ଓଡିଆ ସାହିତ୍ୟ ର କିମ୍ୱଦନ୍ତି ପୁରୁଷ ଫକୀର ମୋହନ ସେନାପତି ।।

୧୮୪୩ ମସିହା ଜାନୁଆରୀ ୧୩ ତାରିଖ, ପବିତ୍ର ମକର ସଂକ୍ରାନ୍ତି ଦିନ, ବାଲେଶ୍ଵର ଜିଲ୍ଲା ମଲ୍ଲିକାଶପୁର ଗାଁ ର ଲକ୍ଷ୍ମଣ ଚରଣ ସେନାପତି ଓ ତୁଳସୀ ଦେବୀ ଙ୍କ ଠାରୁ ଆଧୁନିକ ଓଡ଼ିଆ ସାହିତ୍ୟର ଜନ୍ମଦାତା ଫକୀରମୋହନ ସେନାପତି ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ପାଞ୍ଚ ମାସ ହୋଇଥିଲା ବେଳେ ତାଙ୍କ ପିତା ଓ ୧୯ ମାସ ହୋଇଥିଲା ବେଳେ ତାଙ୍କ ମାତାଙ୍କ ଦେହାନ୍ତ ହୋଇଥିଲା। ବାଲ୍ୟ କାଳ ରୁ ତାଙ୍କ ଲାଳନ ପାଳନ ର ଦାୟିତ୍ଵ ତୁଲାଇଥିଲେ ତାଙ୍କ ଜେଜେମା କୋଚିଳା ଦେବୀ।
ଦ୍ଵିତୀୟ ଶ୍ରେଣୀ ଅଧାରୁ ହିଁ ଫକୀରମୋହନ ବାରବାଟି-ବଙ୍ଗୋତ୍କଳ ବିଦ୍ୟାଳୟ କୁ ଯିବା ବନ୍ଦ କରି ଘରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ସ୍ନେହମୟୀ ଠାକୁରମା କିନ୍ତୁ କହୁଥାନ୍ତି, ” ପାଠ ତୋର କ’ଣ ହବ ରେ? ବଞ୍ଚି-ବର୍ତ୍ତି ପଡି ଥା ତୁ ।କେତେ ଟଙ୍କା ରୋଜଗାର କରି ଆଣିବୁ।”
ଏକ ଐତିହାସିକ ଜାତିର ପ୍ରିୟ ମାତୃଭାଷା ଯେତେବେଳେ ଅନ୍ଧକାର ମୟ ସଙ୍କଟ ର ସମ୍ମୁଖୀନ ହୋଇଥିଲା, ସ୍କୁଲ, କଲେଜରେ ପଢି ନଥିବା ‌ଫକୀରମୋହନ ନିଜ ଅବାରିତ ଜିଜ୍ଞାସା ପ୍ରବୃତ୍ତି ରୁ କାବ୍ୟ,କବିତା, ପ୍ରବନ୍ଧ, ଗଳ୍ପ, ଉପନ୍ୟାସ ସର୍ଜନା କରି, ସେଥିରେ ସ୍ଵକୀୟ ଅନନ୍ୟତା ର ସ୍ଵାକ୍ଷର ରଖି ଏକ ନୂତନ ଯୁଗ ସୃଷ୍ଟି କରିପାରିଲେ।
ଭାଷା ଆନ୍ଦୋଳନ ସମୟରେ ଫକୀରମୋହନ ଙ୍କ ଅମର ଲେଖନୀ ରୁ ନିଃସୃତ ହୋଇଥିଲା,
“ଗରୀବ ଓଡ଼ିଆ କହି ନଜାଣନ୍ତି କଥା
ତୁନି ହୋଇ ରହିଗଲେ ପୋତି ତଳେ ମଥା
ମାତ୍ର ମୁହିଁ ତାଙ୍କ କୀର୍ତ୍ତି ଗାଇବି ନିତ୍ଯାନ୍ତ
ଓଡ଼ିଆ ଭାଷାର ହାଣି ଦେଇଛନ୍ତି ହାତ।”
ମାଟିର ଶ୍ରେଷ୍ଠ କଥାକାର ଫକୀରମୋହନ, ତାଙ୍କ ଜନ୍ମ ସ୍ଥାନ କୁ କେବେବି ଭୁଲି ଯାଇ ନଥିଲେ।”ମୋ ଗ୍ରାମ ମଲ୍ଲିକାଶପୁର” ନାମକ ଏକ କବିତା ରେ ଅତି ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି,
“ସ୍ଥାନେ ସ୍ଥାନେ ଭ୍ରମି ଭ୍ରମି ଦେଖିଲେ ଜୀବନେ
ସେ ଗ୍ରାମ ଚିତ୍ର ଟି ମାତ୍ର ଭାସୁଛି ନୟନେ ,
ଥାଏ ଯହିଁ ଯାଏ ଯହିଁ ପଡଇ ମନରେ
ବଳେ ମନ ଧାଇଁ ଯାଇ ଦେଖିଆସେ ଥରେ।

ସେ ଗ୍ରାମର ଦାଣ୍ଡେ ଅଛି ଯେଉଁ ବାଲି ଧୂଳି
ପିଲା ଖେଳବେଳେ ହେଉଥିଲି ଦେହେବୋଳି।
ଯାଇଛି ସେ ଗ୍ରାମେ ଭାସି ମୋ ହୃଦୟ ଧନ
ତଥାପି ସେ ସ୍ଥାନେ ଯିବାପାଇଁ ଧାଏଁ ମନ।
ମୋ କାନକୁ ଶୁଭେ ତାହା ନାମ ସୁମଧୁର।
ସେ କ୍ଷୁଦ୍ର ଗ୍ରାମର ନାମ ମଲିକାଶପୁର।”
ତାଙ୍କ ଠାକୁର ମା’ଙ୍କ ପରଲୋକ ଗମନ ରେ ସେ ଲେଖିଛନ୍ତି, “ମୋ ଜୀବନ ରକ୍ଷା ପାଇଁ ସେ ଯେଉଁ କଷ୍ଟ ଭୋଗ କରି ଯାଇ ଅଛନ୍ତି, ତାହା ବର୍ତ୍ତମାନ ସ୍ମରଣ କଲେ, ପ୍ରାଣରେ ଦାରୁଣ ଯନ୍ତ୍ରଣା ଜାତ ହୁଏ।….ଗାଇ ପଡ଼ିଆରେ ଚରୁଥିବା ସମୟରେ ଆପଣା ବାଛୁରୀ ପ୍ରତି ଯେମନ୍ତ ଦୃଷ୍ଟି ରଖିଥାଏ, ସେହିପରି ଠାକୁରମା ଯେ କୌଣସି କାର୍ଯ୍ୟ ରେ ନିଯୁକ୍ତ ଥାଆନ୍ତୁ ପଛକେ,ମୋ ପରେ ତାଙ୍କର ଦୃଷ୍ଟି ରହିଥାଏ।”
୧୮୬୬ ମସିହା ର‌ ଭାଷା ଆନ୍ଦୋଳନ ସମୟରେ ଫକୀରମୋହନ ସେନାପତି, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ରାଧାନାଥ ରାୟ ଙ୍କ ସହ ଜନ୍ ବିମ୍ସ ଓ ରାଜା ବୈକୁଣ୍ଠନାଥ ଦେ ମଧ୍ୟ ସହଯୋଗ କରୁଥିଲେ। ଜନ୍ ବିମ୍ସ ବାଲେଶ୍ଵର ରେ ଫକୀରମୋହନ ଙ୍କ ପ୍ରଚେଷ୍ଟା ରେ ଓଡ଼ିଆ ଶିକ୍ଷା କରିଥିଲେ। ଫକୀରମୋହନ ଲେଖିଥିଲେ,
“ତଳିତଳେ ଲୁଣ କୋଟିଏ ମହଣ
ଆଉ ମୋହ କଥା ଶୁଣ
ବୋଇଲେ କି ହେବ ଖାଇବାକୁ ହେବ
ଲିଭରପୁଲରୁ ଲୁଣ ।
ଜନ୍ ବିମ୍ସ ନିଜ ମତାମତ ସହ ଲୋକ ମାନଙ୍କ ସମସ୍ୟା ଲେଖି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ଜନ୍ ବିମ୍ସ, ତାଙ୍କ ପ୍ରବନ୍ଧରେ ବଳରାମ ଗଡ଼ି, ଚାନ୍ଦିପୁର କଥା ଉଲ୍ଲେଖ କରିଛନ୍ତି। ତାଙ୍କ ପୁସ୍ତକ ମାନଙ୍କ ମଧ୍ୟରେ Comparative Grammar of the Modern Asian Languages of India in five languages including Oriya ଅନ୍ୟତମ।
The ruin of Kupari, More Buddhist Remain in Orissa(1872) ପୁସ୍ତକ ମଧ୍ୟ ରଚନା କରିଥିଲେ। ଫକୀରମୋହନ ତାଙ୍କ ଆତ୍ମ ଜୀବନୀ ଚରିତ ରେ ବିମସ୍ ଙ୍କ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି,”ସାକ୍ଷାତରେ ସାହେବଙ୍କ ସହିତ ସଚରାଚର ଭାଷା ସମ୍ବନ୍ଧରେ ଚର୍ଚ୍ଚା ହୋଇଥାଏ। କେଉଁ ଦିନ ସଂସ୍କୃତ ଶ୍ଲୋକ, କେବେ ବା ବଙ୍ଗଳା ପଦ୍ଯ , ଓଡ଼ିଆ ରସକଲ୍ଲୋଳ,ସାପମନ୍ତ୍ର,ଡାହାଣୀ ମନ୍ତ୍ର ଏହି ସମସ୍ତ ବିଷୟରେ କଥୋପକଥନ ହୋଇଥାଏ। ବାଲେଶ୍ଵର ରେ ସ୍ତ୍ରୀ ଶିକ୍ଷା ପ୍ରଚାର ଓ ଉତ୍କଳ ଭାଷାର ରକ୍ଷା ଓ ପୁଷ୍ଟି ସାଧନ ବିଷୟରେ ମୁଁ ବିମସ୍ ସାହେବଙ୍କ ଠାରୁ ଯଥେଷ୍ଟ ସାହାଯ୍ୟପ୍ରାପ୍ତ ହୋଇଅଛି।” ଜନ୍ ବିମସ୍ ଓଡ଼ିଆ ଭାଷା ସପକ୍ଷରେ ଲେଖିଥିଲେ, ” ଯଦି ଅଳ୍ପ ସଂଖ୍ୟକ ଲୋକ କହନ୍ତି ବୋଲି ସ୍ଵତନ୍ତ୍ର ଭାଷା ହିସାବରେ ଓଡ଼ିଆ ର ପ୍ରୟୋଜନ ନାହିଁ, ତେବେ ଅନ୍ୟ ମାନଙ୍କ ପ୍ରତି ସେହି ଯୁକ୍ତି ପ୍ରଯୁକ୍ତ ହୋଇ ପାରିବ ଏବଂ ଡଚ୍,ଡାନିସ୍ ଓ ପର୍ତ୍ତୁଗ୍ରୀଜ୍ ଭାଷାକୁ ମଧ୍ୟ ସ୍ଵତନ୍ତ୍ର ଭାଷା ରୂପେ ରହିବାର ଅବକାଶ ରହିବ ନାହିଁ। ଏହି ସବୁ ନୀତି ଅତ୍ୟନ୍ତ ପିଲାଳିଆ, ରାଜନୀତି ପ୍ରଣୋଦିତ ଓ ଅଭିସନ୍ଧି ମୂଳକ।” ୧୮୮୦ ରେ ମୁଦ୍ରିତ “ରାମାୟଣ ବାଳକାଣ୍ଡ” ପୁସ୍ତକ, ଜନ ବିମସ୍ ଙ୍କୁ ଉତ୍ସର୍ଗ କରି ଫକୀରମୋହନ ଲେଖିଥିଲେ, ” To John Beams Esquire B.C.S./Honoured Sir/I beg most respectfully to dedicate this work to you as a token of the affectionate gratitude which Orissa has always felt towards you for the intelligent and heartfelt interest you have evinced in the improvement of the Oriya language and in the welfare of her people.” ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଜନ୍ ବିମସ୍ ଓଡ଼ିଆ ଭାଷା ଓ ଓଡ଼ିଆ ଭାଷୀ ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭଚିନ୍ତକ ଥିଲେ। ଫକୀରମୋହନ ଙ୍କ “ରାଜପୁତ୍ର ର ଇତିହାସ” ନାମକ ଆଦ୍ୟ ସୃଷ୍ଟି କୁ ମୁଦ୍ରିତ କରାଇବା ପାଇଁ କଟକ ର ବାପ୍ଟିଷ୍ଟ ମିଶନ ପ୍ରେସ, ଚାରି ଶହ ଟଙ୍କା ର ଏଷ୍ଟିମେଟ ଦେଇଥିଲା। ସେତେବେଳ ଯାଏଁ ଏକାବେଳେ ଏତେ ଗୁଡା ଟଙ୍କା ସେ ‌ହାତରେ ଧରି ନଥିଲେ। ସେହି କାରଣରୁ ଓଡ଼ିଆ ଭାଷା, ଫକୀରମୋହନ ଙ୍କ ଆଦ୍ୟସୃଷ୍ଟି “ରାଜପୁତ୍ରର ଇତିହାସ” କୁ ଚିରକାଳ ହରାଇ ବସିଲା। ଟଙ୍କା ବଳ, ବୁଦ୍ଧି ବଳ ଓ ଲୋକ ବଳ କୁ ଏକତ୍ରିତ କରି ଆଗକୁ ବଢିବା ନିମନ୍ତେ ଆଧୁନିକ ଓଡ଼ିଶାର ଇତିହାସ ରେ ଓଡ଼ିଆ ସାହିତ୍ୟ ର ଉନ୍ନତି କଳ୍ପେ ବାଲେଶ୍ବର ସହରରେ ଏକ ପାଞ୍ଚ ଜଣିଆ ଆଦ୍ଯତମ କମିଟି ଗଠନ ହେଲା। କମିଟି ସ୍ଥିର କଲା, ପ୍ରଥମେ ରସକଲ୍ଲୋଳ କାବ୍ୟ ଛପା ଯିବ।ଏକ କମ୍ପାନୀ ଗଠନ କରି କମ୍ପାନୀ ର‌ ଏକ ଅଂଶ ର ମୂଲ୍ୟ ରଖାଗଲା ଯୋଡିଏ ଟଙ୍କା ।ପରେ ସ୍ଥିରୀକୃତ ହେଇଥିଲା ଯେ କଟକର ଗୈାରୀଶଙ୍କର ରାୟ ଙ୍କ ପ୍ରିଣ୍ଟିଂ କମ୍ପାନୀ ପରି ଏକ ପ୍ରେସ କମ୍ପାନୀ ଠିଆ କରାଯିବ। ଫକୀରମୋହନ ଙ୍କ ଭାଷାରେ,”ମାତ୍ର ପ୍ରେସ କି ପଦାର୍ଥ, ସେଇଟା ମାଟିରେ କି କାଠରେ ତିଆରି, ସେଥିପାଇଁ କି କି ପଦାର୍ଥ ପ୍ରୟୋଜନ ଓ ପ୍ରେସ ସ୍ଥାପନ କରିବାକୁ କେତେ ଟଙ୍କା ଆବଶ୍ୟକ,ଏ ସମ୍ବନ୍ଧରେ ବିନ୍ଦୁ ମାତ୍ର ଜ୍ଞାନ ଆମ୍ଭମାନଙ୍କ ମଧ୍ୟରୁ କାହାରି ଜଣକର ନଥିଲା। ଆମ୍ଭମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ପ୍ରେସ ସମ୍ବନ୍ଧୀୟ କୈାଣସି ପଦାର୍ଥ ଦେଖି ନଥିଲେ।” ଫକୀରମୋହନ ଙ୍କ ନେତୃତ୍ବରେ ଚାରି ଜଣ କମିଟି ମେମ୍ବର ମୂଳଧନ ସଂଗ୍ରହ ପାଇଁ ବାହାରିପଡି ସହର ମଧ୍ୟରେ ଥିବା ଯେତେ ମହାଜନ, ଜମିଦାର, ଅମଲା ପ୍ରଭୁତି ଙ୍କ ଠାରୁ ଚାରି ପାଞ୍ଚ ମାସ ଅବିଶ୍ରାନ୍ତ ପରିଶ୍ରମ କରି ବାରଶହ ଟଙ୍କା ଆଦାୟ କରିପାରିଲେ। ଫକୀରମୋହନ ନିଜ ଖର୍ଚ୍ଚରେ ନିଜ ମାମୁଁ ପୁଅକୁ କମ୍ପୋଜିସନ୍ ଓ ପ୍ରିଣ୍ଟି୍ଂରେ ତାଲିମ୍ ନେବା ପାଇଁ କଲିକତା ପଠାଇଥିଲେ। ସେ କଲିକତା ରେ ବର୍ଷେକାଳ ବୁଲିବୁଲି ଏହି ଖବର ଦେଲା ଯେ ଗୋଟିଏ ପ୍ରେସ ସ୍ଥାପନ ପାଇଁ ଅକ୍ଷରାଦି ସରଞ୍ଜାମ ବାବଦରେ ଆଠ ଶହ ଓ ମେସିନ ଟି ଆଠ ଶହ ଟଙ୍କା ରୁ କମ୍ ରେ ମିଳି ନପାରେ।ଏଣେ ସଂଗୃହିତ ମୂଳଧନ ମାତ୍ର ବାରଶ ଟଙ୍କା। ତେଣୁ ଫକୀରମୋହନ ଖୋଜିବାକୁ ଲାଗିଲେ, କିପରି ସେ ଶସ୍ତାରେ ଗୋଟେ ମେସିନ ପାଇବେ। ମେଦିନୀପୁର ରେ ଥିବା ମିଶନାରୀ ମାନଙ୍କ ପାଖରେ ଏପରି ଏକ ସେକେଣ୍ଡ ହାଣ୍ଡ୍ ମେସିନ ଥିବାର ସନ୍ଧାନ ପାଇ, ବୁଝାବୁଝି କରି ଜଣାଇବା ପାଇଁ, ସେଠାରେ ଥିବା ଜଣେ ବନ୍ଧୁଙ୍କ ପାଖକୁ ଚିଠି ଲେଖିଲେ । କିନ୍ତୁ ସେ, ତାଙ୍କ ବନ୍ଧୁ ଙ୍କ ପାଖରୁ ଉତ୍ତର ପାଇବାର ବହୁ ଆଗରୁ ମିସନାରୀ ମାନଙ୍କ ଠାରୁ ମେସିନ ଆସି ତାଙ୍କ ଦୁଆରେ ହାଜର।ମୂଲ୍ଯ ମାତ୍ର ଦେଢ଼ଶହ ଟଙ୍କା। ଫକୀରମୋହନ ଙ୍କ ଭାଷାରେ “କଳଟି ଦେଖି ଆମ୍ଭମାନଙ୍କର ଆନନ୍ଦ ର ସୀମା ରହିଲା ନାହିଁ।ବୋଧକଲୁଁ, ଆଜିକାଲି ଖଣ୍ଡିଏ ବିଶାଳ ଜମିଦାରି ହଠାତ୍ ହସ୍ତଗତ ହେଲେ ସେପରି ଆନନ୍ଦ ଜାତ ହେବା ଅସମ୍ଭବ।” ମେସିନ ଆସିଗଲା। ତେଣେ ଜାହାଜରେ କଲିକତା ରୁ ଅକ୍ଷରାଦି ସରଞ୍ଜାମ ଆସିଗଲା। ବାଲେଶ୍ଵର ମୋତିଗଞ୍ଜ ବଜାର ରେ ବଡବାପା ଙ୍କର ଗୋଟିଏ କୋଠାକୁ ପ୍ରେସ ପାଇଁ ଭଡା ନେଲେ। ସେହି କୋଠାଘରେ ଛାପାକାର୍ଯ୍ଯ ଆରମ୍ଭ ହେବାର ଉଦ୍ୟୋଗ ପର୍ବ ଆରମ୍ଭ ହେଲା। ପ୍ରିଣ୍ଟରଙ୍କୁ ସାହାଯ୍ୟ କରିବା ପାଇଁ ଛ ଜଣ ଲୋକ ନିଯୁକ୍ତ ହେଲେ।ସୁଦକ୍ଷ ପ୍ରିଣ୍ଟର ବାବୁ ଏମାନଙ୍କୁ କାମ ଶିଖାଇବେ।ଯେଉଁ ଦିନ ଛାପାକାମ ଆରମ୍ଭ ହେବ, ତାହା ଆଗରୁ ଘୋଷଣା କରାଯାଇଥିଲା। ତେଣୁ ,ଛାପାର କିମ୍ଭୁତ କିମାକାର ରୂପ ସ୍ବଚକ୍ଷୁରେ ଦେଖିବାପାଇଁ ମୋତିଗଞ୍ଜ ବଜାର ର ଅଧାଅଧି ଦୋକାନ ବନ୍ଦ। ସହର ର ବଡ଼ ବଡ଼ ଲୋକମାନେ ମଧ୍ୟ ଛାପା ଦେଖିବାକୁ ଆସିଛନ୍ତି। ଛାପାଖାନା ଆଗ ସଡ଼କ ରେ ଜନତା ପୂର୍ଣ୍ଣ। ବାଟୋଇ ମାନଙ୍କ ଗମନାଗମନ ବନ୍ଦ। କିନ୍ତୁ ତାହା ବିସ୍ତୀର୍ଣ୍ଣ କାଗଜ ଉପରେ କେବଳ ମେଞ୍ଚା ମେଞ୍ଚା କାଳି, ଗୋଟିଏ ବୋଲି ଅକ୍ଷର ଦେଖାନାହିଁ ତହିଁରେ। ଫକୀରମୋହନ ଙ୍କ ଉପରେ ଜନତା ପକ୍ଷରୁ ଶତଶତ ପ୍ରଶ୍ନ ବାଣ – ଛାପା କାହିଁ? ଫକୀରମୋହନ ଙ୍କୁ ପୃଥିବୀ ଅନ୍ଧକାର ମୟ ଦେଖାଯାଉଛି। ଲଜ୍ଜା ଓ ମନକଷ୍ଟ ରେ ମୁହଁ ରୁ କଥା ବାହାରୁ ନାହିଁ। ତେବେ ଅସାଧାରଣ ପ୍ରତ୍ଯୁତ୍ପନ୍ନମତି ଫକୀରମୋହନ ନିଜ ଭିତରେ ସକଳ କ୍ରୋଧ ଓ ନୈରାଶ୍ୟ କୁ ସଂଜତ କରି ନେଇ ଜନତା କୁ ଉତ୍ତର ଦେଲେ- ଆଜି କାଗଜ ରେ କେବଳ କାଳି ଦିଆଗଲା।ଏ ଉତ୍ତାରୁ ଏହି ସବୁ କାଳି ହିଁ ଅକ୍ଷର ପାଲଟି ଯିବ। ବର୍ତ୍ତମାନ ଗୋଟିଏ ନୂଆ ମେସିନ ନ ଆଣିଲେ ବାଲେଶ୍ଵର ରେ ମୁଖରକ୍ଷା ଅସମ୍ଭବ।ଏଣେ ସଂଗୃହିତ ଅର୍ଥ ଶେଷ। ପୁଣି ଚାନ୍ଦା ମାଗିବା କୁ ଯିବା ମାନେ, ଟଙ୍କା ତ ମିଳିବ ନାହିଁ, ଅଧିକନ୍ତୁ ତିରସ୍କାର ପ୍ରାପ୍ତି ଅନର୍ବାର୍ଯ୍ଯ। ଫକୀରମୋହନ ତାଙ୍କ ଆତ୍ମ ଜୀବନୀ ରେ ଲେଖିଛନ୍ତି, “ଏତେ ଟଙ୍କା କାହୁଁ ଆସିବ? ଜ୍ୟେଷ୍ଠ ମାସିଆ ସମୟ-ପ୍ରଚଣ୍ଡ ଖରା-ଦିବାରାତି ଧାଁ ଦଉଡ- ଦୁର୍ଭାବନା, ଅନିୟମିତ ଆହାର ଓ ନିଦ୍ରା ହେତୁରୁ ଦିନକୁ ଆଠଦଶ ଥର କରି ରକ୍ତ ଝାଡା ହେବାକୁ ଲାଗିଲା…..ସେ ସମୟରେ ଅନେକ ଦିନ ରାତି ୯ଟା ବେଳେ ପ୍ରେସ ରୁ ବାହୁଡି ଆସି ଘରେ ପହଞ୍ଚିବା ମାତ୍ରେ ଚେତା ବୁଡ଼ି ଯାଏ।.…ଏହି ଘୋର ଦୁର୍ଦ୍ଦିନ ରେ ପଡ଼ି ମନ ମଧ୍ୟରେ ପ୍ରତିଜ୍ଞା କଲି- -ପ୍ରେସ ସ୍ଥାପନ , ନଚେତ୍ ଜୀବନ ତ୍ୟାଗ…. ( କିନ୍ତୁ) କୈାଣସି ସାଧୁ କାର୍ଯ୍ୟରେ ନିଃସ୍ଵାର୍ଥପର ଭାବରେ ପ୍ରାଣପଣେ ଲାଗି ପଡ଼ିଲେ ଦୟାମୟ ପ୍ରଭୁ ସହାୟ ହୁଅନ୍ତି। ବାଲେଶ୍ଵର ର ଅନ୍ୟତମ ପ୍ରଧାନ ଜମିଦାର ଏବଂ ମହାଜନ ବାବୁ ମଦନମୋହନ ଦାସ ଙ୍କ ଭ୍ରାତା ବାବୁ କିଶୋରୀ ମୋହନ ଦାସ ମୋର ଜଣେ ପ୍ରକୃତ ବନ୍ଧୁ ଓ ସହାୟ ଥିଲେ। ପ୍ରାର୍ଥନା କରିବା ମାତ୍ରକେ ସେ ମୋତେ ବିନା ଲେଖାପଢ଼ାରେ ଆଠଶତ ଟଙ୍କା ଧାର ଦେଇଦେଲେ।” ଏହି ‌ଟଙ୍କାରେ ସେ ନିଜ ତତ୍ବାବଧାନରେ କଲିକତା ରୁ ଏକ ନୂତନ ସୁପର୍ ରୟାଲ ପ୍ରେସ ଅଣାଇଲେ। ଜାହାଜ ରେ ଅଣାଇଲେ ବେଶି ଦିନ ଲାଗି ଯିବ ବୋଲି ସେ କଲିକତା ରୁ ବଳଦଗାଡି ରେ ମେସିନ ଅଣାଇଲେ।ଶଗଡଟି ଦାନ୍ତୁନ ବଜାର ରେ ବର୍ଷା କାଳୀନ କାଦୁଅରେ ଏପରି ଅଟକି ଗଲା ଯେ ତାକୁ ଉଠେଇବାକୁ ପନ୍ଦର କୋଡ଼ିଏ ଲୋକ ଙ୍କୁ ଆଠ ଦିନ ଲାଗିଗଲା। ଏହି ଭଳି ମନ୍ଥର ଗତିରେ ବାଇଶି ଦିନ ରେ ମେସିନ ଆସି ବାଲେଶ୍ବର ରେ ପହଞ୍ଚିଲା।ନୁଆ ମେସିନ ଯୋଗୁଁ ଛାପା କାମ ସୁରୁଖୁରୁରେ ଚାଲିଲା। ବାଲେଶ୍ଵର ନଗରୀ ରେ ଫକୀରମୋହନ ଙ୍କ ମୁଖ ରକ୍ଷା କେବଳ ହେଲା ନାହିଁ, ତାଙ୍କର ପ୍ରତିପତ୍ତି ଆହୁରି ବଢ଼ିବାକୁ ଲାଗିଲା। ଛାପାଖାନା ଆରମ୍ଭ ହେବା ଦିନଠାରୁ ଅନେକ ମାସ ପର୍ଯ୍ୟନ୍ତ ବାଲେଶ୍ଵରବାସୀ ଦଳ ଦଳ ହୋଇ କାର୍ଯ୍ୟ ଦେଖିବାକୁ ଆସୁଥିଲେ। ରଥ ଦେଖା ଯାତ୍ରା-କାଳି ପରି ପ୍ରେସ ଦେଖିବାକୁ ଦୁଇ ତିନି ମାସ ପର୍ଯ୍ୟନ୍ତ ଲୋକଙ୍କ ଧାଡି ଛୁଟୁଥିଲା। ମଫସଲ ରୁ ଜମିଦାର ମାନେ ସବାରି ଚଢି ଛାପା ଦେଖିବାକୁ ଆସୁଥିଲେ।
‌‌ଏହି ସମୟରେ ଉତ୍କଳ ଦୀପିକା, ବୋଧ ଦାୟିନୀ ଓ ବାଲେଶ୍ଵର ସମ୍ବାଦ ବାହିକା ସହିତ ଫକୀରମୋହନ, ପାଠ୍ୟପୁସ୍ତକ, ସମ୍ବାଦପତ୍ର ଓ ସାହିତ୍ୟ ପତ୍ରିକା ର ପ୍ରକାଶନ ପାଇଁ ପ୍ରଥମ ପଦକ୍ଷେପ ସ୍ବରୂପ ବାଲେଶ୍ଵର ରେ “ପି.ଏମ୍.ସେନାପତି ଏଣ୍ଡ କୋ-ଉତ୍କଳ ପ୍ରେସ୍ ” ସ୍ଥାପନ କରିଥିଲେ। ବ୍ୟାସକବି ଫକୀରମୋହନ, ବୈକୁଣ୍ଠନାଥ ଦେ ଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ,


” ହେ ବୈକୁଣ୍ଠନାଥ ଦେ ରାଜା ବାହାଦୂର!
ସତେ ସତେ ତୁମ୍ଭେ ଜଣେ ଅଟ ବାହାଦୂର।
କରିବାକୁ ଦେଶ ଉପକାର ବୀରପଣେ,
ନଥିଲା ନହେବ ନାହିଁ ତୁମ ପରି ଜଣେ।”


ମହାରାଜା ବୈକୁଣ୍ଠ ନାଥ ଦେ ଙ୍କ ମୃତ୍ୟୁ ରେ ସେ ଲେଖିଛନ୍ତି, ” କେବଳ ମୋ କଥା ବୋଲି ନୁହେଁ, ସହର ମଧ୍ୟରେ କୈାଣସି ଭଦ୍ରଲୋକ ର ପୀଡ଼ା ସମ୍ବାଦ ଶୁଣିବା ମାତ୍ରେ ତାହା ପାଖକୁ ଧାଇଁ ଯାଇ, ତାହାର ଉପକାର କରିବାକୁ ପ୍ରସ୍ତୁତ ହେଉଥିଲେ।ବାଲେଶ୍ଵର ରେ ଶିକ୍ଷା ବିସ୍ତାର, ଉତ୍କଳ ଭାଷାର ଉନ୍ନତି ସାଧନ ଓ ସାଧାରଣ ହିତ ଜନକ କାର୍ଯ୍ୟ ରେ ମହାରାଜା ଅଗ୍ରଣୀ ଥିଲେ।”ରାମାୟଣ, ମହାଭାରତ, ହରିବଂଶ ଅନୁବାଦ କରି ଫକୀରମୋହନ ବ୍ୟାସକବି ଉପାଧି ଲାଭ କରିଥିଲେ।୧୯୧୬ ମସିହାରେ ବାମଣ୍ଡା ର ସୁରତରଙ୍ଗିଣୀ ସାହିତ୍ୟ ସମିତି ଦ୍ଵାରା ସେ ସରସ୍ବତୀ ଉପାଧି ପ୍ରାପ୍ତ ହୋଇଥିଲେ।କଟକ ରେ ଅବସ୍ଥାନ କରୁଥିବା ସମୟରେ ସେ ଛମାଣ ଆଠଗୁଣ୍ଠ ଓ ଅବସର ବାସରେ ରଚନା କରିଥିଲେ।
ଫକୀରମୋହନ ଙ୍କ ସାଙ୍ଗଠନିକ ଦକ୍ଷତା ଓ ସୃଜନଶୀଳତା ଓଡ଼ିଆ ଭାଷା କୁ ଗତିଶୀଳ କରିବା ସହିତ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଭବିଷ୍ୟତ ନିର୍ମାଣ କରିଥିଲା।ଫକୀରମୋହନ ଯେଉଁ ଗଳ୍ପ ଓ ଉପନ୍ୟାସ ମାନ ଲେଖୁଥିଲେ,ତାହା ତାଙ୍କ ନାମରେ ପ୍ରକାଶ ନକରି ଧୁର୍ଜଟି ନାମରେ ପ୍ରକାଶ କରୁଥିଲେ। ଏହି ନାମ ଟି ବାଛିଥିଲେ ତାଙ୍କ ପ୍ରିୟ ବନ୍ଧୁ ମଧୁସୂଦନ ରାଓ।”ଛମାଣ ଆଠଗୁଣ୍ଠ” ପରେ “ଅପୂର୍ବ ମିଳନ” । ସ୍ଵତନ୍ତ୍ର ପୁସ୍ତକ ଆକାରରେ ଯେତେବେଳେ ପ୍ରକାଶିତ ହେଲା, ସେତେବେଳେ ସେ ତା’ର ନାଁ ଦେଲେ “ଲଛମା”।ବ୍ୟାସକବି ଫକୀରମୋହନ ୧୯୦୫ ରୁ ୧୯୧୮ ପର୍ଯ୍ୟନ୍ତ ବାଲେଶ୍ଵର ରେ ରହିଥିଲେ। ପଲ୍ଲୀ କବି ନନ୍ଦକିଶୋର ବଳ ଙ୍କ ବିଷୟରେ ଲେଖିଛନ୍ତି, ” କବି ନନ୍ଦକିଶୋର ବଳ ବାଲେଶ୍ଵର ଜିଲ୍ଲା ସ୍କୁଲର ହେଡମାଷ୍ଟର ନିଯୁକ୍ତି ହୋଇ ଆସିଲେ। ଦୁଇ ଜଣ ଏକ ସଙ୍ଗରେ ବାସ କରିବାକୁ ଲାଗିଲୁ। ଗ୍ରୀଷ୍ମ କାଳରେ ଘର ଅଗଣାରେ ଯୋଡାଏ ଆରାମ କୁରୁଚି ପକାଇ ସନ୍ଧ୍ୟା ଠାରୁ ରାତି ୯-୧୦ ଘଣ୍ଟା ପର୍ଯ୍ୟନ୍ତ ଗଳ୍ପ କରୁଁ। ଗଳ୍ପ ର ଅଧିକାଂଶ ଉତ୍କଳ ସାହିତ୍ୟ ବିଷୟରେ। ଆମ୍ଭେମାନେ ଏକ ସଙ୍ଗରେ ଥିବା ସମୟରେ ଅନେକ ଗଳ୍ପ ଓ କବିତା ରଚନା କରିଅଛୁଁ। କିଛି କାଳ ମୋ ସହିତ ରହି ନନ୍ଦକିଶୋର ବାବୁ ଅନ୍ୟତ୍ର ଚାଲି ଗଲେ।ସେ ପ୍ରକାର ପବିତ୍ର ସୁଖମୟ ନୈଶ ମିଳନ ମୋ ଅଦୃଷ୍ଟ୍ଯରେ ଆଉ ଘଟିବ ନାହିଁ।

ଉଭୟ ସାହିତ୍ୟ ଚର୍ଚ୍ଚା ରେ ଲାଗି ରହିଥାଉ।ଉଭୟ ର କାମନା-ମାତୃଭାଷା ର ଉନ୍ନତି।”ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ବିଷୟରେ ଲେଖିଛନ୍ତି , “ସନ ୧୯୧୫ ଖ୍ରୀଷ୍ଟାବ୍ଦର ଶେଷ ଭାଗରେ ନିଃସ୍ଵାର୍ଥ ଉତ୍କଳ ହିତୈଷୀ ଉତ୍କଳ ର ଜଣେ ପରମ ସେବକ,ବେହାର ଉତ୍କଳ କାଉନସିଲ ର ଅନ୍ୟତମ ସଦସ୍ୟ ଗୋପବନ୍ଧୁ ଦାସ ମହୋଦୟ ମୋ ଗୃହରେ ଦୁଇ ଦିନ ଅବସ୍ଥାନ କରିଥିଲେ।”୧୯୧୭ ମସିହାର ଶେଷ ଭାଗରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀରେ, ବ୍ୟାସକବି ଫକୀରମୋହନ ସେନାପତି, ସଭାପତି ପଦ ଅଳଙ୍କୃତ କରିଥିଲେ।ସେ ତାଙ୍କ ଆତ୍ମ ଜୀବନୀ ଚରିତ ରେ ଲେଖିଛନ୍ତି, ” ମୋର ଅନ୍ତିମ କାଳରେ ଦେଶବାସୀ ମାନେ ମୋହର ଅକିଞ୍ଚିତକର ସାହିତ୍ୟ ସେବା ଓ ଦେଶସେବା ର ଯଥେଷ୍ଟ ପୁରସ୍କାର ଦାନ କରିଅଛନ୍ତି।”୧୯୧୮ ମସିହା ଜୁନ ୧୪ ତାରିଖ ରଜ ସଂକ୍ରାନ୍ତି ରେ
ଓଡ଼ିଆ ସାହିତ୍ୟ ର ସେନାପତି ଫକିରମୋହନଙ୍କ ମହାପ୍ରୟାଣ ଘଟିଥିଲା।ତାଙ୍କ ବିୟୋଗ ରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଙ୍କ ଲେଖନୀରୁ ନିଃସୃତ ହୋଇଥିଲା “ମହାପ୍ରୟାଣ” କବିତା।


“ହେ କବି,ହେ ଦେବ,ଗୁରୋ,ବାଣୀ ବରପୁତ୍ର ,
ଉତ୍କଳ ର ସାହିତ୍ୟ ନାୟକ।
ସାହିତ୍ୟ ର ଗନ୍ତାଘରେ ସୁଯୋଗ୍ୟ ଭଣ୍ଡାରୀ
ବାଣୀ-ବୀଣା-ବିଚିତ୍ର-ବାୟକ।
ଜଳର ବୁବ୍ଦୁଦ ପ୍ରାୟ ମାନବ ଜୀବନ,
ଅନ୍ଧକାର ବୁଜି ଦେଲେ ଆଖି।
ସେ ଜୀବନେ ସମ୍ପାଦିଲ କୋଟି ଜୀବନର
କର୍ମ ତୁମ୍ଭେ ସାଧକ ଏକାକୀ।
ସଂସାରର ଝଞ୍ଜାବାତ ଘୋର ଆବର୍ତ୍ତନେ
ତିଳେ ମାତ୍ର ନୋହିଲେ କାତର।
ସେହି ନିଷ୍ଠା,ସେ ତପସ୍ଯା, ସେ ସାଧନା ଆଗେ
ସିଦ୍ଧି ଆଉ କେତେ ବା ମାତର !
ଜୀବନ ର ସୁଖ ଦୁଃଖ ଘୁର୍ଣ୍ଣିପାକେ ପଡି
ଶିକ୍ଷା କଲ ଯେ ଲୋକ ଚରିତ୍ର।
ହେ ବିନ୍ଧାଣି, କାବ୍ୟ ରୂପେ ରଖିଗଲ ତାର
ଜଗତରେ କି ସୁନ୍ଦର ଚିତ୍ର।
ହୃଦୟର ରକ୍ତଦାନେ ବିଡିଥିଲ ନିଜେ
ଦୁନିଆର ଯେଉଁ ଗୂଢ ନୀତି।
ଲୋକ ଶିକ୍ଷା ପାଇଁ ସର୍ବ ପ୍ରକାଶିତ ତାହା
ଦେଖାଇଲ ମାନବର ପ୍ରୀତି।
ପଥଭ୍ରାନ୍ତ ଆତ୍ମାଙ୍କର ଅପୂର୍ବ ମିଳନ
ଜଗତରେ କି ରୂପେ ସମ୍ଭବେ;
ମାନବର କୃତକର୍ମ ନଯାଏ ନିଷ୍ଫଳେ,
ପୁରସ୍କାର “ପ୍ରାୟଶ୍ଚିତ” ଭବେ ।
କବିତା -କାନନେ ପଶି ତୋଳି “ପୂଜାଫୁଲ”
ବାଣୀ-ପଦେ ଦେଲ “ଉପହାର”।
ହେ ପ୍ରେମିକ, ମୁଗ୍ଧ କବି,ଅନୁଭବି ବିନା
କେ ବୁଝିବ ମର୍ଯ୍ୟାଦା ତାହାର।
ଜଗତରେ ଯାହା କିଛି ହେୟ ଅପଦାର୍ଥ
ଦୂରୁଁ ଛିଛିକାର କରେ ନର,
ବିଶ୍ଵାସୀ ପ୍ରେମିକ ନେତ୍ରେ ମହା ମୂଲ୍ୟବାନ
ସବୁ ସତ୍ଯ, ଶିବ ଓ ସୁନ୍ଦର ।
ଏହି ତତ୍ତ୍ଵ ଭେଦିଥିଲ ଅନ୍ତରେ ଅନ୍ତରେ
ଥିଲ ଯେଣୁ ଇଶ୍ଵରେ ବିଶ୍ବାସୀ
ଆହରିଣ “ଧୂଳିକଣା” ସଜାଡିଲ ଅର୍ଘ୍ୟ
ଦିବ୍ୟ ଭୋଗ, ପରମ ଉଦାସୀ।
” ଅବସର ବାସେ” ଥାଇ ରୋଗ-ତାପ ଭୂଲି
ଲୟ ଯୋଗେ ନିବେଶିଲ ଚିତ୍ତ।
ମାନବ ସମାଜେ ଆଣି ଦେଲ ଉପହାର
ତିଥି ଲବ୍ଧ ଅପ୍ରମିତ୍ତ ବିତ୍ତ।
ବେଦ ଗୀତା ଭାରତାଦି ମହାଗ୍ରନ୍ଥ ମାନ
ଉତ୍କଳ ରେ ଭାଷାନ୍ତର କରି,
ଦେଖାଇଲ ଯେଉଁ କେମନ୍ତ ହେ ତାହା ଶୀର୍ଣ୍ଣ ଦେହେ ଥିଲ ଦେବ ଥରି?
ଉତ୍କଳ ଭାଷାର ଘୋର ଦୁର୍ଦ୍ଦିନ ସମୟେ ,
ତୁମ୍ଭେ ସିନା ହେଲ କର୍ଣ୍ଣଧାର,
ଅଦମ୍ୟ ଉଦ୍ଯମେ ମାତି ଆହେ, କର୍ମବୀର
ଅକାଳ ମରଣୁ କଲ ପାର।
ନୋହିଲେ ନଥାନ୍ତା ଆଜି ଚିହ୍ନ ବର୍ଣ୍ଣ ତାର
ହୋଇଥାନ୍ତା ସ୍ମୃତି ପୁରାତନୀ
ଓଡ଼ିଆ ନାମରେ ଆଉ ପଡନ୍ତା କି ଗାର
କିଏ କିମ୍ପା ଧରନ୍ତା ଲେଖନୀ?
ସେ ଥିଲେ ଓଡ଼ିଆ ସାହିତ୍ୟ ର ସାର୍ଥକ ଗଳ୍ପ ସ୍ରଷ୍ଟା, ଅପ୍ରତିଦ୍ଵନ୍ଦୀ ଔପନ୍ୟାସିକ, ଭାରତୀୟ ଜନଜୀବନ ର ପ୍ରଥମ କଥାକାର ଓ ପ୍ରାଚୀନ ଭାରତୀୟ ମୂଲ୍ୟବୋଧର ବଳିଷ୍ଠ ପ୍ରବକ୍ତା ।
ସେହି ମହାନ୍ ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ‌ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।
ଆଲେଖ୍ୟ::
ବାବାଜୀ ଚରଣ ଦାସ ।
ପଞ୍ଚସଖା ନଗର,ଡୁମୁଡୁମା, ଭୁବନେଶ୍ବର ।।