କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତକୁ ନିସ୍ତୁକ ମାଡ଼
ବିଚ୍ ରାସ୍ତାରେ ହତ୍ୟା ମାମଲାର ଅଭିଯୁକ୍ତକୁ ନିର୍ଧୁମ ମାଡ଼। ପୋଲିସ ହେପାଜତରେ ଥିବା ବେଳେ ଆକ୍ରମଣ। ଯିଏ ଯେମିତି ପାରିଲା ମାରିଲା। ତଳେ ପକାଇ ବିଧା, ଗୋଇଠା ମାରିଲେ। ପୁରୀର ବହୁଚର୍ଚ୍ଚିତ ଜ୍ବାଇଁକୁ ଶ୍ବଶୁର ହତ୍ୟା ମାମଲାରେ ଏଭଳି ଘଟଣା ଘଟିଛି।ଗତ ରବିବାର ଜଣେ ଅଭିଯୁକ୍ତକୁ ପୁରୀ ଗଡ଼ିଶାଗୋଦା ଥାନା ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ନୂଆନଈ ସ୍ପଟ୍ ଉପରକୁ ନେଇଥିଲା । ସିନ୍ ରିକ୍ରିଏସନ୍ ସାରି ଫେରିବା ବେଳେ ପୋଲିସ ଉପସ୍ଥିତିରେ ଅଭିଯୁକ୍ତକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ ମୃତକଙ୍କ ପରିବାର ଲୋକେ । ପୋଲିସ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ଏକାଧିକ ଲୋକ ଥିବାରୁ ଅଭିଯୁକ୍ତକୁ ସୁରକ୍ଷା ଦେବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେବେ ଅଭିଯୁକ୍ତକୁ ସୁରକ୍ଷିତ ଭାବେ ପୋଲିସ ଘଟଣାସ୍ଥଳରୁ ନେବାରେ ସଫଳ ହୋଇଥିଲା ।ଗତ ଫେବୃଆରୀ ୯ ତାରିଖରେ ପୁରୀ ଗଡ଼ିଶାଗୋଦା ଥାନା ଅଞ୍ଚଳରେ ଜ୍ବାଇଁକୁ ଶ୍ବଶୁର ଅପହରଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଝିଅ ଜଣେ ଯୁବକକୁ ପ୍ରେମ ବିବାହ କରିଥିବା ବେଳେ ଏହାକୁ ଝିଅର ବାପା ମୋହନ ବେହେରା ଗ୍ରହଣ କରିପାରି ନଥିଲେ । ସେ ନିଜ ଝିଅକୁ ଅନ୍ୟ ସ୍ଥାନରେ ବିବାହ ଦେବା ପାଇଁ ମନସ୍ଥ କରିଥିଲେ । ଫଳରେ ସେ ଝିଅ ଭଲ ପାଇ ବିବାହ କରିଥିବା ଯୁବକକୁ ଘରୁ ଡାକି ନେଇ କିଛି ସହଯୋଗୀଙ୍କ ସହାୟତାରେ ହତ୍ୟା କରିଥିଲେ ।ଏହି ଆକ୍ରମଣ ଭିଡିଓ ଭାଇରାଲ ହେବା ପରେ ସବୁ ଆଡ଼େ ଚର୍ଚ୍ଚାରର ବିଷୟ ହୋଇଛି । ପୋଲିସ ଉପସ୍ଥିତିରେ ଜଣେ ଅଭିଯୁକ୍ତକୁ ମାଡ଼ ଘଟଣା, ପୋଲିସ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
