ଓଡିଆ ସାହିତ୍ୟ ଓ ଆମ ଅସ୍ମିତା ର କବି  ଗଣକବି ବୈଷ୍ଣବ ପାଣି ।।

ଓଡ଼ିଆ ଗୀତିନାଟ୍ୟର ଜନକ ବୈଷ୍ଣବ ପାଣି କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ କୋଠପଦା ଗାଁରେ ୧୮୮୨ ମସିହା କୁମାର ପୂର୍ଣ୍ଣିମା ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦ ଦେବୀ। ପିଲାଦିନରୁ ରୋଗାକ୍ରାନ୍ତ ଶତୃଘ୍ନଙ୍କୁ ତାଙ୍କ ପିତାମାତା ପୁରୀ ବଡ଼ଛତା ମଠ ତଳେ ବୈଷ୍ଣବ କରିଦେବାରୁ ସେ ବୈଷ୍ଣବ ପାଣି ନାମରେ ପରିଚିତ ହେଲେ।

ଅଭାବ ଅନାଟନ ଥିଲା ତାଙ୍କ ଚିର ସହଚର। ପିଲାଟି ଦିନରୁ କୋଠପଦା ମଠ ମହନ୍ତଙ୍କ ଫୁଲତୋଳା,ଫୁଲଗୁନ୍ଥା, ଲୋକଙ୍କ ଗାଇ ଜଗା ଓ ଇଂରାଜୀ ବିଦ୍ୟାଳୟର ପାଚକ କାମ କରି ସେ ପେଟ ପୋଷିଥିଲେ। ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୋଳାନାଥ ମିଶ୍ର ଚତୁର୍ଥ ଶ୍ରେଣୀରେ ବୈଷ୍ଣବ ପାଣିଙ୍କ ନାଁ ଲେଖାଇ ଅବୈତନିକ ଶିକ୍ଷା ଦାନ କରିଥିଲେ। ବୈଷ୍ଣବ ପାଣି ଷଷ୍ଠ ଶ୍ରେଣୀରେ ଶିକ୍ଷା ସମାପ୍ତ କରି ଘରୋଇ ଶିକ୍ଷକ ହେଲେ।

୧୯୦୩ ମସିହାରେ ତାଙ୍କର ପ୍ରଥମ ଗୀତାଭିନୟ ମେଘନାଦ ବଧ।ସେ ଅନେକ କାଳ୍ପନିକ, କିମ୍ବଦନ୍ତୀ ମୂଳକ, ପୈାରାଣିକ, ଐତିହାସିକ, ଚରିତ୍ର ଧର୍ମୀ ଓ ସାମାଜିକ ନାଟକ, ଗୀତିନାଟ୍ୟ,ଗୀତାଭିନୟ,ସୁଆଙ୍ଗ ରଚନା କରିଛନ୍ତି।

ଡକ୍ଟର ମାୟାଧର ମାନସିଂହଙ୍କ ଭାଷାରେ,ଯେଉଁମାନେ ପ୍ରାଚୀନ ଓଡିଶୀ ଯାତ୍ରାକୁ ଆଧୁନିକ କରିଥିଲେ, ସେମାନଙ୍କ ମଧ୍ୟରେ ବିଖ୍ୟାତତମ ହେଉଛନ୍ତି ବୈଷ୍ଣବ ପାଣି। ସେଦିନର ଓଡ଼ିଆ ରଙ୍ଗମଞ୍ଚରେ ନଟ-ବାଳକ ବୈଷ୍ଣବ ପାଣି, ଶତାଧିକ ନାଟକ ରଚନା କରିଛନ୍ତି, ଯାହା ମଧ୍ୟରୁ ପାଣିଙ୍କ ଜୀବଦ୍ଦଶାରେ କେତେକ ନାଟକର ୪୦ ତମ ସଂସ୍କରଣ ପର୍ଯ୍ୟନ୍ତ ସମ୍ଭବ ହୋଇଥିଲା।

ତାଙ୍କର ପୈାରାଣିକ ଗୀତିନାଟ୍ୟ, ଗୀତାଭିନୟ, ସୁଆଙ୍ଗ ମଧ୍ୟରେ ରଙ୍ଗସଭା, ବ୍ରଜଲୀଳା, ଧ୍ରୁବ ଚରିତ,କୀଚକ ବଧ, ପ୍ରହ୍ଲାଦ ଚରିତ,ଦାଣ୍ଡି ପର୍ବ,ଦାନବୀର ହରିଶ୍ଚନ୍ଦ୍ର,ନଳଦମୟନ୍ତୀ,ରାବଣ ବଧ, ମହିଷାସୁର ବଧ, ସହସ୍ରା ରାବଣ ବଧ, ବକାସୁର ବଧ,ବାଲ୍ୟ ଲୀଳା, ସୁଭଦ୍ରା ହରଣ,ମାଧବ ସୁଲୋଚନା, ସାବିତ୍ରୀ ସତ୍ଯବାନ, ନିକୁଞ୍ଜ ମିଳନ, ପାର୍ବତୀ ବିବାହ,ରଘୁ ଅରକ୍ଷିତ ନାବ କେଳି, ଲକ୍ଷ୍ମୀ ପୂଜା, ହରପାର୍ବତୀ ବିଭା,ଜରାସନ୍ଧା ବଧ, ଦୁର୍ଯ୍ୟୋଧନ ବଧ,ମୁକ୍ତାଚୋରି ପ୍ରଧାନ। ସେ ଅଗଣିତ ଜନତାଙ୍କ ହୃଦୟରେ ଜଣେ ନିର୍ଦ୍ଦେଶକ, ଅଭିନେତା, କବି,ଲେଖକ ଭାବରେ ସ୍ଥାନ ଅଧିକାର କରିଛନ୍ତି।

କିମ୍ବଦନ୍ତୀମୂଳକ ଗୀତିନାଟ୍ୟ ଗୀତାଭିନୟ ମଧ୍ୟରେ ଯଯାତିକେଶରୀ, ଲାବଣ୍ୟବତୀ ଚନ୍ଦ୍ରଭାନୁ ପରିଣୟ, ସାକ୍ଷୀଗୋପାଳ, ଶ୍ଵେତ ବସନ୍ତ, କେଦାରଗୌରୀ, ଚରିତ୍ରଧର୍ମୀ ଗୀତିନାଟ୍ୟ ଗୀତାଭିନୟ ମଧ୍ୟରେ କାଳିଦାସ,ମିରାବାଇ, କଳାପାହାଡ଼, ଚନ୍ଦ୍ରଗୁପ୍ତ, ସଂଯୁକ୍ତା ପରିଣୟ, କାଳ୍ପନିକ ସୁଆଙ୍ଗ ମଧ୍ୟରେ ଠକ ପୁରାଣ, ଜୟନ୍ତ ଜୟପାଳ ପ୍ରଧାନ। ଏହାବ୍ୟତୀତ ଅମରବିଳାସ,ନିର୍ବାସିତ ରାଜପୁତ୍ର,ଫାର୍ଶ ମାନଙ୍କ ମଧ୍ୟରେ ସୈାଦାଗର,ନାଟୁଆ ମହାନ୍ତି,ଆଲିବାବା, ଗୋପାଳ ଭାଣ୍ଡ ପ୍ରହସନ ଅନ୍ତର୍ଗତ।

ସେ ରାମାୟଣ, ମହାଭାରତ, ସାରଳା ମହାଭାରତ, ଭାଗବତ, ଦାଣ୍ଡି ରାମାୟଣ ବିଲଙ୍କା ରାମାୟଣ,ଅଭିଜ୍ଞାନ ସକୁନ୍ତଳମ୍,ପ୍ରଣୟ ବଲ୍ଲରୀ ଆଦି ଅଧ୍ୟୟନ କରି ସେଥିରୁ ତଥ୍ୟ ଓ ଉପାଖ୍ୟାନ ସଂଗ୍ରହ କରୁଥିଲେ।

ସେ ଅନେକ ଚଉତିଶା, ଭଜନ, କୀର୍ତ୍ତନ,ଜଣାଣ ସହିତ ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ନୀଳାଚଳ ଚଉତିଶା, ମଙ୍ଗଳା ଚଉତିଶା ରଚନା କରିଛନ୍ତି।

ସେ ତତ୍କାଳୀନ ସମୟରେ ଓଡ଼ିଶା ତଥା ଭାରତର ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣ ଲୋକଙ୍କ ବୋଧଗମ୍ୟ ଭାଷାରେ ଗୀତିନାଟ୍ୟ, ଗୀତାଭିନୟ, ସୁଆଙ୍ଗ ମାଧ୍ୟମରେ ଶିକ୍ଷା ଓ ଜାତୀୟ ଚେତନା ଅଭିବୃଦ୍ଧିର ମାଧ୍ୟମ ହୋଇଥିଲେ।

ଭାରତୀୟ ସାହିତ୍ୟରେ ଲୈଲା- ମଜନୁ, ଆନ୍ତର୍ଜାତିକ ସାହିତ୍ୟରେ ରୋମିଓ-ଜୁଲିଏଟ୍ କାହାଣୀକୁ କାବ୍ୟଗୈାରବ ରୂପ ଦେଲେ କବିବର ରାଧାନାଥ ରାୟ। ବୈଷ୍ଣବ ପାଣି ଏହାକୁ ଯାତ୍ରାଭିନୟ ରୂପ ଦେଇ ତା’ମଧ୍ୟରେ ଲଲାଟେନ୍ଦୁ କେଶରୀଙ୍କ ରାଜତ୍ଵ ସମୟରେ ସମସାମୟିକ ସମସ୍ୟା ଅତି ସୁନ୍ଦର ଭାବରେ ଖଞ୍ଜି ଦେଇଛନ୍ତି। ରାଜା ଲଲାଟେନ୍ଦୁ କେଶରୀ ମନ୍ତ୍ରୀଙ୍କୁ ରାଜ୍ୟର ହାଲଚାଲ ପଚାରନ୍ତେ, ମନ୍ତ୍ରୀ କହୁଛନ୍ତି,

“ନିଜ ରାଜକୋଷୁ ବିଦ୍ଯା ଶାସନ ନିର୍ମାଣି 

ନିଯୋଗମାନ ଖଞ୍ଜିଛି ରାଜନ

ଭାଜନ ନ ହେବ ତାକୁ କେହି,

ଯୋଗ୍ୟ ଚିକିତ୍ସକ ହେତୁ ରୋଗ ନାହିଁ ଦେଶେ

ଭୁଞ୍ଜି ମହୀ ଭୋଗୁଛନ୍ତି ପ୍ରଜାବର୍ଗ

ଖେଳୁଛନ୍ତି ଛାମୁ ଗୁଣ ଗାଇ।

ବିଦ୍ୟାଳୟ ଛାତ୍ରାବାସ ପରିଚାଳନାରେ

ନଘଟଇ କ୍ଷତି,ଜାଣ କ୍ଷିତିପତି

ବହୁଛି ଶିକ୍ଷାରୂପିଣୀ ନଈ,

କର୍ମଚାରୀଙ୍କ କର୍ମରେ ଭ୍ରମେ ତ୍ରୁଟି ଦିନେ

ନ ଦେଖିବେ ଡୋଳେ

ନ ଶୁଣିବେ ତିଳେ

ଶ୍ରୁତିବିଳେ,ବଇଷ୍ଣବ କହି।”

ଓଡ଼ିଆ ଯାତ୍ରାକୁ ଆଧୁନିକ ଯାତ୍ରାରେ ପରିଣତ କରିଥିବା ଗଣକବି ବୈଷ୍ଣବ ପାଣି ଜଣେ ଉଚ୍ଚକୋଟୀର ସାହିତ୍ୟ ସ୍ରଷ୍ଟା ଥିଲେ।

‘ଅଶ୍ଵମେଧ ଯଜ୍ଞ ସୁଆଙ୍ଗ’ ରେ ଉର୍ମିଳା,ସୁକ୍ରୀତା ଓ ସୀତାଙ୍କ ପ୍ରବେଶ,ଭଉଣୀମାନଙ୍କ ଉକ୍ତି ଅତ୍ୟନ୍ତ ତାତ୍ତ୍ଵିକ ଓ ମନଛୁଆଁ।

(ସୈରିନ୍ଧ୍ରି ମୋର ସଙ୍ଗେ ଆସ-ବୃତ୍ତେ)

“ଭଉଣୀ!ନ ପଡ଼େ କି ମନେ,କହ ଯିବ କେବେ ତପୋବନେ।

ଋଷିପତ୍ନୀ ଦେଖି ଖୁସିହେବ ବୋଲି ବୋଲୁଥିଲ ପରା ଦିନେ।ପଦ।”

‘କଂସ ଦିଗବିଜୟ ସୁଆଙ୍ଗ’ ରେ

“ଭାଷ ହେ ଅକ୍ରୁର ନାଶ ମୋ ସନ୍ଦେହ କି ଅସାଧ୍ୟ ଅଛି ମୋହର।

କହ ପୁରୋହିତ ସାରା ତପୋବନ୍ତ ତା ଗର୍ବ କରିବି ସଂହାର।ପଦ।

ଅର୍ଘା ବକା ଷଣ୍ଢ ବ୍ଯୋମା ଓ ଧେନୁକା,କେଶୀ ଶକଟା ଆବର

ରଣରଙ୍କା କୁଟ ମୁଷ୍ଟିକ ଚାଣୁର ସକଳ ପାଶେ ଖଟୁଛନ୍ତି ଆଠପ୍ରହର।୧।”

‘ବୀରସେନ ଡଗର ଆସିବା ଗୀତ’ରେ କାଞ୍ଜି ମହିମା ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।

“ଧନ୍ୟ ଧନ୍ୟ ଧନ୍ୟରେ କାଞ୍ଜି, ତୋର ଗୁଣ କିଏ ପାରିବ ଶୁଝି,

ଶୀତ ତୋର ମିତ ତୁ ତାହାକୁ ହିତ 

ପିତ୍ତ ପଳାଇବ ରାଇଜ ତେଜି।ପଦ।

***

ଗୋଳେଇ ଗିଳିଲେ ଭାତରେ,ଗଡୁଥାଉ ପେଟ ଭିତରେ,

ରାଗ ଲୁଣ ଭାଗ ଅଳପ ହେଲେ ରେ ମରୁଥାଉ ତାକୁ ଆଗରୁ ଖୋଜି।୪।

କାଞ୍ଜି ତୋର ଏଡେ ଗାରିମା,

ନ ପାଇଲେ ସାବିତ୍ରୀ ଉମା,

ବଈଷ୍ଣବ କବି ଚିହ୍ନିଚି ତୋ ମଜା ଦିନ ରାତି ତୁଣ୍ଡେ ମରଇ ଭଜି।୫।”

ଥରେ ବାଦି ପାଲା ମଞ୍ଚରେ ପ୍ରତିପକ୍ଷ ଗାୟକ, ବୈଷ୍ଣବ ପାଣି ଙ୍କୁ ଗୁରୁ ନଧରି ପାଲା ଗାଉଥିବା କଥା କହିବାରୁ ସେ ତାଙ୍କ ପାଳି ରେ ଗାଇଲେ,

“ଗୁରୁ ବ୍ରହ୍ମା ବିଷ୍ଣୁ ଶିବରେ-ଆରେ ବାଇଆ ମନ

ତ୍ରିବୀଜ ରୂପେ ସେ ଘଟେ ଘଟେ ରହି ବୁଝୁଛନ୍ତି ହାନି ଲାଭରେ”।

ଥରେ ପାଲା ଗାଉଥିବା ବେଳେ ଦର୍ଶକ ମାନଙ୍କ ତରଫରୁ ରେଳଗାଡ଼ି ବିଷୟରେ ଗୀତ ବୋଲିବାକୁ ଫରମାସ ହେଲା। ବୈଷ୍ଣବ ପାଣିଙ୍କ ପ୍ରତିପକ୍ଷ ଗାୟକ ଗାଇ ପାରିଲେ ନାହିଁ। ବୈଷ୍ଣବ ପାଣି ତାଙ୍କ ପାଳି ପଡ଼ିବାରୁ ଗାଇଲେ,

”ଧନ୍ୟ ଧନ୍ୟ ଫିରିଙ୍ଗି ଯୋଡ଼ି

ଶୂନ୍ଯେ ଚଳାଉଛି ରେଳଗାଡ଼ି।ଘୋଷା।

ଯୋଚା ନାହିଁ ହାତୀ ଘୋଡ଼ା ବଳଦ 

କେବଳ ଅଗ୍ନିକୁ କରିଛି ସାଧ୍ୟ,

କଳ ମୋଡି ଦେଇ ଯେବେ ଦିଏ ତାଇ 

ପବନହୁଁ ଖରେ ଯାଉଛି ଉଡି।

ଦୁଇ ପାଖେ ଦୁଇ ଟିକସ ଘର ମାପି ପକାଇଛି ଲୁହା ଜଂଜିର

ଦୁଇ ପାଖେ ତାର ଲାଗିଛି ଖବର, 

ହଜାର ପହରା ଘଡିକି ଘଡି।

ଧୁଆଁ ଉଠୁଥାଇ ଯେହ୍ନେ ବଉଦ,

ପାଞ୍ଚ କୋଶକୁ ଶୁଭେ ଶବଦ

ଲାଗିଅଛି ଚକ ପଡ଼ିଛି ସଡ଼କ, ଲୁହା କଡ଼ି ପରେ ଯାଉଛି ଗଡ଼ି।

ରଙ୍କି ଦୁଃଖୀ ସବୁ ରାସ୍ତା ଛାଡିଗଲେ 

ରେଳଗାଡ଼ି ଗଲେ ବିଦେଶ ଚଢି

ବଇଷ୍ଣବ ବୋଲେ ଡକାୟତ ମଲେ 

କୋଶକୁ ନେଉଛି ପଇସା ଯୋଡି।”

ବୈଷ୍ଣବ ପାଣିଙ୍କର ଥରେ କଙ୍କଡା ଖାଇବାକୁ ଇଚ୍ଛା ହେବାରୁ ସେ କନିକା ରାଜାଙ୍କୁ ସିଧାସଳଖ ନକହି କବିତାରେ ସୂଚାଈ ଦେଲେ।

” ଦଶ ଗୋଡ଼ରେ ଯେ କରନ୍ତି ଗତି,

ପାଣିରେ ବାସ ଯାହାଙ୍କର ନିତି।

ଶିରା ନାସ୍ତି ଚିରକାଳ ଯାହାଙ୍କ,

କରତ ଧାରପରି ଚାରିପାଖ।

ପାଣି ବସିଅଛି ପାଣି ପ୍ରସାରି,

ପାଣିଫଳକୁ ବଡ଼ ଆଶାକରି।”

ବାଲିକୁଦ ଜମିଦାର ସରୋଜିନୀ ଦାସ ଙ୍କ ଅନୁରୋଧକ୍ରମେ ସେ ଗୋଟିଏ ଯାତ୍ରାଦଳ ଗଠନ କରିଥିଲେ ଓ ଅନେକ କବିତା ରଚନା କରି ସରୋଜିନୀ ଙ୍କୁ ଦେଇଥିଲେ।

କବି ସପ୍ତାହ ଭାଗବତ ମାହାତ୍ମ୍ୟରେ ନିଜର ପରିଚୟ ଦେଇ ଲେଖିଛନ୍ତି,

“ଭକ୍ତ ତାରଣେ ଜଗନ୍ନାଥ।

ବାହାରେ ବାନ୍ଧିଅଛ ନେତ।

ମୁଁ ଯେ ଅଟଇ ନିରାଶ୍ରିତ।

ପଡ଼ିଛି ହୋଇଣ ପତିତ।

କଷ୍ଟେ ପତିତ ମରେ ଯେବେ।

ଏ ନାମ ନରହିବ ଭବେ।

ଛିଡିବ ପତିତପାବନ।

ବାନାଟି ଜଗତ ଜୀବନ।

ଏ ଦେହ ପ୍ରାଣ ତବ ପାଦେ।

ସମର୍ପି ଅଛି ଅପ୍ରମାଦେ।

ତୁମ୍ଭରି ଧନ ତୁମ୍ଭେ ରଖ।

ହେ ପ୍ରଭୁ କାଳିଆ ଶ୍ରୀମୁଖ।

ଫେଡିଣ ନୟନ ପଟକୁ।

ଅନାଅ ବିରୂପା ତଟକୁ।

ତୁମରି ସଖା ବନ୍ଧୁ ଭାଇ।

ତୁମ୍ଭ ସନ୍ତାନ ହେ ଗୋସାଇଁ।

ତୁମେ ତ ତାତ ମାତ ଗୁରୁ।

ପୁତ୍ର ଭାରିଜା ମହାମେରୁ।

ବହନ କରି ପାଣି ଆଖ୍ୟା।

ଜଠର ପୋଷେ ମାଗି ଭିକ୍ଷା।

ଉତ୍କଳେ ବଇଷ୍ଣବ ନାମ।

ଦେଇଣ ତିଳେ ନୁହ ବାମ।”

 ତାଙ୍କ ରଚିତ ଗ୍ରନ୍ଥ ମାନଙ୍କ ମଧ୍ୟରେ ଉତ୍କଳଲକ୍ଷ୍ମୀ, ଦୁଃଖିନୀ ଗୋବର ଗୋଟେଇ, ଦ୍ଵାଦଶ କୁମାରୀ ଚରିତ, ଦ୍ଵାଦଶ କୁମାର ଚରିତ, ବିଂଶ କୁମାରୀ ଚରିତ, ବିଂଶ କୁମାର ଚରିତ,ସୁଵଳ ମିଳନ, ପ୍ରଭାସ ଯଜ୍ଞ,ସମର ସଙ୍ଗୀତ ଆଦି ଅତ୍ୟନ୍ତ ମନୋମୁଗ୍ଧକର।

ସେ ତାଙ୍କ ଆତ୍ମଜୀବନୀରେ ପ୍ରାଥମିକ ଅବସ୍ଥାରେ ତାଙ୍କ ଯାତ୍ରା ଦଳ ବିଷୟରେ ଲେଖିଛନ୍ତି,”କେବଳ ମାତ୍ର ମୋର ଦଳଟି କଟକ, ପୁରୀ ଇତ୍ୟାଦିରେ ଶ୍ରେଷ୍ଠ ଦଳ ବୋଲାଉଥାଏ।”

 ତାଙ୍କର ଚୀର ଶାଶ୍ଵତ ଅମୂଲ୍ୟ ଅବଦାନ ପାଇଁ ସେ ସଦାସର୍ବଦା ସ୍ମରଣୀୟ ହୋଇ ରହିଛନ୍ତି।ଗଣ ବିନୋଦନ ପାଇଁ ଉଦ୍ଦିଷ୍ଟ ଗଣନାଟ୍ୟକୁ ସେ କେବଳ ଆଧୁନିକ କରି ନାହାନ୍ତି, ତାକୁ ଶିଳ୍ପବିଭବମଣ୍ଡିତ କରିଛନ୍ତି।

୧୯୫୬ ମସିହା ବୈଶାଖ ଅମାବାସ୍ୟା ତିଥି,ମଇ ୧୦ ତାରିଖରେ ତାଙ୍କର ପରଲୋକ ଘଟିଥିଲା।

ଆଜି ତାଙ୍କ ଜନ୍ମଦିନରେ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରୁଅଛୁ  ।।

ଆଲେଖ୍ୟ::

ବାବାଜୀ ଚରଣ ଦାସ, ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।