ଓଡ଼ିଶା ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରାସୁର୍ପଣଖା ନାସା ଛେଦନ, ସୀତାଚୋରୀ
ଗଣିଆ,(ବିଶ୍ୱରଂଜନ ସେଠି) ଶ୍ରୀ ରଘୁନାଥ ଜିଉ ମନ୍ଦିର ପ୍ରାଙ୍ଗଣରେ ଶ୍ରୀରାମନବମୀଠାରୁ ଚାଲିଥିବା ଲଙ୍କାପୋଡ଼ି ଯାତ୍ରାର ମଙ୍ଗଳବାର ଥିଲା ୫ମ ସଂନ୍ଧ୍ୟା । ବିଧି ଅନୁସାରେ ସକାଳେ ମନ୍ଦିରର ପୂଜାନୀତି ପରେ ରାତ୍ରୀରେ ରାମଲୀଳା ପରିଷଦ କଳାକାରମାନଙ୍କ ଦ୍ୱାରା ନାଟକ ପରିବେଷଣ କରାଯାଇଥିଲା । ଚିତ୍ରକୁଟରେ ବନବାସ ସମୟରେ ଶ୍ରୀରାମ, ଲକ୍ଷଣ ଓ ସୀତାଙ୍କର ବନଭ୍ରମଣ ବୃତାନ୍ତକୁ ଯେଉଁଭଳି ଭାବରେ ବିକ୍ରମ ନରେନ୍ଦ୍ର ବର୍ଣ୍ଣନା କରିଛନ୍ତି ତାକୁ ନାଟ୍ୟରୂପରେ ରଂଗମଂଚରେ ଉପସ୍ଥାପନା କରିବା ଅତ୍ୟନ୍ତ ଜୀବନ୍ତ ଓ ହୃଦୟସ୍ପର୍ଶୀ ହୋଇଥିଲା । ଶ୍ରୀରାମ, ଲକ୍ଷଣ ଓ ସୀତା ପ୍ରବେଶ କରନ୍ତି ପଂଚବଟୀରେ । ସେଠାରେ ଅତ୍ୟନ୍ତ ମନୋରୋମ ଭାବେ ପର୍ଣ୍ଣ କୁଟୀର ନିର୍ମାଣ କରି ଅବସ୍ଥାନ କରନ୍ତି ଶ୍ରୀରାମ, ଲକ୍ଷଣ ଓ ସୀତା । ଏହି ସମୟରେ ଲଙ୍କାର ରାଜା ରାବଣର ଭଉଣୀ ସୁର୍ପଣଖା ରାକ୍ଷସୀ ବନଭ୍ରମଣ କରୁଥାଏ । ଏହି ସମୟରେ ସେ ଶ୍ରୀରାମଙ୍କ ପୌରଷତ୍ୱରେ ଆକର୍ଷିତ ହୋଇ ନିଜର ମାୟା ବଳରେ ଏକ ସୁନ୍ଦର ତୁରଣୀ ବେଶ ଧାରଣ କରି ଶ୍ରୀରାମଙ୍କୁ ପ୍ରେମ ନିବେଦନ କରିବା ସହିତ ବିବାହ କରିବାକୁ ପ୍ରସ୍ତାବ ଦିଏ । କିନ୍ତୁ ଶ୍ରୀରାମ ତାକୁ ପ୍ରତ୍ୟାଖାନ କରି ଅନୁଜ ଲକ୍ଷ୍ମଣଙ୍କୁ ପଚାର ବୋଲି କୁହନ୍ତି ।

ଲକ୍ଷଣ ମଧ୍ୟ ପ୍ରତ୍ୟାଖାନ କରନ୍ତି । ଏଥିରେ ରାକ୍ଷସୀ ସୁର୍ପଣଖା କ୍ଷ୍ୁବ୍ଧ ହୋଇ ମନରେ ମନ୍ଦ ଉଦ୍ଦେଶ୍ୟ ରଖି ସୀତା ଲାଗି ଉଭୟ ପ୍ରତ୍ୟାଖାନ କରଛନ୍ତି ବୋଲି ଭାବି ସୀତାଙ୍କୁ ଖାଇଯିବା ଲାଗି ଉଦ୍ୟତ ହୁଏ । ଏହାଦେଖି ଶ୍ରୀରାମଙ୍କ ନିର୍ଦ୍ଦେଶରେ ଲକ୍ଷଣ ସୁର୍ପଣଖାର ନାସାକୁ ଛୁରୀରେ ଛେଦନ କରନ୍ତି । ଫଳରେ ବିକଳରେ ରାକ୍ଷସୀ ବିକଳରେ ସେଠାରୁ ପ୍ରସ୍ଥାନ କରି ଦଣ୍ଡକାରଣ୍ୟରେ ତାର ରାକ୍ଷସ ଭ୍ରାତା ଖର, ଦୁଷଣ ଓ ତ୍ରିସିରାକୁ ଜଣାଏ । ୩ରାକ୍ଷସ ଆସି ଶ୍ରୀରାମ ଲକ୍ଷ୍ମଣଙ୍କ ସହିତ ପ୍ରବଳ ଯୁଦ୍ଧ କରି ଶେଷରେ ନିହତ ହୁଅନ୍ତି । ଏହାପରେ ସୁର୍ପଣଖା ଯାଇ ତାର ରାକ୍ଷସଭ୍ରାତା ଲଙ୍କାର ରାଜା ରାବଣକୁ ଗୁହାରୀ କରେ । ଏବଂ ଶ୍ରୀରାମଙ୍କ ପାଖରେ ଥିବା ଅତ୍ୟନ୍ତ ସୁନ୍ଦରୀ ସୀତାଙ୍କ ରୂପର ଗୁଣଗାନ କରିବା ସହିତ ତାଙ୍କୁ ଚୋରୀ କରିବାକୁ ପ୍ରବର୍ତାଇ ଥାଏ । ଏଣୁ ଭଉଣୀର ପ୍ରତିଶୋଧ ନେବାକୁ ଯାଇ ରାବଣ ସୀତାଙ୍କୁ ପଂଚବଟୀରୁ ଅପହରଣ ନିମନ୍ତେ ଯୋଜନା କରେ । ଏଣୁ ଅଦ୍ଭୁତ ମାୟାରୂପ ଧାରଣ କ୍ଷମତାପ୍ରାପ୍ତ ରାକ୍ଷସୀ ତାଡ଼କା ପୁତ୍ର ମାରୀଚକୁ ମାୟାରେ ସ୍ୱର୍ଣ୍ଣମୃଗ ରୂପ ଧାରଣ କରି ପଂଚବଟୀ ଯିବାକୁ ରାବଣ ନିର୍ଦ୍ଦେଶ ଦିଏ । ସେ ଅରାଜି ହେବାରୁ ତାକୁ ମୃତ୍ୟୁର ଭୟ ଦେଖାଏ । ଏଣୁ ରାବଣ ହାତରେ ମରିବା ଅପେକ୍ଷା ପ୍ରଭୁ ଶ୍ରୀରାମଙ୍କ ହସ୍ତରେ ମରିବା ଶ୍ରେୟ ଭାବି ମାରୀଚ ରାଜି ହୋଇ ପଂଚବଟୀରେ ସ୍ୱର୍ଣ୍ଣର ମୃଗ ରୂପ ଧାରଣ କରି ଶ୍ରୀରାମଙ୍କ କୁଟୀର ପାଖରେ ଦେଖାଦିଏ । ଏପରି ସନ୍ଦର ସ୍ୱର୍ଣ୍ଣମୃଗ ଦେଖି ସୀତା ତାକୁ ଆଣି ଦେବାପାଇଁ ଶ୍ରୀରାମଙ୍କୁ ଅନୁରୋଧ କରନ୍ତି । ସୀତାଙ୍କ ଅନୁରୋଧରେ ଶ୍ରୀରାମ ମୃଗ ଆଣିବା ପାଇଁ ବନମଧ୍ୟକୁ ପଳାଇ ଯାଆନ୍ତି । ମୃଗ ଉପରେକୁ ତୀର ନିକ୍ଷେପ କରନ୍ତେ ମାରୀଚ ନିଜ ରୂପ ଧାରଣ କରି ଶ୍ରୀରାମଙ୍କ ସ୍ୱରକୁ ଅନୁକରଣ କରି ତ୍ରାହୀ ଲକ୍ଷଣ ବୋଲି ଡାକ ଛାଡ଼େ । ଏହାଶୁଣି ସୀତା ଭାବନ୍ତି ଶ୍ରୀରାମ ବିପଦରେ ପଡ଼ିଛନ୍ତି ଏବଂ ଲକ୍ଷ୍ମଣଙ୍କୁ ଶ୍ରୀରାମଙ୍କ ସହାୟତା ନିମନ୍ତେ ପଠାଇଥାନ୍ତି । କିନ୍ତୁ ଲକ୍ଷଣ ବାରଣ କରନ୍ତୁ ଏଣୁ ସୀତା କ୍ରୋଧରେ ଲକ୍ଷ୍ମଣଙ୍କ ଭର୍ତ୍ସନା କରନ୍ତି । ବାଧ୍ୟରେ ଲକ୍ଷ୍ମଣ ଶ୍ରୀରାମଙ୍କ ପାଖକୁ ଯିବାକୁ ବାହାରନ୍ତି । ଯିବାବେଳେ କୁଟୀର ସାମ୍ନାରେ ୩ଟି ରେଖା ଟାଣି ତାକୁ ଅତିକ୍ରମ ନକରିବାକୁ ସୀତାଙ୍କୁ କହିଯାନ୍ତି । ଏହି ସୁଯୋଗରେ ପୂର୍ବରୁ ଲୁଚି ରହିଥିବା ରାବଣ ମାୟାରେ ଯତିବେଶ ଧାରଣ କରି ଭିକ୍ଷା ମାଗିବା ଆଳରେ ସୀତାଙ୍କୁ ଅପହରଣ କରେ । ଅପହରଣ ପରେ ନିଜ ରୂପ ଧାରଣ କରି ତାର ପୁଷ୍ପକ ବିମାନରେ ବସାଇ ଲଙ୍କା ନେଇଯାଏ । ସୀତାଙ୍କ ଆକୁଳ କ୍ରନ୍ଦନ କରି ସହାୟତା ନିମନ୍ତେ ସମସ୍ତ ବୃକ୍ଷ, ତରୁ, ଲତାଙ୍କୁ ନିବେଦନ କରନ୍ତି । ନିଜେ ପିନ୍ଧିଥିବା ସମସ୍ତ ଅଳଙ୍କାରମାନ ଗୋଟିଗୋଟିକରି ତଳେ ପକାନ୍ତି । ଏହି ସମୟରେ ଆକାଶ ମାର୍ଗରୁ ଦଶରଥଙ୍କ ପରମମିତ୍ର ପକ୍ଷୀରାଜ ଜଟାୟୁ ରାବଣକୁ ଅବରୋଧ କରନ୍ତି । ରାବଣ ଜଟାୟୁଙ୍କର ପକ୍ଷ ଛେଦନ କରେ । ତେବେ ସୀତାଙ୍କ ଆର୍ଶୀବାଦରୁ ଶ୍ରୀରାମଙ୍କୁ ଏ ଅପହରଣ ସନ୍ଦେଶ ଦେବା ପାଇର୍ ବଂଚି ରହନ୍ତି । ରାବଣ ସୀତାଙ୍କୁ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖେ ।
