କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା : ଆକ୍ଟିଭ ସିମ୍‌ ନଥିଲେ ଚାଲିବନି ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସ୍ନାପଚାଟ

ଏଣିକି ମୋବାଇଲରେ ଆକ୍ଟିଭ ସିମ୍‌ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ଦୂରସଂଚାର ବିଭାଗ (DoT) ଦ୍ୱାରା ଜାରି କରାଯାଇଥିବା ଦୂରସଂଚାର ସାଇବରସୁରକ୍ଷା ସଂଶୋଧନ ନିୟମ ୨୦୨୫ ଅନୁଯାୟୀ ପ୍ରତ୍ୟେକ ହ୍ୱାଟସଆପ୍ ଆକାଉଣ୍ଟ ସର୍ବଦା ଆକ୍ଟିଭ ଥିବା ସିମ୍ କାର୍ଡ ସହିତ ଲିଙ୍କ୍ ରହିବା ଆବଶ୍ୟକ। କେବଳ ହ୍ୱାଟ୍ସଆପ୍ ନୁହେଁ,ସମାନ ମେସେଜିଂ ଆପଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ନିୟମ ପାଳନ କରିବାକୁ ମେସେଜିଂ ଆପ୍‌ଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି।ଏବେ କେବଳ ଆପ୍‌ ଇନଷ୍ଟାଲ କରିବା ବେଳେ ମୋବାଇଲ ନମ୍ବର ଜରିଆରେ ଯାଞ୍ଚ କରାଇବାକୁ ପଡୁଛି । ଏହା ପରେ ସିମ୍‌ ହଟାଇଦେଲେ କିମ୍ବା ନମ୍ବର ବନ୍ଦ ହୋଇଗଲେ ମଧ୍ୟ ଆପ୍‌ଗୁଡ଼ିକ ଚାଲୁ ରହୁଛି । ଇଣ୍ଟରନେଟ ସଂଯୋଗ ରହିଥିଲେ ଏଥିରେ ସମସ୍ୟା ରହୁନି । ବର୍ତ୍ତମାନର ନିୟମ ଯୋଗୁ ସିମ୍‌ ବନ୍ଦ ହୋଇଗଲେ ଆପ୍‌ ଚାଲୁ କରିହେବନି । ଆପ୍‌ଗୁଡ଼ିକୁ ଚାଲୁ ରଖିବାକୁ ହେଲେ ନମ୍ବର ଚାଲୁ ରହିଥିବା ଜରୁରି । ଏହାକୁ ସିମ୍‌ ବାଇଣ୍ଡିଂ ନିୟମ ମଧ୍ୟ କୁହାଯାଇଥାଏ । ଭାରତରେ ଥିବା ୫୦୦ ମିଲିଅନରୁ ଅଧିକ ହ୍ୱାଟ୍ସଆପ୍ ୟୁଜର ଅଛନ୍ତି। ନୂଆ ନିୟମ ଲାଗୁ ହେଲେ ଆପ ଚଲାଇବା ଟିକେ ଜଟିଳ ହୋଇଯିବ। କାରଣ ଯେଉଁମାନେ Wi-Fi-କେବଳ ଟାବଲେଟ୍ ଉପରେ ନିର୍ଭର କରନ୍ତି କିମ୍ବା ବାରମ୍ବାର ଡିଭାଇସ୍ ବଦଳାଇଥାନ୍ତି,ସେମାନେ ସମସ୍ୟାରେ ପଡ଼ିପାରନ୍ତି। କାରଣ WhatsApp ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଫୋନ୍‌ରେ ସିମ୍‌କୁ ଫିଜିକାଲି ରହିବା ନିହାତି ଆବଶ୍ୟକ ରହିଛି।