କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ପରଲୋକ

ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ଶନିବାର ପରଲୋକ ହୋଇଛି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ୮୮ ବର୍ଷ ବୟସରେ ନିଜ ପୈତୃକ ଘର ବୈଦରାଜ ସାହିରେ ତାଙ୍କର ପରଲୋକ ଘଟିଛି। ଦୀର୍ଘଦିନରୁ ସେ ରୋଗାଗ୍ରସ୍ତ ଥିଲେ। ମାଗୁଣିଙ୍କ ପରଲୋକ ନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି। କିଛି ଦିନ ତଳେ ଗୁରୁତର ଅବସ୍ଥାରେ ସେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ମାଗୁଣି । ଏହାପରେ ପରିବାର ଲୋକ ତାଙ୍କୁ ଘରକୁ ନେଇଆସିଥିଲେ । ଆଜି ସେ ନିଜର ବାସଭବନରେ ତାଙ୍କର ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ୨୦୨୩ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ। ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅକୁ ହରାଇଥିଲେ।

ଏହି ସବୁ ଦୁଃଖଦ ଘଟଣାକୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା। ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ତାଙ୍କ ଘରକୁ ଶେଷ ଦର୍ଶନ ପାଇଁ ସ୍ଥାନିୟ ଲୋକଙ୍କ ସୁଅ ଛୁଟିଛି। ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ବୋଲି ଜଣାପଡିଛି।