କିଛି ଦିନରେ ଅପସରୀ ଯିବ ମୌସୁମୀ

ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ତଥାପି ଘୂର୍ଣ୍ଣିବଳୟ ପ୍ରଭାବରେ ୧୨ ତାରିଖ ଯାଏଁ ବର୍ଷା ଲାଗି ରହିବ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ବିଭିନ୍ନ ଜିଲ୍ଲାକୁ ବର୍ଷା ଆଲର୍ଟ କରାଯାଇଛି । ଅନ୍ୟପଟେ ୧୬ ତାରିଖ ସୁଦ୍ଧା ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ଅଛି । ସେହି ସମୟରେ ଦକ୍ଷିଣ ପୂର୍ବ ଉପଦ୍ୱୀପୀୟ ଅଞ୍ଚଳରେ ଉତ୍ତର-ପୂର୍ବ ମୌସୁମୀ ବର୍ଷା ଆଗମନର ସମ୍ଭାବନା ଅଛି । ପୂର୍ବାନୁମାନ କହୁଛି, ୧୦ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ଆଶଙ୍କା ଅଛି । କେତେକ ଜିଲ୍ଲାରେ ବଜ୍ରପାତ ନେଇ ସତର୍କ କରାଯାଇଛି ।