ଏପ୍ରିଲ ୨ ତାରିଖରୁ କଡ଼ାକଡ଼ି ହେବ PUCC ଯାଞ୍ଚ

ଆସନ୍ତା ଏପ୍ରିଲ ୨ତାରିଖରୁ ରାଜ୍ୟରେ ପୁଣି ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ୍ (ପିୟୁସିସି) ଯାଞ୍ଚ୍ କଡ଼ାକଡ଼ି କରାଯିବ । ଯେଉଁମାନେ ଗାଡ଼ିର ପିୟୁସିସି କରିନଥିବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂତ୍ରରୁ ଜଣାପଡ଼ିଛି।ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏ ଚାଲିବ। ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି।ଅପରପକ୍ଷରେ ଯେଉଁମାନଙ୍କ ଗାଡ଼ି ଉପରେ ଟ୍ରାଫିକ୍ ଉଲ୍ଲଂଘନ ପାଇଁ ଜରିମାନା କରାଯାଇଥିଲା ସେମାନଙ୍କ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଓଟିଏସ୍ (ୱାନ୍ ଟାଇମ୍ ସେଟଲ୍ମେଣ୍ଟ) ସ୍କିମ୍ ଲାଗୁ କରାଯାଇଥିଲା । ଯେଉଁମାନେ ଧାର୍ଯ୍ୟ ସମୟ ମଧ୍ୟରେ ଜରିମାନାର ୫୦% ଅର୍ଥ ଦେବେ ସେଥିରେ ମୋଟ ଜରିମାନା ଅର୍ଥ କଟିଯିବ ବୋଲି କୁହାଯାଇଥିଲା । ଏହି ଅବଧି ମଧ୍ୟ ମଙ୍ଗଳବାର ଶେଷ ହୋଇଛି । ତେବେ ୫ମାସ ତଳୁ ଏହ ଓଟିଏସ୍ ସ୍କିମ୍ ଲାଗୁ ହୋଇଥିଲାବେଳେ ଇତିମଧ୍ୟରେ ମାତ୍ର ୨୫% ଜରିମାନା ଅର୍ଥ ଆଦାୟ ହୋଇପାରିଛି ।