କୋଟିଏ ପାଇଁ ନିଜ ଭାଇକୁ ଚୂନ ଲଗାଇବାକୁ ଭଉଣୀର ଉଦ୍ୟମ

ଟଙ୍କା ଲୋଭରେ ନିଜକୁ ଅପହରଣ କରିବାକୁ ବି ପଛାଇ ନାହାନ୍ତି ଜଣେ ମହିଳା। ସ୍ବାମୀ ପରିତ୍ୟକ୍ତା ସ୍ମୃତିରେଖା ପାଣି ବେଙ୍ଗାଲୁରୁରେ ରହୁଥିବା ନିଜ ଟ୍ରେଡର ଭାଇଙ୍କଠାରୁ କୋଟିଏ ଟଙ୍କା ଠକିନେବାକୁ ଅପହରଣ ନାଟକ ରଚିଥିଲେ। ସେ ପ୍ରେମିକଙ୍କ ସହ ରାଜସ୍ଥାନ ପଳାଇଯିବାକୁ ଯୋଜନା କରିଥିଲେ। ହେଲେ ପ୍ରଥମ ପର୍ଯ୍ୟାୟରେ ୧୨ ଲକ୍ଷ ଟଙ୍କା ହାତେଇବା ପରେ ଦୁହେଁ ଫେରାର ହେଉଥିବାବେଳେ ପୋଲିସ ଯାଞ୍ଚରେ ଫସିଯାଇଥିଲେ। କମିଶନରେଟ ପୋଲିସ ନୟାଗଡ଼ରୁ ସେମାନଙ୍କୁ ଧରିବା ସହ ଅପହରଣ ନାଟକ ଉପରୁ ପରଦା ହଟାଇଛି।ପୋଲିସ ଦେଇଥିବା ସୂଚନା ଅନୁସାରେ ସ୍ମୃତିରେଖା ପାଣି ନାମକ ଜଣେ ମହିଳା ଏହି ପୁରା ଅପହରଣ ଘଟଣାର ମାଷ୍ଟରମାଇଣ୍ଡ ଥିଲା । ଇଂଷ୍ଟାଗ୍ରାମରେ ରାଜସ୍ଥାନର ପ୍ରଦୀପ କୁମାର ଓଲା ଓ ଦେବିଲାଲ ଓଲାଙ୍କ ସହ ପ୍ରଥମେ ସାଙ୍ଗ ହୋଇଥିଲା ସ୍ମୃତିରେଖା । ଏହାପରେ ବାଙ୍ଗାଲୋରରେ ଥିବା ତାଙ୍କ ଭାଇଙ୍କ ଠାରୁ ଟଙ୍କା ହଡ଼ପ ପାଇଁ ଯୋଜନା କରିଥିଲେ ।ଭୁବନେଶ୍ୱରର ସ୍ମୃତିରେଖା ପାଣି ଜଣେ ଫ୍ୟାଶନ ଡିଜିଆଇନର। ସେ ୨୦୧୫ରେ ଭରତପୁର ଅଞ୍ଚଳରେ ବିବାହ କରିଥିଲେ। ୨୦୧୮ରେ ସ୍ବାମୀଙ୍କଠାରୁ ଛାଡପତ୍ର ପରେ ସେ ବାପଘର ଗୋଠପାଟଣାସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ତେବେ ସ୍ମୃତିରେଖାଙ୍କ ସାନଭାଇ ଶୁଭାଶିଷ ପାଣି ବେଙ୍ଗାଲୁରୁରେ ରୁହନ୍ତି। ଶୁଭାଶିଷ ବୃତ୍ତିଗତ ଭାବେ ଜଣେ ଟ୍ରେଡର୍‌। ଶେୟାର ମାର୍କେଟରେ ଟ୍ରେଡିଂ କରି ଭଲ ଟଙ୍କା ରୋଜଗାର କରନ୍ତି। ପାଓ୍ବାର ଅଫ୍‌ ଷ୍ଟକ୍ସ ନାମରେ ତାଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ଅଛି। ଇତିମଧ୍ୟରେ ସ୍ମୃତିରେଖା ଇନ୍‌ଷ୍ଟାଗ୍ରାମରେ ରାଜସ୍ଥାନର ପ୍ରଦୀପଙ୍କ ସହ ପରିଚିତ ହୁଅନ୍ତି। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଶୁଭାଶିଷଙ୍କଠାରୁ ବଡ଼ ପରିମାଣର ଟଙ୍କା ଝଡ଼ାଇବା ପାଇଁ ସେମାନେ ଅପହରଣ ନାଟକ ରଚିଥିଲେ।ଗତ ବୁଧବାର ଦିନ ପ୍ରଦୀପ ଓ ଦେବୀଲାଲଙ୍କ ସହ ଏକ ଟୟୋଟା କାରରେ ସେ ଫେରାର ହୋଇଯାଇଥିଲେ । ଫେରାର ହେବା ପରେ ଗୁରୁବାର ଦିନ ଯୁବତୀଙ୍କ ଭାଇଙ୍କୁ ଫୋନ କରି ଭଉଣୀ ଅପହରଣ ହୋଇଥିବା କହିଥିଲେ ପ୍ରଦୀପ । ଭଉଣୀ ବଦଳରେ ଏକ କୋଟି ଟଙ୍କା ଦାବି କରିଥିଲେ ।

ଓଡ଼ିଶା ଛାଡ଼ି ବାହାରକୁ ଚାଲିଯିବା ପାଇଁ ଯୋଜନା କରୁଥିବା ବେଳେ ଫୋନ୍ ଟ୍ରାକ୍ କରି ନୟାଗଡ଼ ନିକଟରେ ସେମାନଙ୍କୁ କାବୁ କରିଛି କମିସନରେଟ୍ ପୋଲିସ । ଅପହରଣ ନାଟକ ରଚି ନିଜ ଜାଲରେ ନିଜେ ଫସି ଗିରଫ ହୋଇଛନ୍ତି ଏହି ତିନିଜଣ । ସେପଟେ ପ୍ରଦୀପ ଓ ଦେବୀଲାଲଙ୍କ ନାଁରେ ପୂର୍ବରୁ ରାଜସ୍ଥାନରେ ଠକେଇ ମାମଲା ଥିବା ଜାଣିବାକୁ ପାଇଛି ପୋଲିସ । ତାଙ୍କ ନିକଟରୁ ବ୍ୟାଙ୍କ ପାସବୁକ,ଲାପଟପ,ଚେକବୁକ ଓ ଅନେକ କ୍ରେଡିଟ,ଡେବିଟ କାର୍ଡ ସହ ଚେକ ବୁକ୍ ଜବତ କରିଛି ପୋଲିସ ।