କଟା ଆଙ୍ଗୁଠି ପରେ ଏବେ ଆଇସକ୍ରିମରୁ ବାହାରିଲା ମଲା ବିଛା

ଆଇସକ୍ରିମ ଖାଇବାକୁ କିଏ ବା ଭଲ ନ ପାଏ। କିନ୍ତୁ ଅଧିକାଂଶ ଲୋକଙ୍କର ଏହି ପ୍ରିୟ ଖାଦ୍ୟ କେତେ ସୁରକ୍ଷିତ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ମୁମ୍ବାଇର ପଶ୍ଚିମ ମାଲଦାରେ ରହୁଥିବା ଜଣେ୨୬ ବର୍ଷ ବୟସ୍କା ଡାକ୍ତର ୟାମୋ କମ୍ପାନିର ଏକ ବଟରସ୍କଟ୍ ଆଇସ୍କ୍ରିମ୍ କୋନ୍‌ ବରାଦ କରିଥିଲେ। ସେଥିରୁ ମଣିଷର କଟା ଆଙ୍ଗୁଳି ବାହାରିବା ଘଟଣା ଥମି ନଥିବା ବେଳେ ନୋଏଡାରେ ଜଣେ ମହିଳା ଅନଲାଇନ ଷ୍ଟୋର ବ୍ଲିଙ୍କିଟ୍‌‌ରୁ ଅମୁଲ ବ୍ରାଣ୍ଡର ଭାନିଲା ମ୍ୟାଜିକ ଟବ୍‌‌ ଆଇସକ୍ରିମ ଅର୍ଡର କରିଥିଲେ, ଯାହାର ମୂଲ୍ୟ ଥିଲା ୧୯୫ ଟଙ୍କା। ଶନିବାର ଆଇସକ୍ରିମଟି ତାଙ୍କ ଘରେ ପହଞ୍ଚିଥିଲା। ସେ ତାଙ୍କ ୫ବର୍ଷର ପୁଅ ପାଇଁ ମ୍ୟାଙ୍ଗୋ ସେକ୍‌‌ ତିଆରି କରିବା ଲାଗି ଏହି ଆଇସକ୍ରିମ ଅର୍ଡର କରିଥିଲେ। ଆଇସକ୍ରିମ ଡେଲିଭର ହେବା ପରେ ଦୀପା ତାହାକୁ ଖୋଲିଥିଲେ।

କିନ୍ତୁ ସେ ଯାହା ଦେଖିଲେ ତାହା ବିଶ୍ୱାସ କରିପାରି ନ ଥିଲେ। ତୁରନ୍ତ ଏନେଇ ଦୀପା ବ୍ଲିଙ୍କଇଟ୍‌ରେ ଅଭିଯୋଗ କରିଥିଲେ। ଏହାପରେ କମ୍ପାନି ତୁରନ୍ତ ତାଙ୍କ ଟଙ୍କା ଫେରସ୍ତ କରିଥିଲା କିନ୍ତୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ‌ଦେଇ ନଥିଲା।ଏହି ଘଟଣାକୁ ନେଇ ଦୀପା କହିଛନ୍ତି, ଅନଲାଇନରୁ ଗ୍ରାହକମାନେ କମ୍ପାନି ଉପ‌ରେ ଏକ ବିଶ୍ବାସ ରଖି ଖାଦ୍ୟ ମଗାଇଥାଆନ୍ତି। କାରଣ କମ୍ପାନି ବାରମ୍ବାର ଦାବି କରି କହିଥାଏ କି ସେମାନେ ପ୍ରଥମେ ନିଜ ଗ୍ରାହକଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ‌ରେ ରଖି ଖାଦ୍ୟ ପ୍ରସ୍ତୁତ କରିଥାଆନ୍ତି। କିନ୍ତୁ ଯଦି ଗ୍ରାହକଙ୍କୁ ମଣିଷର କଟା ଆଙ୍ଗୁଳି ଯୁକ୍ତ ଓ ବିଛା ପଡ଼ିଥିବା ଖାଦ୍ୟ ମିଳୁଛି ତେବେ ଏହା ସେମାନଙ୍କ ଜୀବନ ପ୍ରତି କେତେ ବିପଦ ଥରେ ଚିନ୍ତା କରି ଦେଖନ୍ତୁ। ଏପରି ଖାଦ୍ୟ ଖାଇବା ଦ୍ବାରା ଗ୍ରାହକଙ୍କ ସହିତ ଯଦି କିଛି ଅଘଟଣ ଘଟେ ତେବେ ଏଥିପାଇଁ କିଏ ଦାୟୀ ହେବେ।