ଏଣିକି ଇ-ଲଟେରିରେ ମିଳିବ ବାଲି, ପଥର ଖଣି
ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ମିଳିବ ବାଲି ଓ ପଥର ଖଣି ଲିଜ୍। ଏମଏସପି ଧାର୍ଯ୍ୟ କରିବେ ସରକାର। ଖଣି ମାଫିଆଙ୍କ ଉପରେ ଅଙ୍କୁଶ। ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି ।ଲଘୁ ଖଣିଜ ସମ୍ପଦର ଲିଜ୍ ପାଇଁ ନିଲାମ ଡକା ହେବ ନାହିଁ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସ୍ଥିର ଅତିରିକ୍ତ ଚାର୍ଜରେ ଇ-ଲଟେରୀ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିଙ୍କୁ ଚୟନ କରାଯିବ। ଆବେଦନକାରୀଙ୍କୁ ଏମଏସଟିସି ପୋର୍ଟାଲରେ ‘ଫର୍ମ-ସି’ରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ। ୧୦ହଜାର ଟଙ୍କା ଅଣଫେରସ୍ତ ଆବେଦନ ଫି’ ଜମା ସହ ୧୦% ଅମାନତ ରାଶି (ଇଏମଡି) ଜମା କରିବାକୁ ପଡ଼ିବ।
ଆବେଦନ ସହିତ ପରିବାରର ସମସ୍ତ ସଦସ୍ୟଙ୍କ ନାମ ଥିବା ଏକ ସତ୍ୟପାଠ ଦାଖଲ କରିବା ବାଧ୍ୟତାମୂଳକ।ପ୍ରତ୍ୟେକ ଆବେଦନର ସୂକ୍ଷ୍ମ ଯାଂଚ ପାଇଁ ଏକ ଜିଲ୍ଲାସ୍ତରୀୟ ଟେକ୍ନିକାଲ୍ ଯାଂଚ କମିଟି ଗଠନ କରାଯାଇଛି। ସଂପୂର୍ଣ୍ଣ ପ୍ରକ୍ରିୟାକୁ ଡିଜିଟାଲ୍ କରାଯାଇଥିବାରୁ ଏଥିରେ କୌଣସି ହେରଫେର ମଧ୍ୟ ହୋଇପାରିବ ନାହିଁ । ଯେଉଁମାନେ ପୂର୍ବରୁ ନିଲାମ ମାଧ୍ୟମରେ ଲିଜ୍ ପାଇଛନ୍ତି, ସେମାନେ ମଧ୍ୟ ଚାହିଁଲେ ନୂଆ ନିୟମ ଅନୁଯାୟୀ ମାଇଗ୍ରେଟ୍ ବା ସାମିଲ ହୋଇପାରିବେ।ବଜାରରେ ବାଲି ଓ ପଥରର ଚଢ଼ା ଦରକୁ ରୋକିବା ପାଇଁ ସରକାର ପ୍ରଥମ କରି ‘ସର୍ବାଧିକ ବିକ୍ରୟ ମୂଲ୍ୟ’ (ଏମଏସପି) ଧାର୍ଯ୍ୟ କରିଛନ୍ତି । ଲିଜଧାରୀମାନେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟରୁ ଅଧିକ ଟଙ୍କା ଗ୍ରାହକଙ୍କ ଠାରୁ ନେଇପାରିବେ ନାହିଁ । ସମସ୍ତ ଖଣି ଅଞ୍ଚଳକୁ ଜିଓଃଫେନ୍ସିଂ କରାଯାଇ ସାଟେଲାଇଟ୍ ମାଧ୍ୟମରେ ବେଆଇନ ଖନନ ଉପରେ ନଜର ରଖାଯିବ। ଲିଜଧାରୀମାନେ ପ୍ରତ୍ୟେକ ୩ ମାସରେ ଥରେ ଅଗ୍ରିମ ଭାବେ ରୟାଲିଟି ଓ ଅତିରିକ୍ତ ଖର୍ଚ୍ଚ ପୈଠ କରିବାକୁ ପଡ଼ିବ। ଯଦି କୌଣସି ଦେୟ ବାକି ରହେ ତେବେ ବାର୍ଷିକ ୨୪ ପ୍ରତିଶତ ସୁଧ ହାରରେ ଜରିମାନା ଆଦାୟ କରାଯିବ। ଯଦି କୌଣସି ଲିଜ୍ଧାରୀ ପ୍ରଥମ ଥର ଲାଗି ଖିଲାପ କରନ୍ତି ତେବେ ୫୦ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର କଲେ ଲିଜ୍ ରଦ୍ଦ ହେବ ଓ ସେମାନଙ୍କୁ କଳାତାଲିକାଭୁକ୍ତ କରାଯିବ। ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲାପାଳ ଏବଂ ଖଣି ବିଭାଗର ଅଧିକାରୀମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
