କଟକରେ ଅକ୍ଟୋବର 18ରୁ 20 ପର୍ଯ୍ୟନ୍ତ ବାଣ ବିକ୍ରି କରିବାକୁ ଅନୁମତି ମିଳିବ ।
ଦୀପାବଳିକୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ବାଣ ବିକ୍ରି ପାଇଁ ଲାଇସେନ୍ସ ଆବେଦନ ଆରମ୍ଭ ହୋଇଛି । କଟକରେ ଏଥର ମାତ୍ର 3 ଦିନ ପାଇଁ ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ପୋଲିସ ସ୍ପଷ୍ଟ କରିଛି । 18 ରୁ 20 ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ପାଇଁ ଅନୁମତି ଦେବ ପୋଲିସ । ଏନେଇ ସମସ୍ତ ବ୍ୟବସାୟୀଙ୍କୁ ଅବଗତ କରାଯାଇଛି ବୋଲି କଟକ ଡିସିପି ଋଷିକେଶ ଡି ଖିଲାରି କହିଛନ୍ତି ।
କେଉଁ କେଉଁ ନିୟମ ମାନିବେ ବାଣ ବ୍ୟବସାୟୀ ?
- ଲାଇସେନ୍ସ ପାଇଁ ବ୍ୟବସାୟୀ ମାନେ ସିଏମସି, ଅଗ୍ନିଶମ, ଜୋନ ଏସିପି ଏବଂ ସ୍ଥାନୀୟ ଥାନାରୁ ଏନଓସି ଆଣିବାକୁ ପଡିବ ।
- ପୋଲିସ ପାଖରେ ଆଇବଣ୍ଡ ଦାଖଲ କରିବେ ବାଣ ବ୍ୟବସାୟୀ ।
- ସିଏମସି ବାହାରେ ଗ୍ରାମାଞ୍ଚଳରେ ତହସିଲ ଠାରୁ ଗୋଟିଏ ଅନୁମତି ନେବାକୁ ପଡିବ
- ଏହା ପରେ ପୋଲିସର ଟିମ ଯାଇ ଦୋକାନ ହେବାକୁ ଥିବା ସ୍ଥାନ ଯାଞ୍ଚ କରିବ ଓ ଲାଇସେନ୍ସ ପ୍ରଦାନ କରିବ
- ପୂର୍ବରୁ ସ୍ଥିର ହୋଇଥିବା ଖୋଲା ସ୍ଥାନରେ ଏହି ଦୋକାନ କରାଯିବ
- ଖୋଲା ସ୍ଥାନରେ ଥିବା ଘର ଉପରେ ଟିଣ ପକାଇବାକୁ ନିର୍ଦ୍ଦେଶ ଦିଆଯାଇଛି
- ପ୍ରତି ଦୋକାନ ଘର ଠାରୁ ଅନ୍ୟ ଦୋକାନ ଘରର ଦୂରତା ଅତି କମରେ 5 ଫୁଟ ଦୂରତା ରହିବ
- ଦୋକାନ ସାମ୍ନାରେ ପାଣି ଟ୍ୟାଙ୍କର ରହିବ
- ବାଲି ଭର୍ତ୍ତି ବାଲ୍ଟି ରହିବ
- ପ୍ରତି ଦୋକାନରେ ନିଆଁ ଲିଭା ଯନ୍ତ୍ର ରଖିବା ବାଧ୍ୟତା ମୂଳକ ରହିଛି
