ଓଡ଼ିଶାର ଧନୁପାଲି ନିକଟସ୍ଥ ଭତରା ଗାଁରେ ରହିଛି ପ୍ରସିଦ୍ଧ ଗାନ୍ଧୀ ମନ୍ଦିର
ସମ୍ବଲପୁର ମହାନଗର ନିଗମ ଅଧିନସ୍ଥ ଧନୁପାଲି ନିକଟସ୍ଥ ଭତରା ଗାଁରେ ରହିଛି ପ୍ରସିଦ୍ଧ ଗାନ୍ଧୀ ମନ୍ଦିର l 1972 ମସିହା ମାର୍ଚ୍ଚ 23ରେ ତତ୍କାଳୀନ ଉତ୍ତରାଞ୍ଚଳ ଆରଡ଼ିସି ରବୀନ୍ଦ୍ର ନାଥ ମହାନ୍ତି ଏହି ମନ୍ଦିର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ 11-04-1974ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥି ଏହାର ଉଦଘାଟନ କରିଥିଲେ l ସେହିଦିନ ଠାରୁ ମହାତ୍ମା ଗାନ୍ଧୀଙ୍କୁ ଏଠି ପୂଜା କରାଯାଉଛି l ଏହି ମନ୍ଦିରରେ 3.5 ଫୁଟ ଉଚ୍ଚତାର ଗାନ୍ଧିଜୀଙ୍କ ଏକ ବ୍ରୋଞ୍ଜ ନିର୍ମିତ ମୂର୍ତ୍ତି ରହିଛି lମନ୍ଦିର ଭିତରେ ରହିଛି ବାପୁଜୀଙ୍କ ଭବ୍ୟ ପ୍ରତିମା ଯେଉଁଠି ପ୍ରତ୍ୟେକ ଦିନ ଗାନ୍ଧିଜୀଙ୍କୁ ହିଁ ପୂଜା କରାଯାଏ l ମନ୍ଦିର ସମ୍ମୁଖରେ ରହିଛି ଅଶୋକ ସ୍ତମ୍ଭ ଓ ମନ୍ଦିର ମୁଖ୍ୟ ଦ୍ଵାର ଉପର ଭାଗରେ ଶୋଭା ପାଉଛନ୍ତି ତ୍ରିରଙ୍ଗା ସହ ଭାରତ ମାତା l ମନ୍ଦିର ଭିତରେ ମୁଖ୍ୟ ସ୍ଥାନରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଥିବା ବେଳେ, ପାଖରେ ସୁଭାଷ ବୋଷ ଓ ଆମ୍ବେଦକରଙ୍କ ପରି ଅନ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ର l ଅନ୍ୟପାର୍ଶ୍ଵରେ ରହିଛନ୍ତି ଜଗନ୍ନାଥ lମନ୍ଦିରରେ ସାଧାରଣତଃ ବ୍ରାହ୍ମଣ ପୂଜା କରନ୍ତି । କିନ୍ତୁ ଏହି ଗାନ୍ଧୀ ମନ୍ଦିର ସ୍ବତନ୍ତ୍ର । ଭତରା ଗାଁଲୋକେ ନିଜସ୍ବ ଉଦ୍ୟମରେ ମନ୍ଦିରରେ ପୂଜା ପାଠ କରିଆସୁଛନ୍ତି । ଏଠାରେ ବ୍ରାହ୍ମଣ ପରିବର୍ତ୍ତେ ହରିଜନ ସମ୍ପ୍ରଦାୟର ଲୋକେ ପୂଜା କରି ଆସୁଛନ୍ତି l ଆଉ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏଠାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ରାମଧୂନ ଅନୁଷ୍ଠିତ ହୋଇଥାଏ | ସୂଚନାମୁତାବକ ଏହି ଗାନ୍ଧୀ ମନ୍ଦିରକୁ ରେଢ଼ାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମାର ନିର୍ମାଣ କରିଥିଲେ l ସ୍ବର୍ଗତ ଅଭିମନ୍ୟୁ କୁମାର ଛୋଟ ଥିବା ସମୟରେ ମହାତ୍ମା ଗାନ୍ଧୀ 1928 ମସିହାରେ ସମ୍ବଲପୁର ଗସ୍ତରେ ଆସିଥିଲେ l ସେତେବେଳେ ମହାତ୍ମା ଗାନ୍ଧୀ ସମ୍ବଲପୁର ବାଲିବନ୍ଧା ଠାରେ ମହାନଦୀରେ ଏକ ଜନସଭା କରିଥିଲେ l ଅଭିମନ୍ୟୁ ଗାନ୍ଧିଜୀଙ୍କ ଭାଷଣ ଶୁଣି ତାଙ୍କ ନୀତି ଆଦର୍ଶରେ ଏତେ ଅନୁପ୍ରାଣିତ ହୋଇଥିଲେ ଯେ ତାଙ୍କୁ ସେ ଭଗବାନ ମାନି ନେଇଥିଲେ ଓ ମନେ ମନେ ତାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବେ ବୋଲି ଭାବିଥିଲେ l ପରେ ସେ ଯେତେବେଳେ ରେଢ଼ାଖୋଲ ବିଧାୟକ ହୋଇଥିଲେ ସେ ନିଜ ଉଦ୍ୟମରେ ଏହି ମନ୍ଦିରକୁ ନିର୍ମାଣ କରିଥିଲେ ଲ
