ଓଡ଼ିଆଙ୍କୁ ଉଦ୍ଧାର ଲାଗି ପ୍ରୟାସ, ଟୋଲ୍ ଫ୍ରି ନମ୍ବର ଜାରି
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି। ଗତ ମାର୍ଚ୍ଚ ୨ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ମଧ୍ୟପ୍ରାଚ୍ୟ ଘଟଣା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡାଙ୍କୁ ଏହାର ନୋଡାଲ ଅଫିସର ନିଯୁକ୍ତ କରାଯାଇଛି । ନିର୍ଦ୍ଦେଶାଳୟ ପକ୍ଷରୁ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇ ସେମାନଙ୍କ ଫେରିବା ସମ୍ପର୍କରେ ସହାୟତା କରାଯାଉଛି । ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲରୁମ୍ କରାଯାଇ ଟୋଲ ଫ୍ରି ନମ୍ୱର ଜାରି କରାଯାଇଛି । 1800118797 ନମ୍ବରରେ କଲ କରିପାରିବେ । ସକାଳ ୯ ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଫୋନ୍ କରିହେବ ।ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଦୁବାଇ, ଆବୁଧାବି ଓ ବାହାରିନରେ ଥିବା ଓଡ଼ିଆ ଆସୋସିଏସନର କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରାଯାଇ ସେଠାକାର ବାସ୍ତବ ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଦୁବାଇରେ ୩୫ ଜଣ ଓଡ଼ିଆ ପର୍ଯ୍ୟଟକ ଫସି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଜଣ କେରଳର କୋଚି ଦେଇ ମାର୍ଚ୍ଚ ୭ ତାରିଖ ଦିନ ଭୁବନେଶ୍ୱର ଫେରିଛନ୍ତି।
