କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ
ଧରାପୃଷ୍ଠରୁ ବିଦାୟ ନେବେ ମା’ ଦଶଭୂଜା ଦୁର୍ଗା । ୪ ଦିନ ମଣ୍ଡପରେ ଦର୍ଶନ ଦେବା ପରେ ଆଜି ମେଲାଣି ନେବେ । ଆଜି ଭସାଣ ଉତ୍ସବ । କଟକରେ ଆଜି ପାଖ ପାଖି ୧୭୦ରୁ ଅଧିକ ମୂର୍ତ୍ତି ଦେବୀଗଡା ଠାରେ ବିସର୍ଜନ କରାଯିବ । ଏ ନେଇ କଟକ ଦେବୀଗଡ଼ାରେ ପ୍ରଶାସନ ତରଫରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ଦେବୀଗଡା ନିକଟରେ ଓଡ୍ରାଫ୍ ଏବଂ ଅଗ୍ନିଶମ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି। ସକାଳ ୮ ଟାରେ ନିଜ ନିଜ ଭସାଣି ଶୋଭାଯାତ୍ରା ବାହାର କରିବାକୁ ପୂଜା କମିଟିଗୁଡ଼ିକୁ ଅନୁରୋଧ କରାଯାଇଛି । ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସହଯୋଗ କରିବାକୁ ଅପିଲ କରିଛି କମିଶନରେଟ୍ ପୋଲିସ ।ଚଳିତ ବର୍ଷ କଟକ ଦୁର୍ଗାପୂଜା ଭସାଣୀ ଉପରେ ନଜର ରଖିବ ଡ୍ରୋନ । ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । ଭସାଣୀ ରୁଟରେ ନଜର ରଖିବ ମୋଟ ୫ ଶହରୁ ଅଧିକ ସି ସି ଟିଭି କ୍ୟାମେରା । ଏକାଧିକ କଣ୍ଟ୍ରୋଲ ରୁମ୍ ଜରିଆରେ ସିସି ଟିଭିଗୁଡିକରୁ ମିଳୁଥିବା ଭିଜୁଆଲ ଉପରେ ନଜର ରଖିବ ପୋଲିସ।ପ୍ରଥମ ଥର ପାଇଁ “CTC 60” ନାମରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ବିଶେଷ କରି ଶବ୍ଦ ପ୍ରଦୂଷଣ ବା ୬୦ ଡେଶିବଲ୍ ରୁ ଅଧିକ ଶବ୍ଦ ପ୍ରଦୂଷଣ କରୁଥିବା ଶୋଭାଯାତ୍ରା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ ଏହି “CTC 60” ପୋଲିସ ଟିମ୍ ।
