ଏଣିକି ନକଲି ସିମ୍‌ ପାଇଁ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା

ନକଲି ସିମ୍ କାର୍ଡ ଏବଂ ଦେଶର ଅନ୍ୟାନ୍ୟ ଅପରାଧ ତଥା ସାଇବର ଠକେଇ ଉପରେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର |ସଂସଦର ଉଭୟ ଗୃହରେ ଟେଲିକମ ବିଲ ୨୦୨୩ ପାରିତ ହୋଇଛି। ଏହି ବିଲରେ ନକଲି ସିମ୍‌ କିଣିବା ଉପରେ ୩ ବର୍ଷ ଜେଲ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ରହିଛି। ରାଷ୍ଟ୍ରପତି ଏହି ବିଲରେ ଦସ୍ତଖତ କରିବା ପରେ ଏହା ଆଇନରେ ପରିଣତ ହେବ। ଉଭୟ ଲୋକସଭା ଓ ରାଜ୍ୟସଭା ରେ ନୂଆ ଟେଲି କମ୍ୟୁନିକେସନ ବିଲ୍ -2023 ପାରିତ ହୋଇଥିଲା । ଜାତୀୟ ସୁରକ୍ଷା କାରଣରୁ ଏହି ବିଲ୍ କୌଣସି ଟେଲିକମ୍ ସେବା କିମ୍ବା ନେଟୱାର୍କକୁ ଗ୍ରହଣ, ପରିଚାଳନା କିମ୍ବା ସ୍ଥଗିତ ରଖିବାକୁ ଅନୁମତି ଦେଇଥାଏ। ଯଦି ଜନସାଧାରଣଙ୍କ ସୁରକ୍ଷା ପାଇଁ ଆବଶ୍ୟକ ହୁଏ, ତେବେ ସରକାର ଟେଲିକମ୍ ନେଟୱର୍କରେ ବାର୍ତ୍ତାଗୁଡିକୁ ଅଟକାଇ ପାରିବେ। ନୂତନ ଟେଲି ଯୋଗାଯୋଗ ବିଲ ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ ଆକ୍ଟର ସ୍ଥାନ ନେବ। ଇଣ୍ଡିଆନ ଟେଲିଗ୍ରାଫ ଆକ୍ଟ ବର୍ତ୍ତମାନ ଟେଲିକମ ସେକ୍ଟରକୁ ନିୟନ୍ତ୍ରଣ କରୁଛି।ଏହି ବିଧେୟକରେ ଟେଲିକମ୍ କମ୍ପାନୀଗୁଡ଼ିକୁ ଗ୍ରାହକମାନଙ୍କୁ ସିମ୍ କାର୍ଡ ଦେବା ପୂର୍ବରୁ ବାଧ୍ୟତାମୂଳକ ଭାବେ ବାୟୋମେଟ୍ରିକ୍ ଚିହ୍ନଟ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଓଟିଟି ପ୍ଲାଟଫର୍ମ ଯେପରିକି ଇ-କମର୍ସ, ଅନ୍‌ଲାଇନ ମେସେଜିଂକୁ ଟେଲିକମ୍‌ ସେବା ପରିଭାଷାରୁ ବାଦ୍‌ ଦିଆଯାଇଛି। ଏହି ବିଲ୍ ଲାଇସେନ୍ସ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଆଣିବ। ବର୍ତ୍ତମାନ ସେବା ପ୍ରଦାନକାରୀଙ୍କୁ ବିଭିନ୍ନ ପ୍ରକାରର ସେବା ପାଇଁ ଭିନ୍ନ ଭିନ୍ନ ଲାଇସେନ୍ସ ହାସଲ କରିବାକୁ ପଡ଼ୁଛି। କିନ୍ତୁ ଥରେ ଏହି ବିଲ୍ ଆଇନରେ ପରିଣତ ହେବା ପରେ ଲାଇସେନ୍ସ ପ୍ରଦାନରେ ସମାନତା ରହିବ। ଟେଲିକମ୍ ସେବା ପ୍ରଦାନ କରୁଥିବା କମ୍ପାନୀକୁ ଏକ ଅନଲାଇନ୍ ମେକାନିଜିମ୍ ତିଆରି କରିବାକୁ ପଡିବ, ଯାହା ଦ୍ୱରା ଉପଭୋକ୍ତାମାନେ ଅନଲାଇନରେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ।

ଏହି ନୂତନ ବିଲ୍ ଆମେରିକୀୟ ବ୍ୟବସାୟୀ ଏଲନ୍ ମସ୍କଙ୍କ ଷ୍ଟାରଲିଙ୍କ ପରି ବିଦେଶୀ କମ୍ପାନୀଗୁଡିକ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ତେବେ ଜିଓ ଏହାଦ୍ବାରା କ୍ଷତି ସହିପାରେ।