କୌଣସି ଟୋକେନ୍ ଲାପ୍ସ ହେବନି, ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣିବେ ସରକାର: ଯୋଗାଣ ମନ୍ତ୍ରୀ

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ସରକାର ଧାନ କିଣୁଛନ୍ତି ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।ସେ ଆହୁରି ମଧ୍ୟ କହିଛନ୍ତି ଯେ, ୮୦୦ ଟଙ୍କା ଇନପୁଟ ସବସିଡି କଥା କୁହାଯାଇନଥିଲା। ବର୍ତ୍ତମାନ୍ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କ ଠାରୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି। ୩୧୦୦ ଟଙ୍କା ହିସାବରେ ୧୮ ହଜାର ୫୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଅନ୍ୟପଟେ ଆଜି ବିଧାନସଭା ବାହାରେ ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ । ଲୋୟର ପିଏମଜିରେ ବିଶାଳ ଚାଶୀ ସମାବେଶ କରି ଗର୍ଜନ କରିଛି ବିଜୁ ଜନତା ଦଳ । ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋଙ୍କ ସହିତ ଜଣକ ପରେ ଜଣେ ବିଜେଡି ନେତା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ନବୀନ ପଟ୍ଟନାୟକ ପୂରା ଦୁଇ ବର୍ଷର କଚ୍ଚା ଚିଠା ଖୋଲିଛନ୍ତି । ଖୁବ ଶୀଘ୍ର ଏ ସରକାର ଦୁଇ ବର୍ଷ ପୂରଣ କରିବ। ମାତ୍ର ବର୍ତ୍ତମାନ ସୁଦ୍ଧା ଠିକ୍ ଭାବେ ନିଷ୍ପତ୍ତି ନେଇ ପାରୁନାହାନ୍ତି କି କୌଣସି ଯୋଜନା କାର୍ଯ୍ୟକାରୀ କରିପାରୁନାହାନ୍ତି । ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ। ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କିଛି ମିଳିଲାନି। ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ କରିଥିଲା। ଚାଷୀଙ୍କ ରୋଜଗାର ବଢ଼ାଇବାକୁ କାଳିଆ ଯୋଜନା କରିଥିଲା। ଚାଷୀଙ୍କ ପାଇଁ ଋଣ ସୁବିଧା କରିଥିଲା। ଚାଷ ଜମି ପାଇଁ ଜଳସେଚନ ସୁବିଧା କରିଥିଲା। ହେଲେ ଏ ଡବଲ ଇଞ୍ଜନ ସରକାର ଏଯାଏ କ’ଣ କରିଛି ବୋଲି ଚାଷୀ ସମାବେଶରେ ପ୍ରଶ୍ନ କରିଛନ୍ତି ନବୀନ ପଟ୍ଟନାୟକ । ସେହିପରି ମଣ୍ଡି ଅବ୍ୟବସ୍ଥାକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା । ଚାଷ କାର୍ଯ୍ୟ ପ୍ରାରମ୍ଭରୁ ଚାଷୀଙ୍କୁ ବିହନ କି ସାର ମିଳିଲା ନାହିଁ । ଚାଷୀ କଷ୍ଟେମଷ୍ଟେ ଅମଳ କଲାବେଳକୁ ବର୍ତ୍ତମାନ ସରକାର ଧାନ କିଣୁ ନାହାନ୍ତି । ମଣ୍ଡିରେ କଟନୀ ଛଟନୀ ବଢ଼ି ଚାଲିଛି । ଧାନ ଉଠିଲେ ବି ସଠିକ୍ ସମୟରେ ପଇସା ମିଳୁନାହିଁ । ଏବାବଦରେ ଅଭିଯୋଗ କଲେ ଚାଷୀ ମିଛ କହୁଛି ନହେଲେ ନକଲ ଚାଷୀ କହି ସରକା ଟାଳି ଦେଉଛନ୍ତି ବୋଲି ବିରୋଧୀ ଦଳ ନେତା କହିଛନ୍ତି ।