କୁଣ୍ଡଳିନୀ ଶକ୍ତି ଜାଗ୍ରତ ଦ୍ଵାରା କି ଲାଭ ହୁଏ ? ଜାଣନ୍ତୁ ବହୁତ୍ କିଛି ତଥ୍ୟ

ଆମ ଶରୀର ଅନନ୍ତ ଶକ୍ତିର କେନ୍ଦ୍ରସ୍ଥଳ । ବ୍ରହ୍ମାଣ୍ଡର ସବୁ ଶକ୍ତି ଆମ ଶରୀର ଭିତର ନିହିତ ଅଛି । ହେଲେ ଆମେ ଅଜ୍ଞାନବଶତଃ ଏ ସବୁ ଜାଣି ପାରୁନେ । ଆମେ ଯଦି ଚାହିଁବା ତେବେ ଅନେକ ଅସମ୍ଭବ କାମ କରି ପାରିବା । ଯେଉଁମାନଙ୍କୁ ଆମେ ଭଗବାନ କିମ୍ବା ମହାପୁରୁଷ ବୋଲି  ମାନୁଛେ, ବାସ୍ତବରେ ସେମାନେ ଜନ୍ମରୁ ଭଗବାନ କି ମହାପୁରୁଷ ନଥିଲେ । ସେମାନେ ନିଜ ସାଧନା ବଳରେ ନିଜ ଶରୀରରେ ଥିବା ଶକ୍ତିକୁ ଚିହ୍ନି ପାରିଥିଲେ ଆଉ ଅସମ୍ଭବ କାର୍ଯ୍ୟମାନ କରି ଆମ ପାଇଁ  ଭଗବାନ ହେଇଗଲେ । ଗୋଟେ ଗବେଷଣାରୁ ଜଣା ପଡିଛି କି  ଜଣେ ସାଧାରଣ ମଣିଷ ତାର ମସ୍ତିଷ୍କର ମାତ୍ର ୫-୧୦ ଭାଗ ବ୍ୟବହାର କରେ । ହେଲେ ସେଇ କ୍ଷେତ୍ରରେ ଜଣେ ଲେଖକ, ଚିନ୍ତାଶୀଳ ବ୍ୟକ୍ତି ଓ ବୈଜ୍ଞାନିକ ତାଙ୍କ ମସ୍ତିଷ୍କର ୨୦-୨୫ ଭାଗ ବ୍ୟବହାର କରନ୍ତି । ଯଦି ଏଇ ବ୍ୟବହାର  କରିବାର ହାର ୫୦ ଭାଗ ଟପିଯିବ ତେବେ ତେବେ ତାକୁ ସବୁ କିଛି ସହଜ ହେଇଯିବ । ସେ ଭୁତ ଭବିଷ୍ୟ ସବୁ କିଛି ଦେଖି ପାରିବ । ଯାହାକି ମହାପୁରୁଷମାନେ କରନ୍ତି । କୁହାଯାଏ ଭଗବାନ ଶ୍ରୀକୃଷ୍ଣ ତାଙ୍କ ମସ୍ତିଷ୍କର ପ୍ରାୟ ୭୦ ଭାଗ ବ୍ୟବହାର କରୁଥିଲେ । ତେଣୁ ସାଧନା ଦ୍ଵାରା ଜଣେ ସାଧାରଣ ମଣିଷ ଜଣେ ମହାପୁରୁଷ ହେବା ଅସମ୍ଭବ ନୁହେଁ । ହେଲେ ପ୍ରଶ୍ନ ଉଠୁଛି ଜଣେ ସାଧାରଣ ମଣିଷ ତାର ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ କିପରି କରାଇ ପାରିବ ? ଏଥିପାଇଁ ତାକୁ କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରାଇବା ଦରକାର ।

କଣ ଏଇ କୁଣ୍ଡଳିନୀ ଶକ୍ତି? ଆମ ଶରୀର ଭିତରେ ଲୁଚି ରହିଥିବା ଅନନ୍ତ ଶକ୍ତି ହିଁ କୁଣ୍ଡଳିନୀ ଶକ୍ତି । ଏଇ ଶକ୍ତି ଆମ ଶରୀର ଭିତରେ ରହିଥିବା କୁଣ୍ଡମ(ପାତ୍ର) ଭିତରେ ଥାଏ । ଆମେ ସାଧନା କଲେ ଏଇ ଶକ୍ତି ଚକ୍ର ମାଧ୍ୟମରେ ଉର୍ଦ୍ଧ୍ଵଗାମୀ ହେଇ ଆମକୁ ଅଶେଷ ଶକ୍ତି ପ୍ରଦାନ କରିଥାଏ । ଏ ଶକ୍ତି ଥରେ ଜାଗ୍ରତ ହେଇ ଗଲେ ଆମକୁ ଶାରୀରିକ ବଳର ଆଉ ଆବଶ୍ୟକତା ରହିବ ନାହିଁ ଆମେ ମାନସିକ ଶକ୍ତି ସାହାଯ୍ୟରେ ସବୁ କିଛି କରି ପାରିବା ।

ଚକ୍ର: ଚକ୍ର ହେଉଛି ନାଡିମାନଙ୍କର କେନ୍ଦ୍ରସ୍ଥଳ । ଆମ ଶରୀରରେ ୧୭୨୦୦୦ ନାଡି ରହିଛି । ଆଉ ଏଇ ନାଡିମାନଙ୍କର ଅନେକ କେନ୍ଦ୍ର ବି ରହିଛି । ବାସ୍ତବରେ ଦେଖିବାକୁ ଗଲେ ଆମ ଶରୀରରେ ୧୦୯ ନାଡି କେନ୍ଦ୍ର ବା ଚକ୍ର ରହିଛି । ସେଥିମଧ୍ୟରୁ ୯ଟି ପ୍ରମୁଖ ଚକ୍ର । ହେଲେ ମୁଖ୍ୟତଃ ଆମେ ୭ଟି ଚକ୍ରକୁ ହିଁ ପ୍ରାଧାନ୍ୟ ଦେଇଥାଉ । ଏଇ ସମସ୍ତ ଚକ୍ରରେ ପ୍ରାଣର ପ୍ରବାହ ହୁଏ । ଗୋଟିଏ ଚକ୍ରରୁ ଅନ୍ୟ ଚକ୍ରକୁ ପ୍ରାଣକୁ ପ୍ରବାହିତ ହେବା ପାଇଁ ନାଡି ହିଁ ପ୍ରଧାନ ମାଧ୍ୟମ । ଅସଂଖ୍ୟ ନାଡି ଭିତରୁ ତିନୋଟି ନାଡି ପ୍ରଧାନ ଅଟନ୍ତି –ସୁଷୁମ୍ନା, ଇଡା ଓ ପିଙ୍ଗଳା । ଏଇ ନାଡି ଗୁଡିକ ଅତ୍ୟନ୍ତ ସୂକ୍ଷ୍ମ ନଳୀ ସଦୃଶ ଅଟନ୍ତି । ଏମାନେ ଗୁହ୍ୟଦ୍ୱାରରୁ ବାହାରି ସମସ୍ତ ଚକ୍ରକୁ ଭେଦ କରି ମସ୍ତିଷ୍କରେ ଥିବା ଅନ୍ତିମ  ଚକ୍ର ଯାଏ ଯାଇଥାନ୍ତି । ଗୁହ୍ୟଦ୍ଵାରର ବାମ ଭାଗରୁ ଇଡା ଓ ଦକ୍ଷିଣ ଭାଗରୁ ପିଙ୍ଗଳା ବାହାରି ଅଛି । ଏମାନେ ଯାଇ ସୁଷୁମ୍ନା ସହ ମିଳିତ ହେଇଛନ୍ତି । ସମସ୍ତ ନାଡି ପ୍ରକାଶମୟ ଓ ଶକ୍ତିଯୁକ୍ତ । ସାଧାନା ଦ୍ଵାରା ଏଇ ଶକ୍ତିକୁ ଉଜାଗର କରାଯାଏ । 

୭ଟି  ଚକ୍ର ଓ ତାର ନାମ: ଆମ ଯୌନକେନ୍ଦ୍ର ଓ ମଳଦ୍ଵାର ମଝିଆମଝି ଯେଉଁ ଚକ୍ର ରହିଛି, ସେଇଟି ହେଉଛି ପ୍ରଥମ ଚକ୍ର, ଯାହାର ନାଁ ହେଉଛି ମୂଳାଧାର ଚକ୍ର । ତା ଉପରକୁ ଥିବା ଚକ୍ରର ନାମ ହେଲା ସ୍ୱାଧିଷ୍ଠାନ ଚକ୍ର । ନାଭି ପାଖରେ ଥିବା ଚକ୍ରର ନାମ ହେଲା ମଣିପୁରା ଚକ୍ର । ଛାତିରେ ରହିଥିବା ଚକ୍ର ହେଲା ଅନାହତ ଚକ୍ର । ଗଳାରେ ଥିବା ଚକ୍ର ହେଲା ବିଶୁଦ୍ଧ ଚକ୍ର । ଆଖି ପାଖରେ ଥିବା ଚକ୍ରର ନାମ ହେଲା  ଆଜ୍ଞା ଚକ୍ର । ଆଉ ମସ୍ତିଷ୍କରେ ରହିଥିବା ଚକ୍ର ହେଲା ସହସ୍ର ଚକ୍ର ।

ଚକ୍ର ଉଜାଗରଣ ଦ୍ଵାରା ପ୍ରାପ୍ତ ଲାଭ:୧-ମୂଳାଧାର ଚକ୍ର ଉଜାଗର ହେଲେ ବ୍ୟକ୍ତି ନିରୋଗୀ ହୁଏ, ଚିତ୍ତ ସର୍ବଦା ଆନନ୍ଦିତ ରୁହେ  ଓ ତାର ସର୍ବକାର୍ଯ୍ୟ ସିଦ୍ଧି ହୁଏ । ଧନ, ଯଶ ପ୍ରାପ୍ତି ହୁଏ  ଓ ଜୀବନର ସମସ୍ତ ଲକ୍ଷ୍ୟ ପୂର୍ଣ୍ଣ ହୁଏ ।
୨-ସ୍ଵାଧିଷ୍ଠାନ ଚକ୍ର ଉଜାଗର ହେଲେ ଯୌନକ୍ରିୟା ଅତ୍ୟନ୍ତ ସୃଦୃଢ ହୁଏ ଆଉ ଉତ୍ତମ ସନ୍ତାନ ପ୍ରାପ୍ତି ହୁଏ ।
୩- ମଣିପୁରା ଚକ୍ର ଉଜାଗର ହେଲେ ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ଘଟେ ।
୪-ଅନାହତ ଚକ୍ର ଜାଗ୍ରତ ହେଲେ ବ୍ୟକ୍ତିକୁ ପ୍ରକୃତ ପ୍ରେମ ପ୍ରାପ୍ତ  ହୁଏ ।
୫-ବିଶୁଦ୍ଧ ଚକ୍ର ଜାଗ୍ରତ ହେଲେ ବ୍ୟକ୍ତିର ବାକ ସିଦ୍ଧି ହୁଏ । ମୁନି ଋଷିମାନେ  ଦେଉଥିବା ଅଭିଶାପ ହିଁ ଏଇ ବାକ ସିଦ୍ଧିର ଶକ୍ତି । 
୬-ଆଜ୍ଞା ଚକ୍ର ଉଜାଗର ହେଲେ ବ୍ୟକ୍ତିର ତୃତୀୟ ନୟନ ଖୋଲିଯାଏ । ସେ ଭୁତ ଭବିଷ୍ୟ ଦେଖିପାରେ ।
୭- ସହସ୍ର ଚକ୍ର ଉଜାଗର ହେଲେ ବ୍ୟକ୍ତି ଐଶ୍ଵରିକ ଶକ୍ତିକୁ ଅନୁଭବ କରି ପାରେ । ଆଉ ନିୟତିକୁ ନିୟନ୍ତ୍ରଣ କରିପାରେ ।
 
ଏଇ ଥିଲା କୁଣ୍ଡଳିନୀ ଶକ୍ତି ଉପରେ ସମ୍ୟକ ସୂଚନା । ଅଲେଖ୍ୟଟି କିପରି ଲାଗିଲା ମତାମତ ନିଶ୍ଚୟ ଦେବେ ।