ଓଡ଼ିଶା ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାଭରତ ମିଳନ, ବିରାୟୁଧ ବଧ, ବେଢା ପରିକ୍ରମା,
ପଂଚବଟୀ ଭ୍ରମଣଗଣିଆ,-(ବିଶ୍ୱରଂଜନ ସେଠି) ଶ୍ରୀ ରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମନବମୀଠାରୁ ଚାଲିଥିବା ଲଙ୍କାପୋଡ଼ି ଯାତ୍ରାର ରବିବାର ଥିଲା ଚତୁର୍ଥ ସଂନ୍ଧ୍ୟା । ବିଧି ଅନୁସାରେ ସକାଳେ ମନ୍ଦିରର ପୂଜାନୀତି ପରେ ରାତ୍ରୀରେ ରାମଲୀଳା ପରିଷଦ କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା । ଦଶରଥଙ୍କ ଦେହାନ୍ତ ପରେ ରାଜପରିବାରର ସମସ୍ତେ ଶୁଦ୍ଧି ହୋଇସାରିବା ପରେ ଶ୍ରୀରାମଙ୍କୁ ଅଯୋଧ୍ୟ ଫେରାଇନେବାପାଇଁ ଭରତ, ଶତୃଘ୍ନ ଓ ୩ମାତା ଚିତ୍ରକୁଟ ଆସି ଶ୍ରୀରାମ, ଲକ୍ଷଣ ଓ ସୀତାଙ୍କୁ ଆକୁଳ ନିବେଦନ କରନ୍ତି । ସେଠାରେ ପିତା ଦଶରଥଙ୍କ ଦେହାନ୍ତ ଖବର ପାଇ ପିତାଙ୍କୁ ଶୁଦ୍ଧି ହୁଅନ୍ତି ଶ୍ରୀରାମ, ଲକ୍ଷଣ ଓ ସୀତା । ସମସ୍ତଙ୍କ ଅନୁରୋଧ ସତ୍ୱେ ପିତାଙ୍କ ସତ୍ୟ ଭଗ୍ନ୍ନ ନକରି ବନବାସକୁ ଜାରି ରଖନ୍ତି ପ୍ରଭୁ ଶ୍ରୀରାମ । ଶେଷରେ ଅନୁଜ ଭରତଙ୍କ ଆକୁଳ ନିବେଦନକୁ ସହ୍ୟ କରିନପାରି ତାଙ୍କୁ ଅଯୋଧ୍ୟ ଯାଇ ରାଜ୍ୟ ଶାସନ କରିବାକୁ ବୁଝାଇଥାନ୍ତି । ଶେଷରେ ଭରତ ଭ୍ରାତା ଶ୍ରୀରାମଙ୍କ ପାଦୁକା କଠଉକୁ ମୁଣ୍ଡରେ ଧାରଣ କରି ଆଣି ରାଜ୍ୟ ସିଂହାସନରେ ଅବସ୍ଥାପିତ କରି ରାଜ୍ୟ ଶାସନ କରିବାପାଇଁ କଥା ଦିଅନ୍ତି ଭରତ । ଏହାପରେ ଚିତ୍ରକୁଟରେ ଶ୍ରୀରାମ, ଲକ୍ଷଣ ଓ ସୀତା ବନ ଭ୍ରମଣ କରିବା ସମୟରେ ମାୟାବୀ ରାକ୍ଷସ ବିରାୟୁଧର ଭେଟ ହୋଇଥାଏ ଶ୍ରୀରାମ, ଲକ୍ଷଣ ଓ ସୀତାଙ୍କ ସହିତ । ମାୟାଦ୍ୱାରା ରାକ୍ଷସ ବିରାୟୁଧ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ମୋହ କରି କାନ୍ଧରେ ବସାଇ ଅପହରଣ କରି ନେଇଯାଉଥାଏ । ଏହି ସମୟରେ ଦେବୀ ଜାନକୀଙ୍କ ଆକୁଳ କ୍ରନ୍ଦନରେ ପ୍ରଭୁ ଶ୍ରୀରାମଙ୍କ ମୋହଭଙ୍ଗ ହୋଇଥାଏ । ଏହାପରେ ଅସୁର ବିରାର୍ୟୁଧ ସହିତ ଶ୍ରୀରାମ ଓ ଲକ୍ଷ୍ମଣଙ୍କର ଦୀର୍ଘସମୟଧରି ଯୁଦ୍ଧ ହୋଇଥାଏ । ଶେଷରେ ରାକ୍ଷସର ମୃତ୍ୟୁ ହେଲା । ଚିତ୍ରକୁଟରେ ବନଭ୍ରମଣ ପରେ ଶ୍ରୀରାମ, ଲକ୍ଷଣ ଓ ସୀତା ନୀଳାଚଳ ଧାମକୁ ଭ୍ରମଣରେ ଆସନ୍ତି । ଶ୍ରୀମନ୍ଦିର ବେଢାରେ କଳ୍ପବଟ ସମେତ ସମସ୍ତ ପାଶ୍ୱର୍ ଦେବତାଙ୍କୁ ଦର୍ଶନ କରି ବିମୋହିତ ହୁଅନ୍ତି । ଶେଷରେ ରତ୍ନ ସିଂହାସନରେ ବିଜେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦର୍ଶନ କରନ୍ତି ଶ୍ରୀରାମ, ଲକ୍ଷଣ ଓ ସୀତା । ଏହି ଅପୂର୍ବ ଦୃଶ୍ୟର ସମନ୍ୱୟ ଓ ସାଦୃଶ୍ୟତାକୁ ରାମପ୍ରେମୀ ଦର୍ଶକ ଅନୁଭବ କରନ୍ତି ତ୍ରେତୟା ଯୁଗର ରାମାବତାର ଓ କଳିଯୁଗର ଶ୍ରୀ ଜଗନ୍ନାଥଙ୍କୁ । ଏହି କ୍ରମରେ ଶ୍ରୀରାମ, ଲକ୍ଷଣ ଓ ସୀତା ପ୍ରବେଶ କରନ୍ତି ପଂଚବଟୀରେ । ସେଠାରେ ଅତ୍ୟନ୍ତ ମନୋରୋମ ଭାବେ ପର୍ଣ୍ଣ କୁଟୀର ନିର୍ମାଣ କରି ଅବସ୍ଥାନ କରନ୍ତି ଶ୍ରୀରାମ, ଲକ୍ଷଣ ଓ ସୀତା ।
