ଏଣିକି ଦେଓମାଳିରେ ବାହାର ତମ୍ବୁ ବାରଣ ନେଇ ନୋଟିସ ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ
ଏଣିକି ଦେଓମାଳିରେ ବାହାର ତମ୍ବୁ ମନା। ବାହାର ତମ୍ବୁ ବାରଣ ନେଇ ନୋଟିସ ଜାରି କଲା କୋରାପୁଟ ଜିଲ୍ଲା ପ୍ରଶାସନ। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକରେ ରହିଥିବା ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳିରେ ରାତ୍ରୀଯାପନ ପାଇଁ ବାହାର ତମ୍ବୁ ବା ଟେଣ୍ଟ ଉପରେ ବାରଣ କରାଯାଇଛି। ଏବେଠାରୁ ରାତ୍ରୀଯାପନ ପାଇଁ କୋଟିଆ ଗ୍ରାମପଞ୍ଚାୟତ ପକ୍ଷରୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଟେଣ୍ଟ। ଏହାକୁ ଖିଲାପ କଲେ ପଡିବ ୫ ହଜାର ଟଙ୍କାର ଜରିମାନା। ସୂଚନାମୁତାବକ ଓଡିଶାର ଉଚ୍ଚତମ ପର୍ବତଶୃଙ୍ଗ ଦେଓମାଳି । ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ ସାଜିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦେଓମାଳିକୁ ଉପଭୋଗ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଛୁଟୁଛି ପର୍ଯ୍ୟଟକଙ୍କ ଭିଡ଼ ।ପର୍ବତ ତଳେ ରହିଥିବା ଛୋଟ ଛୋଟ ଆଦିବାସୀ ଗାଁ ଓ ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ । ଦେଓମାଳି ପର୍ବତର ଶିଖର କୁ ବାଦଲ ଛୁଇଁ ଯାଉଥିବା ଦୃଶ୍ୟ ଦେଖିଲେ ଆଖି ଫେରେଇ ହୁଏନା । ଆଗକୁ ଶୀତ ଦିନ ଆସୁଛି ତେଣୁ ପର୍ଯ୍ୟଟକଙ୍କ ଭିଡ ହେବ |
