ଓଡ଼ିଆ ଚଳଚିତ୍ର ପ୍ରତି ଦର୍ଶକ ଙ୍କ ଆଗ୍ରହ ବଢ଼ିବାରେ ଲାଗିଛି
ଶେଖର ସୁମନ ଦାଶ ( HR TV ଓଡ଼ିଆ ) ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତକୁ ନେଇ ଅନେକ ତର୍କ ବିତର୍କ ଚାଲିଥିବା ବେଳେ ଚଳିତ ୨୦୨୫ ବର୍ଷ ମୁକ୍ତିଲାଭ କରିଥିବା ଅନେକ ଚଳଚ୍ଚିତ୍ର ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରିବା ଆମ ସମସ୍ତଙ୍କ ପାଇଁ ଏକ ଶୁଭ ସଙ୍କେତ ।ବର୍ଷ ଆରମ୍ଭରେ ଚଳଚ୍ଚିତ୍ର ‘ୱାଇଫ’ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମୁକ୍ତିଲାଭ କରି ଅନେକ ଭଲପାଇବା ସାଉଁଟି ସଫଳତାର ସହିତ ଦର୍ଶକଙ୍କ ହୃଦୟ ଛୁଇଁଥିଲା । ପରେ ମୁକ୍ତିଲାଭ କରିଥିବା ବୋଉ ବୁଟ୍ଟୁ ଭୂତ, ଅନନ୍ତା ଏବଂ ନବକଳେବର ଆଦି ଚଳଚ୍ଚିତ୍ର ଓଡ଼ିଶାର ଓଡ଼ିଆତ୍ୱକୁ ବଜାୟ ରଖି ବ୍ୟବସାୟିକ ସଫଳତା ହାସଲ କରିବା ଆମ ସମସ୍ତଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ। ଓଡ଼ିଆ ଚଳଚ୍ଚିତ୍ର ଜଗତ ପୁଣି ଥରେ ଚଳଚଞ୍ଚଳ ହେବାର ଶ୍ରେୟ କେବଳ ନିର୍ମାତା ନିର୍ଦ୍ଦେଶକ ଅଭିନେତା କି ଅଭିନେତ୍ରୀଙ୍କର ନୁହେଁ ବରଂ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କର ଅକ୍ଲାନ୍ତ ପରିଶ୍ରମର ଫଳ।

ପରିଶେଷରେ ତଥା ବିଶେଷ ଭାବରେ ବିଶ୍ଵାସର ସହିତ ନିଜ କଷ୍ଟ ଅର୍ଜିତ ଧନ ବଦଳରେ ସିନେମା ଦେଖିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି (ଦର୍ଶକ)ଙ୍କ ପାଇଁ ସିନେମାଟିଏ ସଫଳ ହୋଇଥାଏ। ଆଗାମୀ ଦିନରେ ଗଣେଶ ପୂଜା, ଦଶହରା ଓ ଦୀପାବଳି ଅବସରରେ ମଧ୍ୟ ଅନେକ ବଡ଼ ବଜେଟର ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ସେସବୁ ଚଳଚ୍ଚିତ୍ର ଦର୍ଶକ ନିଶ୍ଚୟ ଦେଖିବେ ବୋଲି ଆଶା କରା ଯାଉଛି ।

ଚଳିତ ବର୍ଷରେ ଓଡ଼ିଆ ଚଳଚ୍ଚିତ୍ରର ସଫଳତାକୁ ଉତ୍ସବ ଭାବରେ ନୁହେଁ ଏକ ନୂଆ ଆରମ୍ଭ ଭାବରେ ଗ୍ରହଣ କରିବା ଏବଂ ଓଡ଼ିଆ ଭାଷାରେ ଆମ କଳା, ସଂସ୍କୃତି, କଥା ଓ କିମ୍ବଦନ୍ତୀର ଓଡ଼ିଆ ପଣ ଭିତରେ ଓଡ଼ିଆ ସିନେମାକୁ ରୂପେଲି ପରଦାରେ ଜୀବନ୍ତ ରଖିବା ପାଇଁ ଆମେ ସମସ୍ତେ ପ୍ରୟାସ କରିବା।
