ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କୁ ସପ୍ରେମ ପ୍ରଣାମ ।।

ମଧୁବାବୁଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ଅଠେଇଶ ତାରିଖରେ ସତ୍ୟଭାମାପୁରର ମର୍ଯ୍ୟାଦାପୂର୍ଣ୍ଣ ଚଉଧୁରୀ ସୁଦର୍ଶନ ଦାସ ଓ ସତୀ କୃଷ୍ଣା ଦେଇଙ୍କ ବଂଶର ରଘୁନାଥ ଓ ପାର୍ବତୀ ଦେବୀଙ୍କ ତୃତୀୟ ସନ୍ତାନ ତଥା ପ୍ରଥମ ପୁତ୍ର ଭାବେ।
ଗାଁ ଅବଧାନଙ୍କ ଚାଟଶାଳୀରୁ ମହାସିଂପୁର ମିଡିଲ ସ୍କୁଲ, ସେଠାରୁ କଟକ ଉଚ୍ଚ ଇଂରାଜୀ ବିଦ୍ୟାଳୟ , ତାହା ପୁଣି ସାଆନ୍ତ ମାଆଙ୍କ ପାଇଁ, ବଡବାପା ଚଉଧୁରୀ ଲୋକନାଥ ଦାସଙ୍କ ପ୍ରାଥମିକ ଅନିଚ୍ଛା ସତ୍ତ୍ବେ। ଜାତକର ଶ୍ରଦ୍ଧା ନାମ ଗୋବିନ୍ଦ ବଲ୍ଲଭରୁ ସେ ପାଲଟି ଗଲେ ମଧୁସୂଦନ।ଶିକ୍ଷକଙ୍କ ଇଂରାଜୀ ବାକ୍ୟର ଭୂଲ ଅର୍ଥର ପ୍ରତିବାଦ କରି ସେ ବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ। ସେ ପ୍ରଧାନ ଶିକ୍ଷକଙ୍କ ପାଖରେ କ୍ଷମା ପ୍ରାର୍ଥନା ନକରି ତାଙ୍କ ଉଚ୍ଚ କର୍ତ୍ତୃପକ୍ଷ ମିଷ୍ଟର ହେଲିଙ୍କୁ ଅଭିଯୋଗ କରିଥିଲେ। ମା’ଙ୍କ ପାଖରୁ ଶିଖିଥିବା ‘ଆଲୋ ସଖି, ଆପଣା ମହତ ଆପେ ରଖି’ ତାଙ୍କ ଜୀବନର ଅନେକ ଜଟିଳ ସନ୍ଧି କ୍ଷଣରେ ତାଙ୍କୁ ଦୃଢ କରି ଠିଆ କରେଇଥିଲା।ଓଡ଼ିଶାର ପ୍ରଥମ ଗ୍ରାଜୂଏଟ୍ ହେବା ପାଇଁ ମଧୁସୂଦନଙ୍କ ପ୍ରବଳ ଇଚ୍ଛା। ସେଥିପାଇଁ ଅର୍ଥ ଯୋଗାଡ଼ କରିବାକୁ ମଧୁସୂଦନଙ୍କୁ ବାଲେଶ୍ଵର ଜିଲ୍ଲା ସ୍କୁଲରେ ସାମୟିକ ଭାବେ ତୃତୀୟ ଶିକ୍ଷକ ହେବାକୁ ପଡ଼ିଥିଲା। କିଛିଦିନ ପରେ ଚାନ୍ଦବାଲି ବନ୍ଦରରୁ ଷ୍ଟିମରରେ ବସି ଦିନକ ପରେ ଯାଇ ମଧୁସୂଦନ କଲିକତାରେ ପହଞ୍ଚିଗଲେ।

ହାତରେ ଥିବା ଅଳ୍ପ କିଛି ଟଙ୍କା ଦିନ କେତେଟାରେ ଶେଷ ହୋଇ ଯିବାରୁ କଲେଜରେ ନାମ ଲେଖାଇବା ପାଇଁ ଘୋର ଆର୍ଥିକ ଅଭାବ ଦେଖା ଦେଲା।ଫ୍ରି ଷ୍ଟୁଡେଣ୍ଟ୍ ସୁବିଧା ଆଶାରେ ଭୋକିଲା ପେଟ ଆଉ ଅବଶ ଦେହରେ ସେ ଭବାନୀପୁରର ଲଣ୍ଡନ ମିସନ୍ ସୋସାଇଟି କଲେଜରେ ପହଞ୍ଚିଗଲେ। କଲେଜ ସୁପରିଟେଣ୍ଡେଟ୍ ମଧୁସୂଦନଙ୍କୁ କଲେଜରେ ନାମ ଲେଖାଇଦେଇ ମାସିକ ସାତ ଟଙ୍କା ଷ୍ଟାଇପେଣ୍ଡ ମିଳିବାର ବ୍ୟବସ୍ଥା କରିଦେଲେ।

୧୮୭୦ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରୁ ବି.ଏ.ପାସ୍‌‌ କରି ଓଡ଼ିଶାର ପ୍ରଥମ ଗ୍ରାଜୂଏଟ୍ ହେଲେ। ଧର୍ମ ପରିବର୍ତ୍ତନ କରିଥିବାରୁ ନିଜ ଜନ୍ମସ୍ଥାନ ସତ୍ଯଭାମାପୁର ଘରକୁ ପଶିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା।୧୮୭୩ ମସିହାରେ ସେ ଏମ୍.ଏ.ପାସ୍ କରିଥିଲେ। ସେହିବର୍ଷ ସୌଦାମିନୀଙ୍କ‌‌ ସହ ତାଙ୍କର ବିବାହ ହୋଇଥିଲା।
ଆଇନ କଲେଜରେ ପଢ଼ୁଥିବା ବେଳେ ମଧୁବାବୁ ଆଶୁତୋଷ ମୁଖାର୍ଜୀଙ୍କ ଗୃହ ଶିକ୍ଷକ ଥିଲେ। ସେହି ଆଶୁତୋଷ ଭବିଷ୍ୟତରେ କଲିକତା ବିଶ୍ୱବିଦ୍ୟାଳୟର ଭାଇସ୍ -ଚାନସେଲର ହୋଇଥିଲେ। ଆଇନ ପରୀକ୍ଷାରେ ପାସ୍ କରିବା ପରେ ମଧୁବାବୁ କଲିକତାରେ ଓକିଲାତି କଲେ।କିଛିଦିନ ପରେ ତାଙ୍କର ସ୍ତ୍ରୀ ବିୟୋଗ ଘଟିଲା। ଯୁବକ ମଧୁସୂଦନଙ୍କ ହୃଦୟରୁ ପତ୍ନୀ ବିୟୋଗର ସ୍ମୃତି ସହଜରେ ଲିଭି ନଥିଲା। ତାଙ୍କ ଶୋଇବା ଘରେ ଓ ତାଙ୍କ ପତ୍ନୀ ସୌଦାମିନୀଙ୍କ ସମାଧିରେ ଲେଖିଥିଲେ,”ମରି ନାହଁ,ଆଗେ ଯାଇଛ ମାତ୍ର।”
ଦୀର୍ଘ ୧୫ ବର୍ଷ ପରେ ମଧୁବାବୁ କଟକ ଫେରିଆସିଲେ। କଟକରେ ପ୍ରଥମ ମୋକଦ୍ଦମାରେ ଜଣେ ଧନିକ ମହନ୍ତ ମହାରାଜଙ୍କ ବିରୁଦ୍ଧରେ ଲଢ଼ି ନିଃସ୍ଵ ପ୍ରତିବାଦୀ ଜଣେ ଚାଷୀ ସପକ୍ଷରେ ମୋକଦ୍ଦମା ଜିତିଥିଲେ।
ମଧୁସୂଦନ କଟକ ହାଇସ୍କୁଲରେ ପଢୁଥିବା ବେଳେ ଗୌରୀଶଙ୍କର କିଛି ଦିନ ପାଇଁ ତାଙ୍କର ଗୃହଶିକ୍ଷକ ଥିଲେ। ମଧୁବାବୁଙ୍କ ପ୍ରଚେଷ୍ଟାରେ ଗୌରୀଶଙ୍କରଙ୍କ କଟକ ପ୍ରିଣ୍ଟିଂ କମ୍ପାନୀ ଓଡ଼ିଶା ନବଜାଗରଣର ଏକ ‌ପ୍ରମୁଖ କେନ୍ଦ୍ର ହେଲା।୧୮୮୭ ମସିହାରେ ସେ କଟକ ଜିଲ୍ଲା ବୋର୍ଡ଼ ଚେୟାରମେନ ହେଲେ।ତା ପୂର୍ବରୁ ରେଭେନ୍ସା କଲେଜର ଲ’ କ୍ଲାସରେ ଶିକ୍ଷାଦାନ କରୁଥିଲେ ମଧୁବାବୁ।
୧୮୮୨ ମସିହା ଅଗଷ୍ଟ ୧୬ ତାରିଖରେ କଟକ ପ୍ରିଣ୍ଟିଂ କମ୍ପାନୀ କୋଠିରେ ‘ଉତ୍କଳ ସଭା’ ନାମରେ ଗୋଟିଏ ଅନୁଷ୍ଠାନ ଗଢାଯାଇଥିଲା। ଏହା ହେଉଛି ଓଡ଼ିଶାର ସର୍ବପ୍ରଥମ ବିଧିବଦ୍ଧ ଅନୁଷ୍ଠାନ ଯାହାକି ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠିତ ହେବା ପର୍ଯ୍ୟନ୍ତ ରାଜନୈତିକ ଅନୁଷ୍ଠାନ ଭାବେ କାର୍ଯ୍ୟ କରିଥିଲା। ଶେଷରେ ଏହା ୧୯୦୫ରେ ବିଲୁପ୍ତ ହୋଇଯାଇଥିଲା। ଏହାର ପ୍ରଥମ ସଭାପତିଙ୍କ ମୃତ୍ୟୁ ପରେ ମଧୁବାବୁ ଏହାର ସଭାପତି ଭାବେ ଓଡ଼ିଶା ରାଜନୈତିକ ଜୀବନର‌ ସୁତ୍ରଧର ଥିଲେ।
୧୮୭୪ ମସିହାରେ ବଙ୍ଗଳାର ଲେଫଟନାଣ୍ଟ ଗଭର୍ଣ୍ଣର ସାର ରିଚାର୍ଡ ଟେମ୍ପଲ କଟକ ଆସିଥିବା ବେଳେ, ପୂର୍ବ ପ୍ରଚଳିତ ପ୍ରଥା ଅନୁସାରେ ଗଭର୍ଣ୍ଣରଙ୍କ ଦରବାରରେ ଠାକୁର ରାଜା ହିସାବରେ ଦିବ୍ୟସିଂହ ଦେବ ଙ୍କୁ ଯଥାଯୋଗ୍ଯ ସମ୍ମାନ ନ ମିଳିବାରୁ ସେ ଦରବାର ପରିତ୍ୟାଗ କରିଥିଲେ। ଏହା ବ୍ରିଟିଶ ରାଜ ପ୍ରତି ଅପମାନ ମନେ କରାଯାଇ ୧୮୭୮ ମସିହାରେ ଦିବ୍ୟସିଂହ ଦେବ ଙ୍କୁ ଗୋଟିଏ ମିଥ୍ୟା ହତ୍ୟା ମାମଲାରେ ଅଭିଯୁକ୍ତ କରାଯାଇ ଥିଲା। ତତ୍ କାଳୀନ ଠାକୁର ରାଜା ଦିବ୍ୟସିଂହ ଦେବଙ୍କ ଆଣ୍ଡାମାନକୁ ଦ୍ଵୀପାନ୍ତରିତ ହେବା ପରେ ଜଗନ୍ନାଥ ମନ୍ଦିରକୁ ଅକ୍ତିଆରକୁ ନେବା ପାଇଁ ବ୍ରିଟିଶ ସରକାର ଚେଷ୍ଟା କଲେ।ଏଣେ ଦିବ୍ୟସିଂହ ଦେବଙ୍କ ମାତା ସୂର୍ଯ୍ୟମଣି ପାଟମହାଦେଇ ବ୍ରାହ୍ମଣ, ପୁରୋହିତ, ପାତ୍ର ମନ୍ତ୍ରୀ ମାନଙ୍କ ଉପସ୍ଥିତିରେ ଦିବ୍ୟସିଂହ ଦେବଙ୍କ ୫ ବର୍ଷର ପୁଅକୁ ରାଜା ମୁକୁନ୍ଦଦେବ ନାମରେ ପୁରୀ ରାଜଗାଦିରେ ଅଭିଷିକ୍ତ କରାଇଲେ। ସୂର୍ଯ୍ୟମଣି ପାଟମହାଦେଇ ନିଜେ ମନ୍ଦିର ପରିଚାଳନା କଲେ। କିନ୍ତୁ ଇଂରେଜ ସରକାର ସେ ଦାୟିତ୍ଵ ରାଣୀଙ୍କ ହାତରୁ କାଢି ନେଲେ। ଜଗନ୍ନାଥ ମନ୍ଦିରର ପରିଚାଳନା ନିମନ୍ତେ ଜଣେ ରିସିଭର ନିଯୁକ୍ତି ଦାବି କରି ଇଂରେଜ କର୍ତ୍ତୃପକ୍ଷ ମୋକଦ୍ଦମା କଲେ। ମୋକଦ୍ଦମା ଜିତିଥିଲେ ଇଂରେଜ ସରକାର। ଅଦାଲତ ରାୟ ଅନୁସାରେ ଜଣେ ରିସିଭର ନିଯୁକ୍ତି ନିମନ୍ତେ ଇଂରେଜ ସରକାର କ୍ଷମତାପ୍ରାପ୍ତ ହେଲେ। ରାଣୀ ସୂର୍ଯ୍ୟମଣି ପାଟମହାଦେଇ ମନ୍ଦିର ପରିଚାଳନାର ସମସ୍ତ ଅଧିକାରରୁ ବଞ୍ଚିତ ହେଲେ। ସୂର୍ଯ୍ୟମଣି ପାଟମହାଦେଇ ଙ୍କର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହେଲା। ପୁରୀ ଠାକୁର ରାଜା ପରିବାର ପ୍ରତି ଉତ୍କଳର ଜନସାଧାରଣଙ୍କ ମଧ୍ୟରେ ଭକ୍ତି ଓ ସମ୍ମାନ ଅତୁଟ ରହିବା ସହିତ ଏହି ଅନ୍ୟାୟ ବିରୁଦ୍ଧରେ ବିଭିନ୍ନ ଅଞ୍ଚଳରେ ଗଣବିକ୍ଷୋଭ ସଂଗଠିତ ହେଲା। ଉତ୍କଳ ସଭା ଏହି ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କଲା। କିନ୍ତୁ କଲିକତା ହାଇକୋର୍ଟରେ ଏହି ରାୟ ବିରୁଦ୍ଧରେ ଅପିଲ କରିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନଥିଲା। ଆର୍ଥିକ ସମ୍ବଳ ବିହୀନ ସୂର୍ଯ୍ୟମଣି ପାଟମହାଦେଇ ମଧୁସୂଦନ ଦାସଙ୍କ ସାହାଯ୍ୟ ଭିକ୍ଷା କଲେ। ମଧୁସୂଦନ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ ବି ଉତ୍କଳୀୟ ସଂସ୍କୃତି ର ପ୍ରାଣକେନ୍ଦ୍ର ଜଗନ୍ନାଥଙ୍କ ପ୍ରତି ତାଙ୍କର ସମ୍ମାନ ଓ ଶ୍ରଦ୍ଧା କିଛି କମ୍ ନଥିଲା।
ମଧୁବାବୁ କଲିକତା ହାଇକୋର୍ଟରେ ଏହି ଅପିଲ ମୋକଦ୍ଦମା ଲଢ଼ିବାକୁ ମି.ଟି.ଉଡୁରଫ୍ ଙ୍କ ଭଳି ବିଖ୍ୟାତ ଇଂରେଜ ବାରିଷ୍ଟର ମାନଙ୍କୁ ନିଯୁକ୍ତ କଲେ। ଏହି ମୋକଦ୍ଦମା ଜିତିଥିଲେ ମଧୁସୂଦନ। ପୁରୀ ମନ୍ଦିର ପରିଚାଳନାରେ ଇଂରେଜ ସରକାର ହସ୍ତକ୍ଷେପ କରିପାରିବେନି ବୋଲି ଅଦାଲତ ରାୟ ଦେଲେ।
ବିହାର-ଓଡ଼ିଶା ସରକାରରେ ସ୍ଵାୟତ୍ତ ଶାସନ ମନ୍ତ୍ରୀ ଥିବା ବେଳେ ସେ ଦୁଇଟି ଆଇନ ପ୍ରଣୟନ କରିଥିଲେ। ପ୍ରଥମଟି ହେଲା, ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ‘ରିକଲ୍’ ବା ଫେରେଇ ଆଣିବାର ବ୍ୟବସ୍ଥା, ଦ୍ଵିତୀୟଟି ହେଉଛି ଜିଲ୍ଲା ବୋର୍ଡ ଓ ଲୋକାଲ୍ ବୋର୍ଡ ଆଦି ସ୍ଵାୟତ୍ତ ଶାସନ ଅନୁଷ୍ଠାନରେ ଅନୁନ୍ନତ ସମ୍ପ୍ରଦାୟର ଲୋକମାନଙ୍କ ପାଇଁ ପ୍ରତିନିଧିତ୍ଵ ବ୍ୟବସ୍ଥା। ଇଂରେଜ ସରକାରଙ୍କ ଅଧିନରେ ମନ୍ତ୍ରୀ ହେବାକୁ ନାପସନ୍ଦ କରି ସେ ଇସ୍ତଫା ଦେଇଥିଲେ।
ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରାଯିବା ଜରୁରୀ ବୋଲି ମନେ କଲେ ମଧୁସୂଦନ। ଜଳସେଚନ ଓ କୃଷି ଉପରେ ନିର୍ଭର କରିଥାନ୍ତି ଓଡ଼ିଆ ଲୋକମାନେ।୧୮୮୪ ମସିହାରେ ଉତ୍କଳସଭାର ଏକ ଅଧିବେଶନ ଜରିଆରେ କେନାଲ ସଂପ୍ରସାରଣ ବ୍ୟବସ୍ଥା ପାଇଁ ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଓଡ଼ିଶାରେ ଶିଳ୍ପର ପୁନରୁତ୍ଥାନ ପାଇଁ ସେ ଚେଷ୍ଟିତ ଥିଲେ। ଫକୀରମୋହନ ତାଙ୍କ ରଚିତ ‘ଉତ୍କଳ ଭ୍ରମଣ’ରେ ଲେଖିଥିଲେ,
“ତୁମେ ତ ଆଲୁଅ ପ୍ରାପ୍ତ ମୁହିଁ ଅନ୍ଧାରିଆ,
କିନ୍ତୁ ଭାଇ ଦୁଇ ଜଣ ଜାତିରେ ଓଡ଼ିଆ।
ଦେଖିଲି ଗୋଟିଏ କଥା,ବିଲାତରେ ବୁଲି
ଆପଣା ଦେଶର କଥା ଯାଇନାହିଁ ଭୁଲି।
ସେଦିନ ପିଆଇ ମୋତେ ଏକ କପ୍ ଚା
ଦେଖାଇଲ କେତେ ଚିଜ ସାବାସ୍ ଭାଇ ବାଃ।
ମନ ମାନିଗଲା ପରା ଦେଖି ସେ ଓସ୍ତାତୀ
କଟକର କାରିଗରୀ ଦ୍ରବ୍ୟ ନାନା ଜାତି।
ରୂପା ତାରକସି କାମ,ଶିଙ୍ଗର ପାନିଆ
ଅବଶ୍ୟ କହିବି ଏହା ସବୁ ନୂଆ ନୂଆ।”
ଉତ୍କଳ ସଭା, ନିଖିଳ ଭାରତ ଜାତୀୟ କଂଗ୍ରେସରେ ସାମିଲ ହେଲା ପରେ ଏହାର ଆଦିପିତା ତଥା ପଥପ୍ରଦର୍ଶକ ହେଲେ ମଧୁବାବୁ। ଶିଳ୍ପର ଅଭିବୃଦ୍ଧି ପାଇଁ ସେ କିପରି ସର୍ବସ୍ବାନ୍ତ ହେଲେ, ସେକଥା କାହାକୁ ଅଛପା ନାହିଁ।
ଅତ୍ୟନ୍ତ ସରଳ ଓ ନିରାଡାମ୍ବର ଭାବରେ ଜୀବନ ଅତିବାହିତ କରୁଥିବା ମଧୁବାବୁ ସବୁ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସାହାଯ୍ୟ କରି ଦେବାଳିଆ ହୋଇ ଯାଇଥିଲେ।
ମଧୁବାବୁଙ୍କ ପ୍ରଚେଷ୍ଟାରେ ଭାଷା ଭିତ୍ତିରେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସହିତ ସାମିଲ ହେଲା। ଉତ୍କଳ ସମ୍ମିଳନୀର ଲକ୍ଷ୍ୟ ଥିଲା, ଉତ୍କଳର ଐକ୍ୟ, ଉତ୍କଳର ସର୍ବାଙ୍ଗୀନ ଉନ୍ନତି, ସବୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ଶାସନ ଅଧିନରେ ରଖିବା, ପ୍ରବାସୀ ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା କରିବା ଇତ୍ୟାଦି।
ସେ ଜଣେ ଲେଖକ ଓ କବି ଭାବରେ ଖ୍ୟାତି ଅର୍ଜନ କରିଥିଲେ।ସେ ଅନେକ ଦେଶାତ୍ମବୋଧକ ସଙ୍ଗୀତ ରଚନା କରିଛନ୍ତି।ସେ ଓଡ଼ିଆ ଭାଷାରେ ଜଣେ ସୁବକ୍ତା ଥିଲେ। ‘ଉତ୍କଳ ସନ୍ତାନ’,’ଜାତି ଇତିହାସ’ ,’ଜ୍ଞାନୀର ଉକ୍ତି’ , ‘ଜାତୀୟ ଗୀତିକା’ ର ସେ ରଚୟିତା।
ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ କବିତାରୁ କିଛି ଅଂଶ,
“ଜାତି-ପ୍ରେମ-ବହ୍ନି ପ୍ରଜ୍ଜ୍ଵଳିତ କର
ସ୍ଵାର୍ଥକୁ ଦିଅ ଆହୁତି,
ସ୍ଵାର୍ଥମେଧ ଯଜ୍ଞ ଚାରିଆଡ଼େ ନାଚ
ଛାତିକୁ ମିଶାଇ ଛାତି।”
ଏହାକୁ ପଢ଼ିଲେ ଯେ କୌଣସି ବ୍ୟକ୍ତିର ପ୍ରାଣରେ ଜାତୀୟ ବହ୍ନି ପ୍ରଜ୍ଜ୍ଵଳିତ ହେବ।
ପୁଣି ଜନନୀ ଠାରୁ ଜନ୍ମଭୂମି ବଡ଼ ବୋଲି ସେ କହିଛନ୍ତି।
“ମାଆ ମାଆ ବୋଲି କେତେ ମୁଁ ଖୋଜିଲି
ମାଆକୁ ପାଇଲି ନାହିଁ,
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନ ଦେଲେ ଉତ୍ତର କେହି।”
‘ସନ୍ତାନର ଉକ୍ତି’ କବିତାରେ ତାଙ୍କ ସ୍ଵଦେଶ ପ୍ରୀତି ପ୍ରତିଫଳିତ।
“ଖୋଜିଲି ଅରଣ୍ୟେ ଜନ ସମାଜରେ
ଖୋଜିଲି ବାରିଧି ତଟ,
ସର୍ବତ୍ର ଦେଖିଲି ମାତା ପଦଚିହ୍ନ
ନ ହେଲା ମାତାର ଭେଟ।
ଭୁବନେଶ୍ବରରେ ପଦଚିହ୍ନ ପରେ
ଲେଖା ଅଛି ରାଜା ରାଣୀ
ନୀଳାଚଳ ଧାମେ ପୂଜା ହେଉଅଛି
ହିନ୍ଦୁ ଜାତି ମଥାମଣି।”
“ଜାତି ନନ୍ଦିଘୋଷ ଚଳିବ କି ଭାଇ
ସ୍ଵାର୍ଥକୁ ସାରଥି କଲେ,
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା
ଘୋଡ଼ା ମୁହେଁ ବନ୍ଧା ଥିଲେ?”
“ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେ ଦିନେ,
ପୂରବ ଗୌରବ ପୂରୁବ ସାହାସ
ପଡିବ କି କେବେ ମନେ?”
ଉତ୍କଳର ଗୌରବମୟ ଇତିହାସର ଦୃଷ୍ଟାନ୍ତ ଦେଖାଇ ସେ ଲେଖିଥିଲେ,
“ତୋ ପୂର୍ବ ପୁରୁଷେ ଜୟ କରିଥିଲେ
ଗଙ୍ଗା ଠାରୁ ଗୋଦାବରୀ
ତାଙ୍କର ଔରସେ ଜନ୍ମ ହୋଇ ତୁହି
କେଉଁ ଗୁଣେ ତାଙ୍କୁ ସରି?”
ମଧୁବାବୁ ଥିଲେ ଉତ୍କଳ ଜନନୀର ସୁଯୋଗ୍ୟ ସନ୍ତାନ।ସେ ଓଡ଼ିଆ ମାନଙ୍କୁ ଉଦବୋଧନ ଦେଇ ଲେଖିଛନ୍ତି,
“କୋଟିଏ ସନ୍ତାନ ଗୋଟିଏ ସ୍ବରରେ
ଜନନୀ ଜନନୀ ଡାକ
ତୃଷ୍ଣାରେ କାତର ଗଗନକୁ ଚାହିଁ
ଯେସନେ ଡାକେ ଚାତକ।”
ଏକ ସମାବେଶରେ ମଧୁବାବୁ ଆହ୍ଵାନ ଦେଇଥିଲେ,
“କୋଟିଏ ଓଡ଼ିଆ ଗୋଟିଏ ସ୍ଵରରେ ଡାକ ‘ତ୍ରାହି ଜଗନ୍ନାଥ’।
ଅନ୍ଧାର ଘୁଞ୍ଚିବ ନିଶ୍ଚୟ ଦେଖିବ ଜାତିର ଉନ୍ନତି ପଥ।
ସୁଦର୍ଶନ ଚକ୍ର ଗରଜି ଉଠିବ ବଳିଆର ବାହୁ କରେ
ମାତାଙ୍କ ଶ୍ରୀଅଙ୍ଗ ପୂର୍ବବତ ହେବ ଶତ୍ରୁ ପଳାଇବେ ଡରେ।”
ଉତ୍କଳୀୟ ସ୍ଵାଭିମାନର ପ୍ରତୀକ ମଧୁସୂଦନଙ୍କୁ ଲକ୍ଷ୍ୟ କରି ବ୍ୟାସକବି ଫକୀରମୋହନ ଯଥାର୍ଥରେ ଲେଖିଥିଲେ,
“ଧନ୍ଯ ଧନ୍ୟ ଧନ୍ୟ ମଧୁସୂଦନ
ଉତ୍କଳ-ମାତାର ଯୋଗ୍ୟ ନନ୍ଦନ
ଦେଲ ଉତ୍କଳକୁ ନବ ଜୀବନ
ଶିଖାଇଲ ଲୋକେ ଜାତି ବନ୍ଦନ!”
ମଧୁବାବୁଙ୍କର ସତ୍ୟବାଦୀ ବନବିଦ୍ୟାଳୟ ସହିତ ଗଭୀର ସଂପର୍କ ଥିଲା। ମଧୁସୂଦନ ଥିଲେ ମୁକୁଟ ବିହୀନ ସମ୍ରାଟ।
ଓଡ଼ିଶାର ଲୋକେ ତାଙ୍କୁ ସ୍ମରଣ କରି ତାଙ୍କ ବିଷୟରେ ପିଲା ମାନଙ୍କୁ ଶିକ୍ଷା ଦେଇ ମଧୁବାବୁଙ୍କ ଭଳି ହେବା ପାଇଁ ପ୍ରେରଣା ଦିଅନ୍ତି।
“ପାଠ ପଢିବି, ଓକିଲ ହେବି
ମଧୁବାରିଷ୍ଟର ସଙ୍ଗେ ଲଢିବି।”
୧୯୩୪ ମସିହା ଫେବୃଆରୀ ମାସ ୪ ତାରିଖ ରାତି ୧.୨୦ ମିନିଟ ସମୟରେ ତାଙ୍କର ତିରୋଧାନ ଘଟିଥିଲା। ମଧୁବାବୁ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଳ୍ପ କିଛି ବର୍ଷ ଆଗରୁ ବିଦାୟ ନେଲେ। ପୁରପଲ୍ଲୀରେ ଅତି କ୍ଷୀପ୍ର ଗତିରେ ଏହି ସମ୍ବାଦ ବ୍ୟାପି ଗଲା,”ଓଡ଼ିଶାର ମୁକୁଟ ବିହୀନ ସମ୍ରାଟ ଆଉ ନାହାନ୍ତି।”
ସେ ଥିଲେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାର।ମଧୁବାବୁଙ୍କ ଜୀବନ ଚରିତ, ଓଡ଼ିଆ ଜାତିର ଅର୍ଦ୍ଧ ଶତାବ୍ଦୀର ଇତିହାସ।ପଲ୍ଲୀକବି ନନ୍ଦକିଶୋର ଙ୍କ ଭାଷାରେ,
“ଯେତେକାଳ ଥିବ ଓଡ଼ିଆ ଜାତି ଇତିହାସରେ
ଥିବ ତୁମ୍ଭ ନାମ ଅଙ୍କିତ ହେମମୟ ଅକ୍ଷରେ
ଚାଲିଯିବେ ସର୍ବେ ରହିବେ ନାହିଁ କେହି ମହୀରେ
ଯଶୋଦେହେ ବଞ୍ଚି ରହିବେ ମାତ୍ର ନିଃସ୍ଵାର୍ଥ ବୀରେ।”
ଧନ୍ୟ ଧନ୍ୟ ଧନ୍ୟ ମଧୁସୂଦନ
ଚିର ଦିନ ତୁମ ନାମ ଅମ୍ଳାନ।
ଲେଖକ – ବାବାଜୀ ଚରଣ ଦାସ,