କଟକର ବାଖରା ବାଦ୍ ପୂଜା ମଣ୍ଡପରେ ବିଜେ କରିଛନ୍ତି ମା’ଛିନ୍ନମସ୍ତା
ଆଜି କାଳୀ ପୂଜା । ଉତ୍ସବମୁଖର ଗାଁଠୁ ସହର । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା । ମା’ଙ୍କ ପାଦତଳେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଶ୍ରଦ୍ଧାରେ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଏହାରି ଭିତରେ କଟକର ବାଖରା ବାଦ୍ ପୂଜା ମଣ୍ଡପରୁ ସାମ୍ନାକୁ ଆସିଛି ମା’ଙ୍କର ନିଆରା ଦୃଶ୍ୟ । ମା’ ଏଠାରେ ଛିନ୍ନ ମସ୍ତା ଦେବୀ ରୂପେ ପୂଜା ପାଉଛନ୍ତି । ସାରା ଭାରତ ବର୍ଷ ବୁଲି ଆସିଲେ ବି କେଉଁଠି ବି ଦେଖିବାକୁ ମିଳେନାହିଁ ମା’ଙ୍କର ଏହି ଉଗ୍ର ରୂପ । ଏହି ମଣ୍ଡପର ପରମ୍ପରା ବି ଅନନ୍ୟ । ଏହାକୁ ନେଇ ଏକ ପୌରାଣିକ କାହାଣୀ ରହିଛି । ସୃଷ୍ଟିର ନିର୍ମାଣ କାର୍ଯ୍ୟରେ ମା’ ପାର୍ବତୀ ବ୍ୟସ୍ତ ଥିଲେ । ମା ଗଙ୍ଗାକୁ ସ୍ଥାନ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ଦୁଇ ଜଣ ସହଚରୀ ଜୟା ଏବଂ ବିଜୟା ସାଥିରେ ଥିଲେ । ତାଙ୍କୁ ପ୍ରବଳ ଭୋକ ଲାଗିବାରୁ ମାଙ୍କୁ ଭୋଜନ ପାଇଁ କହିଥିଲେ । ହେଲେ ଭୋଜନ ପାଇଁ କିଛି ନଥିବାରୁ ମା ନିଜର ମସ୍ତକ ଛେଦନ କରିଥିଲେ । ସେହି ମସ୍ତକରୁ ରକ୍ତର ତିନିଟା ଧାରା ବାହାରି ଥିଲା । ଗୋଟିଏ ଜୟା, ଆଉ ଗୋଟିଏ ବିଜୟା ଏବଂ ଶେଷଟିକୁ ମା ନିଜେ ପାନ କରିଥିଲେ । ସେହି ଦିନଠାରୁ ମାଙ୍କୁ ଛିନ୍ନ ମସ୍ତା ରୂପେ ପୂଜା କରାଯାଉଛି ।କାଳିପୂଜାରେ ରାତି 11ରୁ ମାଙ୍କ ପୂଜା ଆରମ୍ଭ ହୋଇଥାଏ । ଏହି ପୂଜା ପ୍ରାୟ ସକାଳ 6 ଟା ପର୍ଯ୍ୟନ୍ତ ଚାଲେ । ବୈଦିକ ରୀତିନୀତିରେ ମାଙ୍କ ପୂଜା କରାଯାଏ । ଚଣ୍ଡିପାଠ ବି କରାଯାଏ । ବିଶ୍ଵାସ ରହିଛି କି ମାଙ୍କ ପାଖରେ ଯିଏ ମାନସିକ ରଖେ ତାର ମନସ୍କାମନା ପୂରଣ ହୋଇଥାଏ ।
