କଲ୍ୟାଣପୁରରେ ଭାଗବତ ପାରାୟଣ
କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗୋପାଳ ସାହିରେ ସପ୍ତାହବ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ଉଦଯାପିତ ହୋଇଯାଇଛି l ଏହି ଅନିତ୍ୟ ସଂସାରରେ ଜୀବନ କ୍ଷଣସ୍ଥାୟୀ l ଲୋଭ ମୋହ,କାମ କ୍ରୋଧ, ହିଂସା ଓ ଅସୂୟାପଣକୁ ପରିହାର କରି, ଦୟା-କ୍ଷମା-ପ୍ରେମ ଓ ସଦଭାବନାକୁ ଜୀବନର ମହାମନ୍ତ୍ର ଭାବେ ଗ୍ରହଣ କରିବାକୁ ଭାଗବତ ଆମକୁ ଶିକ୍ଷା ଦେଇଥାଏ l ପ୍ରତିବର୍ଷ ଗ୍ରାମର ଭାଗବତ ଘରେ ଶ୍ରୀମଦ ଭାଗବତ ପାଠ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ l ଗ୍ରାମର ପ୍ରତ୍ୟେକ ପରିବାର ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବା ଦେଖିବାକୁ ମିଳେ l ଧର୍ମପ୍ରାଣ ଯୁଧିଷ୍ଠିର ପଲେଇଙ୍କ ତତ୍ୱାବଧାନରେ ଏହି ଭାଗବତ ସପ୍ତାହ ପ୍ରତିବର୍ଷ ଆୟୋଜିତ ହୁଏ l ଚଳିତ ବର୍ଷ ରଘୁନାଥ ପଲେଇ କର୍ତ୍ତା ଭାବେ ସଂକଳ୍ପରେ ବସିରହିଥିଲେ l ସେ ନୀତି ଓ ନିଷ୍ଠାର ସହିତ କାୟମନୋ ବାକ୍ୟରେ ପ୍ରଭୁଙ୍କ ସରଣରେ ରହୁଥିବା ବେଳେ, ଭଗବତ ଆଶ୍ରିତ ଭଗବାନ ପଲେଇ ଓ ଜଗନ୍ନାଥ ପଲେଇ ତାଙ୍କୁ ସହଯୋଗ କରନ୍ତି l ଏଠାରେ ପ୍ରତିଦିନ ବ୍ରାହ୍ମଣ, ପୁରୋହିତ ପୂଜାର୍ଚ୍ଚନା କରନ୍ତି l ବହୁ ଶ୍ରଦ୍ଧାଳୁ ଏବଂ ସଂକୀର୍ତ୍ତନ ପ୍ରେମୀ ଏହି ଭାଗବତ ପାରାୟଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ଆଧ୍ୟାତ୍ମିକ ବାତାବରଣ ଭିତରେ ଏକତ୍ରିତ ହେବା ଦେଖିବାକୁ ମିଳେ l ଗ୍ରାମରେ ଶାନ୍ତି, ମୈତ୍ରୀ, ଭାଇଚାରା ଓ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବାରେ ଏହି ଭାଗବତ ପାଠ ବଡ଼ ଭୂମିକା ନିର୍ବାହ କରିବା କୁହାଯାଏ l ତେବେ ଭାଗବତ ସପ୍ତାହର ଅନ୍ତିମ ଦିବସରେ ବହୁ ଭଗବତ ପ୍ରେମୀ ଏକାଠି ହୋଇଥିଲେ l ହରି ହାଟରେ ପ୍ରସାଦ ସେବନ କରି ଆନନ୍ଦ ମନରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିଥିଲେ l
