ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା ଅଭିଯୋଗ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ ରୋକ ଲଗାଇଛନ୍ତି। ଏହାପରେ ଭାରତର କୋଣ ଅନୁକୋଣରେ ପ୍ୟାକେଟ ମସଲା ବ୍ୟବହାରକୁ ନେଇ ଲୋକଙ୍କ ମନରେ ଭୟ ପଶିଛି। ସରକାରଙ୍କ ପକ୍ଷରୁ ମସଲା ନମୁନାର ଉପଯୁକ୍ତ ଯାଞ୍ଚ ହେଉ ନ ଥିବାରୁ ସେଥିରେ ମିଶୁଥିବା ବିଷାକ୍ତ ପଦାର୍ଥ ସମ୍ପର୍କରେ ଲୋକେ ଜାଣିପାରୁ ନାହାନ୍ତି।ଏହି ଘଟଣାକୁ ନେଇ ଏମଡିଏଚ ସଫେଇ ଦେଇ ଲୋକଙ୍କୁ ଆଶ୍ବସନା ଦେଇ କମ୍ପାନି ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛି, ଭୟ କରିବାର କୌଣସି କାରଣ ନାହିଁ। କାରଣ ଏପର୍ଯ୍ୟନ୍ତ ହଂକଂ କିମ୍ବା ସିଙ୍ଗାପୁରର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକ ଆଣିଥିବା ଅଭିଯୋଗର କୌଣସି ଗୋଟିଏ ବି ପ୍ରମାଣ ନାହିଁ।ଏମିତି କି ହଂକଂ ଓ ସିଙ୍ଗାପୁର୍‌ ସ୍ପାଇସ ବୋର୍ଡ ଅଫ ଇଣ୍ଡିଆ କିମ୍ବା ଘରୋଇ ନିୟାମକ ଏଫଏସଏସଏଆଇକୁ କୌଣସି ପରୀକ୍ଷା ରିପୋର୍ଟ କିମ୍ବା ଯୋଗାଯୋଗ ବା କମ୍ୟୁନିକେସନ ପଠାଇ ନାହାଁନ୍ତି।

ଆମ କମ୍ପାନି ସବୁବେଳେ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନଶୀଳ ଥିଲା ଓ ରହିବ ମଧ୍ୟ। ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡକୁ କମ୍ପାନି କଠୋର ଭାବେ ପାଳନ କରିଆସୁଛି ଓ କରିବ ମଧ୍ୟ ।ଭାରତୀୟ କମ୍ପାନୀ ଏମ୍‌ଡିଏଚ୍‌ର ୩ଟି ଏବଂ ଏଭରେଷ୍ଟର ଗୋଟିଏ ମସଲାରେ ଇଥିଲିନ୍‌ ଅକ୍ସାଇଡ୍‌ ମାତ୍ରା ଅନୁମୋଦନ ସୀମାଠାରୁ ଅଧିକ ରହିଥିବା ହଂକଂ ଏବଂ ସିଙ୍ଗାପୁରର ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷ ସତର୍କ କରାଇବା ପରେ ଭାରତୀୟ ମସଲା ଉପରେ ଆମେରିକାର ସନ୍ଦେହ ଘନୀଭୂତ ହୋଇଛି। ଉକ୍ତ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କୀଟନାଶକ ଅଧିକ ପରିମାଣରେ ରହିଥିବା ଦର୍ଶାଇ ହଂକଂ ଏବଂ ସିଙ୍ଗାପୁର ଏହାର ବିକ୍ରି ବନ୍ଦ କରିଦେଇଥିବାରୁ ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଭାରତୀୟ ମସଲାଗୁଡ଼ିକ ଉପରେ ଅତିରିକ୍ତ ତଥ୍ୟ ସଂଗ୍ରହ କରୁଛି।