ଏକା ସଙ୍ଗେ ଜୁଇରେ ଜଳିଲେ ମାଆ ଓ ପୁଅ

ପୁଅର ମୃତ୍ୟୁ ଖବରକୁ ଶୁଣି ମାଆ କଲେ ଆତ୍ମହତ୍ୟା , ଭଉଣୀ ମଧ୍ୟ ଗୁରୁତର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଦୋବଲ ସ୍ଥିତ କୋରକୋଦା ଗାଁ ରେ ।ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ (୩୫) ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ଜୀବନ ଓ ମୃତ୍ୟୁ ମଧ୍ୟରେ ଲଢ଼ୁଥିବା ପୁଅ ପାଇଁ ମାଆ ମୀରା ତ୍ରିପାଠୀ ନିଜର ଗୋଟିଏ କିଡନୀ ଦେଇଥିଲେ। ଗ୍ରାମବାସୀ ଓ କିଛି ବ୍ୟକ୍ତିଙ୍କ ସହାୟତାରେ ଖର୍ଚ୍ଚ ବହୁଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। କିଛି ଦିନ ମଧ୍ୟ ପୁଅ ସୁସ୍ଥ ହୋଇ ଜୀବନଯାପନ କରିଥିଲେ। ଦୁଇ ବର୍ଷ ଧରି ମାଆ ଓ ପୁଅ ଦୁହେଁ ଏକାଠି ସଂଘର୍ଷ କରିଥିଲେ ଖୁସିରେ ବଞ୍ଚିବା ପାଇଁ । ପୁଅ ହସିଲେ ମା ଶକ୍ତି ପାଉଥିଲା । ତାରି ମୁହଁ ଦେଖି ସବୁ ଦୁଃଖ ଭୁଲି ଯାଉଥିଲା । ଆଉ ତାରି ଭିତରେ ବଞ୍ଚିବାର ରାହା ଖୋଜୁଥିଲା । ତେବେ ଦୀର୍ଘ ଦିନର ଚିକିତ୍ସା ପରେ ସତ୍ୟରଞ୍ଜନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଖବର ପାଇବା ପରେ ଘରେ ତାଙ୍କ ମାଆ ମୀରା ତ୍ରିପାଠୀ ଦୁଃଖରେ ଭାଙ୍ଗିପଡ଼ିବା ସହ ଘର ଭିତରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ଭାଇର ମୃତ୍ୟୁ ଖବର ପାଇବା ପରେ ଭଉଣୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ଯୋଗୁଁ ତାଙ୍କୁ ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।ଏହି ମା-ପୁଅଙ୍କ ଭଲ ପାଇବା ସଦା ସର୍ବଦା ପାଇଁ ମନେ ରହିବ। ଗ୍ରାମବାସୀ ନିଜର କୋହକୁ ମନରେ ଚାପି ମାଆ ଓ ପୁଅକୁ ଏକା ସାଙ୍ଗରେ ଯାଜପୁର ଜିଲ୍ଲାର ଦଶାଶ୍ବମେଧ ଘାଟରେ ଅନ୍ତିମ ସଂସ୍କାର କରିଥିଲେ ।