ଓଡ଼ିଆ ଅଭିନେତ୍ରୀ ରିୟା ଦେ’ଙ୍କ ନାଁରେ ଥାନାରେ ଅଭିଯୋଗ

ଓଡ଼ିଆ ଅଭିନେତ୍ରୀ ରିୟା ଦେ ନାଁରେ ଥାନାରେ ସଙ୍ଗୀନ ଅଭିଯୋଗ । ଜଣେ ଯୁବତୀ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ରିୟା ଏବଂ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଉକ୍ତ ଯୁବତୀ । ବର୍ଷାଙ୍କୁ ରିୟା ଦେଢ଼ବର୍ଷ ଧରି କାମ କରାଇବା ପରେ ପାରିଶ୍ରମିକ ଟଙ୍କା ନ ଦେଇ ମାଡ଼ ମାରୁଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି। କଟକ ମହାନଦୀ ବିହାରସ୍ଥିତ ରିୟାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ବର୍ଷା ସୋମବାର ଭୁବନେଶ୍ୱର ଚାଲିଆସିଥିଲେ। ବର୍ଷା କଟକରୁ ବସ୍‌ରେ ଆସି ଚନ୍ଦ୍ରଶେଖରପୁରରେ ରହୁଥିବା ତାଙ୍କର ଜଣେ ପରିଚିତ ଭଉଣୀ ମାଧୁରୀଙ୍କ ଘରକୁ ଯାଇଥିଲେ। ହେଲେ ମାଧୁରୀ ଘରେ ନ ଥିବାରୁ ବର୍ଷା ରାସ୍ତାରେ କାନ୍ଦୁଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ବର୍ଷାଙ୍କୁ ଈଶାନେଶ୍ୱର ଶିଶୁ ସୁରକ୍ଷା ଟିମ୍‌କୁ ହସ୍ତାନ୍ତର କରିଥିଲେ।

ମାଧୁରୀ ମଙ୍ଗଳବାର ପହଞ୍ଚିବା ପରେ ଶିଶୁ ସୁରକ୍ଷା ଟିମ୍‌ ସହ ବର୍ଷାଙ୍କୁ ନେଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ରିୟା ଯୁବତୀଙ୍କୁ ବାହାର ପଟୁ ଲକ କରି ରଖୁଥିବା ସାଙ୍ଘାତିକ ଅଭିଯୋଗ ହୋଇଛି। ରିୟା ତାଙ୍କୁ ୮ହଜାର ଟଙ୍କା ସହ ଭରଣପୋଷଣ ଦେବାପାଇଁ ଚୁକ୍ତି କରିଥିଲେ। ହେଲେ କିଛିଦିନ ତଳେ ବର୍ଷା ତାଙ୍କ ପୈତୃକ ଘରକୁ ଯିବାକୁ କହିବାରୁ ରିୟା ବାରଣ କରିଥିଲେ। ଏପରିକି ରିୟା ତାଙ୍କୁ ମାଡ଼ମାରି ଘରେ ବନ୍ଦ କରିଦେଇଥିଲେ। ରିୟା ତାଙ୍କୁ ଦିନକୁ ୨୦ ଥର ଉଠ୍‌ବସ୍‌ କରାଉଥିଲେ। ସ୍ବାମୀ ସୁନୀଲ ତାଙ୍କ ଉପରକୁ ମଦ ବୋତଲ ଫୋପାଡୁଥିଲେ। ନିର୍ଯାତନାରେ ବର୍ଷା ଆହତ ହୋଇଥିବା ଗଣମାଧ୍ୟମ ଜରିଆରେ ଅଭିଯୋଗ କରିଛନ୍ତି।