କେନ୍ଦୁଝରରେ ‘ଶୂନ ଦୁର୍ଘଟଣା ଦିବସ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ରାଜ୍ୟରୁ ଦୁର୍ଘଟଣା ଶୂନ୍ୟ କରିବା ପାଇଁ ମୋହନ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାକୁ ଏକ ଦୁର୍ଘଟଣା ଶୂନ୍ୟ ରାଜ୍ୟ ଭାବରେ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ । ‘ସୁରକ୍ଷିତ ଗାଡ଼ି ଚଳାଇବା, ସୁରକ୍ଷିତ ଘରକୁ ଫେରିବା’ ବାର୍ତ୍ତା ନେଇ କେନ୍ଦୁଝରରେ ଆୟୋଜିତ ‘ଶୂନ ଦୁର୍ଘଟଣା ଦିବସ’ (Zero Accident Day) କାର୍ଯ୍ୟକ୍ରମରରେ ସଚେତନତା ଅଭିଯାନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦ୍‌ଘାଟନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ 13ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି । ଏହାସହ ସିଂଗନେଚର କ୍ୟାମ୍ପେନକୁ ଉଦ୍‌ଘାଟନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଆଜି ହେଉଛି ଜିରୋ ଆକ୍ସିଡେଣ୍ଟ ଡେ ବା ‘ଶୂନ ଦୁର୍ଘଟଣା ଦିବସ’ । ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ‘ଶୂନ ଦୁର୍ଘଟଣା ଦିବସ’ କାର୍ଯ୍ୟକ୍ରମ କେନ୍ଦୁଝର ସହରରୁ ଆରମ୍ଭ କରାଯାଇଛି । କିଭଳି ଓଡ଼ିଶା ଦୁର୍ଘଟଣା ଶୂନ୍ୟ ରାଜ୍ୟ ଭାବରେ ସ୍ବତନ୍ତ୍ରତା ଲାଭ କରିବ, ସେଥିପାଇଁ ରାଜ୍ଯ ସରକାରଙ୍କ ଏକ ବଡ଼ ଆଭିମୁଖ୍ୟ ଅଛି । ଆମେ ଖଣି, କାରଖାନା ଓ ସଡ଼କ ଆଦିରେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । କିଛି ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି । ଆଉ କିଛି ଜଣ ଫୋନରେ କଥା ହୋଇ ଅନ୍ୟମନସ୍କ ହୋଇ ଗାଡ଼ି ଚାଳନା କରୁଛନ୍ତି । ଏଥିପାଇଁ ଅନେକ ସମୟରେ ଅସାବଧାନତାରୁ ଦୁର୍ଘଟଣା ଘଟୁଛି । ଦୁର୍ଘଟଣାରେ କିଛି ଲୋକ ଆହତ ହେଉଥିବା ବେଳେ ଅନେକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହାକୁ କିପରି ଏଡାଯାଇ ପାରିବ, ସେଥିପାଇଁ ‘ଶୂନ ଦୁର୍ଘଟଣା ଦିବସ’ କାର୍ଯ୍ୟକ୍ରମ କରାଯାଉଛି । ସାରା ଓଡ଼ିଶାରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ ସଚେତନ କରାଯିବ ।”