କଟକ ବସୁନ୍ଧରା ଆଶ୍ରମରେ ୨୬ ବର୍ଷ ପରେ ଫେରିଛି ସୁନା ଝିଅ ସୁଧନ୍ୟା
କଟକ ବିଡାନାସି ସ୍ଥିତ ବସୁନ୍ଧରା ଆଶ୍ରମ ରେ ଆନନ୍ଦ ଭରି ଯାଉଛି । କାରଣ ମନେ ପଡି ଯାଉଛି ସେଇ ୨୬ ବର୍ଷ ତଳର କାହାଣୀ । ୧୯୯୯ ମସିହା, ଆମେରିକାର ଦମ୍ପତ୍ତି ଜେଫ୍ରୀ କେ ଡୋନ୍ ଓ ହୋଲି ଏମସି ଗିଲିକୁଡି ଗୋଟିର ୧୦ ମାସର ନିଷ୍ପାପ ସରଳ କୁନି ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରନ୍ତି । ଏହା ଭିତରେ ୨୬ ବର୍ଷ ଅତିକ୍ରମ କରି ସାରିଲାଣି । ୨୬ ବର୍ଷ ପରେ ଝିଅଟି ବିବାହ କରିସାରିଛି । ମାଆ ମଧ୍ୟ ହେବାକୁ ଯାଉଛି । ବିବାହର ଏକ ବର୍ଷ ପୂର୍ତ୍ତି ପାଳନ ପାଇଁ କଟକ ବିଡାନାସି ସ୍ଥିତ ବସୁନ୍ଧରାରେ ପହଞ୍ଚିଥିଲେ ଉଭୟ ପରିବାରର ସଦସ୍ୟମାନେ । ବସୁନ୍ଧରା ଭିତରେ ଚମତ୍କାର ପରିବେଶ ଭିତରେ ସମସ୍ତେ ମିଶି ପାଳନ କରିଥିଲେ ସୁଧନ୍ୟା ଓ ହର୍ଷଙ୍କ ପ୍ରଥମ ବିବାହ ବାର୍ଷିକୀ ।ବସୁନ୍ଧରାରେ ମାଆ ଓ ନିଜ ଭାଇ, ଭଉଣୀଙ୍କୁ ଦେଖି ସୁଧନ୍ୟା ଓ ତାଙ୍କ ସ୍ବାମୀ ବି ଖୁସି । ଉଭୟ ପରିବାରର ସମ୍ପର୍କୀୟ ଓ ଅତିଥି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ଦେଇଛନ୍ତି ।ବିବାହର ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ ସୁଧନ୍ୟା ଏବଂ ହର୍ଷ ପରସ୍ପରକୁ ବସୁନ୍ଧରାରେ ଅତିଥିଙ୍କ ଗହଣରେ ବରମାଳା ପିନ୍ଧାଇବା ସହ ଖୁସି ବାଣ୍ଟିଥିଲେ । ଏବଂ ଭବିଷ୍ୟତରେ ବସୁନ୍ଧରାକୁ ସହଯୋଗର ହାତ ବଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

 
			