ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣା: ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି
ଘୁଞ୍ଚିଲା ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି । ହାଇକୋର୍ଟରେ ନଭେମ୍ବର ୪ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ମାମଲାରେ ବୋର୍ଡର ପୂର୍ବତନ ଉପସଭାପତି ନିହାର ମହାନ୍ତି ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ଶୁଣାଣି ପାଇଁ ମହଲତ ନେଇଛନ୍ତି ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ପକ୍ଷରୁ ସରିଛି କେସ୍ ଡାଏରୀ ଦାଖଲ । ସୂଚନାମୁତାବକ ଅଗଷ୍ଟ ମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହା ପରେ ଏହି ମାମଲାରେ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ କ୍ରାଇମ୍ବ୍ରାଞ୍ଚ ନିହାର ରଂଜନ ମହାନ୍ତିଙ୍କୁ ଗିରଫ କରିଥିଲା । ଏହା ପରେ ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜାଣିବାକୁ ପାଇଥିଲା । ପ୍ରଥମତଃ ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍କୁ ପ୍ରଶ୍ନପତ୍ର ଆସିବା କଥା ନୁହେଁ। କିନ୍ତୁ ମୁଦ୍ରଣ ସଂସ୍ଥାରୁ ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ଲାପ୍ଟପ୍କୁ ଏଫ୍ଟିପି ମାଧ୍ୟମ ବଦଳରେ ଇ-ମେଲ୍ରେ ପ୍ରଶ୍ନପତ୍ର ଆସିଥିଲା । ଏହାକୁ ନେଇ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କୁ କ୍ରାଇମ୍ବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଚାରି ଥର ଜେରା କରିଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ।
