୁରି ପିଠା ଧରି ଚାଲିଥିବା ଶୋଭାଯାତ୍ରାରେ ଅନେକ ସଂଖ୍ୟକ ସଙ୍କୀର୍ତ୍ତନ ଦଳ ସାମିଲ ହୋଇଥାନ୍ତି। ଚଳଚଞ୍ଚଳ ହୁଅନ୍ତି ନିଆଳି ମାଧବ ମନ୍ଦିରର ସେବାୟତ ମାନେ, କେମିତି ନିଆଳି ମାଧବଙ୍କ ଭଣଜା ଭାଣିଜୀଙ୍କୁ ପଢୁଆଁ କରିବା ସହିତ ଏଣ୍ଡୁରି ପିଠା ଖୋଇବେ।ବଡ ଠାକୁର ବଳଭଦ୍ର ଜୀଉଙ୍କୁ ପ୍ରଥମେ ପଢୁଆଁ କରିବେ। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ,ମାଧବ, ଭୂଦେବୀ ଓ ଶ୍ରୀଦେବୀ ସମସ୍ତଙ୍କ ପାଇଁ ପାଟବସ୍ତ୍ର ପଠାଯାଏ, ପୂର୍ବଦିନ ସକାଳୁ। ପଢୁଆଁ ଭାର ସାମଗ୍ରୀ ମାନଙ୍କ ମଧ୍ୟରେ ରହିଥାଏ ଅରୁଆ ଚାଉଳ,ବିରି,ଗୁଡ,ନଡ଼ିଆ, ପାଚିଲା କଦଳୀ,ପାନ,ଗୁଆ, ଅଳେଇଚ, ଲବଙ୍ଗ, ଘିଅ,ଚନ୍ଦନ କାଠ, କର୍ପୁର, ଅଗୁରୁ ଆଦି ଯାବତୀୟ ପ୍ରକାର ପଦାର୍ଥ ସହିତ ଗୋପାଳ ବଲ୍ଲଭ ଭୋଗ ପାଇଁ ଫଳମୂଳ ଏବଂ ମହାପ୍ରଭୁଙ୍କ ବେଶ ଲାଗି ତୁଳସୀ ଓ ପଦ୍ମଫୁଲ । ଭାରତୀୟ ସଂସ୍କୃତିରେ କୁହାଯାଏ ଜ୍ୟେଷ୍ଠାୟ ନମଃ, ଶ୍ରେଷ୍ଠାୟ ନମଃ। ଓଡ଼ିଆ ଘରର ରୀତିନୀତି ଅନୁସାରେ ପ୍ରଥମାଷ୍ଟମୀର ସକାଳେ ଜ୍ୟେଷ୍ଠ ସନ୍ତାନକୁ ସ୍ନାନ ପରେ ନୁଆ ଲୁଗା ପିନ୍ଧାଇ ବନ୍ଦାପନା କରିବା ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ନିଦର୍ଶନ।।ଆଲେଖ୍ୟ:: ବାବାଜୀ ଚରଣ ଦାସ ।। କୋକିଳା ଗ୍ରୀନ ଆପାର୍ଟମେଣ୍ଟ,ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।