କୋଭିଡ୍ ପରେ ପ୍ରଦୂଷଣ ସବୁଠୁ ବିପଦ:ବିଶେଷଜ୍ଞ କରାଇଲେ ସତର୍କ
ଭାରତରେ କୋଭିଡ୍-୧୯ ମହାମାରୀ ବୃହତ୍ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଜନସ୍ବାସ୍ଥ୍ୟ ପାଇଁ ସବୁଠୁ ବଡ଼ ବିପଦ ରୂପେ ଉଭା ହୋଇଛି। ଜରୁରୀ ପଦକ୍ଷେପ ନିଆ ନ ଗଲେ ଏହା ପ୍ରତିବର୍ଷ ଆହୁରି ଖରାପ ସ୍ଥିତି ଉପୁଜାଇବ ବୋଲି ବ୍ରିଟେନ୍ରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ଡାକ୍ତର ସତର୍କ କରାଇଛନ୍ତି।ବିଶେଷଜ୍ଞମାନେ କହିଛନ୍ତି ଯେ, ଦେଶରେ ଶ୍ୱାସକ୍ରିୟା ଜନିତ ରୋଗ ଏକ ବଡ଼ ସଙ୍କଟ ଧୀରେ ଧୀରେ ବିକଟାଳ ରୂପ ନେଉଛି। ଯାହାକୁ ଏପର୍ଯ୍ୟନ୍ତ ନା ବ୍ୟାପକ ଭାବରେ ଚିହ୍ନଟ କରାଯାଇଛି, ନା କି ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନିଆ ଯାଉଛି। ବ୍ରିଟେନରେ କାର୍ଯ୍ୟରତ ଅନେକ ବରିଷ୍ଠ ଡାକ୍ତର ପିଟିଆଇକୁ କହିଛନ୍ତି ଯେ, ଶ୍ୱାସକ୍ରିୟା ଜନିତ ରୋଗର ଏହି ଲୁକାୟିତ ସଙ୍କଟ ଧୀରେ ଧୀରେ ଗମ୍ଭୀର ରୂପ ନେଉଛି ଏବଂ ଆଗାମୀ ଲହର ଭାରତର ଜନସାଧାରଣ ଏବଂ ଦେଶର ସ୍ୱାସ୍ଥ୍ୟାବସ୍ଥା ଉପରେ ଗଭୀର ଏବଂ ଦୀର୍ଘକାଳୀନ ପ୍ରଭାବ ପକାଇ ପାରେ।ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଗତ ଦଶନ୍ଧିରେ ବିଶ୍ୱବ୍ୟାପୀ ହୃଦରୋଗ ମାମଲା ବୃଦ୍ଧି କେବଳ ମୋଟାପା କାରଣରୁ ନୁହେଁ, ବରଂ ଏହାର ମୁଖ୍ୟ କାରଣ କାର ଓ ବିମାନ ସହ ସହରାଞ୍ଚଳ ପରିବହନରୁ ବାହାରୁ ଥିବା ବିଷାକ୍ତ ନିର୍ଗମନ। ଭାରତ, ବ୍ରିଟେନ ଏବଂ ଅନ୍ୟାନ୍ୟ ଦେଶର ସହର ଗୁଡ଼ିକରେ ଏହି ସମସ୍ୟା ବିଶେଷ ଭାବରେ ଗମ୍ଭୀର ରୂପ ନେଇଛି।ପାର୍ଲାମେଣ୍ଟର ସଦ୍ୟ ସମାପ୍ତ ଶୀତ ଅଧିବେଶନ ବେଳେ ସରକାର ସୂଚନା ଦେଇଥିଲେ, ପ୍ରଦୂଷଣ ଯୋଗୁ ଶ୍ୱାସଗତ ରୋଗ ବଢ଼ୁଥିବା ନେଇ ସମସ୍ତେ ଅବଗତ। ତେବେ ଉଚ୍ଚ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସ୍ତର ଏବଂ ଫୁସ୍ଫୁସ୍ ରୋଗର ସମ୍ପର୍କ ଥିବା ନେଇ କୌଣସି ନିଷ୍କର୍ଷ ବାହାରିଥିବା ତଥ୍ୟ ନାହିଁ। ଏନେଇ ଲିଭରପୁଲ୍ ପୁଲମୋନୋଜିଷ୍ଟ ତଥା ଭାରତ ସରକାରଙ୍କ କୋଭିଡ୍-୧୯ ପରାମର୍ଶଦାତା କମିଟିର ପୂର୍ବତନ ସଦସ୍ୟ ମନୀଷ ଗୌତମ କହିଛନ୍ତି, ସରକାର ବାୟୁ ପ୍ରଦୂଷଣ ରୋକିବା ଉପରେ ଅଧିକ ଫୋକସ୍ କରିବା ଉଚିତ। ଏହା ଅପ୍ରିୟ ସତ୍ୟ ଯେ, ଉତ୍ତର ଭାରତରେ ବସବାସ କରୁଥିବା ଅନେକ ନିୟୁତ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଲେଣି। ବର୍ତ୍ତମାନ ସରକାର ଯାହାକିଛି ମ୍ୟାନେଜ କରୁଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ। ବାୟୁ ପ୍ରଦୂଷଣଜନିତ ଏକ ବିସ୍ତୃତ ଲୁକ୍କାୟିତ ବୋଝକୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରି ନାହିଁ।
