ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପର ପ୍ରଭାବ

ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ଭିତରେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତି କରିବ ବର୍ଷା । ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨୬ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ। ୨୭ ତାରିଖ ବେଳକୁ ଅବପାତ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବ। ତେବେ ଏହା ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ବିଶେଷକରି ଦକ୍ଷିଣ, ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାକୁ ମଙ୍ଗଳବାର ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଥିବାବେଳେ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ଅନୁଗୋଳ, ବୌଦ୍ଧ, ସୋନପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଓ ବାକି ସମସ୍ତ ଜିଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ପବନ ନେଇ ସତର୍କତା ଜାରି କରାଯାଇଛି।ଲଘୁଚାପ ପ୍ରଭାବରେ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦିଆଯାଇଛି ।