କ୍ୟାନସର ଭଲ କରିବ ୧୦୦ ଟଙ୍କିଆ ବଟିକା

୧୦୦ ଟଙ୍କାରେ କ୍ୟାନସର ଚିକିତ୍ସା । ମୁମ୍ୱାଇର ଟାଟା ଇନଷ୍ଟିଚ୍ୟୁଟ୍ ଗବେଷଣାରେ ଦାବି । କେମୋ ଥେରାପି ବଦଳରେ ରାମବାଣ ସାଜିବ ବଟିକା । ମୁମ୍ବାଇର ଟାଟା ମେମୋରିଆଲ ହସ୍ପିଟାଲ, ଭାରତର ସବୁଠୁ ବଡ ଏବଂ ସର୍ବୋତ୍ତମ କର୍କଟ ଡାକ୍ତରଖାନା। ଭାରତରେ ବଢୁଥିବା କର୍କଟ ରୋଗକୁ ଦୃଷ୍ଟିରେ ରଖି ଟାଟା ଇନଷ୍ଟିଚ୍ୟୁଟ ଅଫ ଫଣ୍ଡାମେଣ୍ଟାଲ ରିସର୍ଚ୍ଚର ବୈଜ୍ଞାନିକମାନେ ଏକ ଟାବଲେଟ ପ୍ରସ୍ତୁତ କରିଛନ୍ତି। ଯାହା କର୍କଟ ରୋଗର ଚିକିତ୍ସା ତଥା ଦ୍ୱିତୀୟ ଥର କର୍କଟ ରୋଗକୁ ରୋକିବାରେ ସାହାଯ୍ୟ କରିବ।ଟାଟା ମେମୋରିଆଲ ହସ୍ପିଟାଲର ବରିଷ୍ଠ କର୍କଟ ଚିକିତ୍ସକ ଡାକ୍ତର ରାଜେନ୍ଦ୍ର ବଡଭେ ଏହି ଗବେଷଣାରେ ସାମିଲ ଥିଲେ। ସେ କହିଛନ୍ତି ଯେ, ଗବେଷଣା ପାଇଁ ମନୁଷ୍ୟର କର୍କଟ କୋଷିକାକୁ ମୂଷାଠାରେ ପ୍ରୟୋଗ କରାଯାଇଥିଲା। ପରେ ବିକିରିଣ ଥେରାପି, କେମୋଥେରାପି ଏବଂ ଅସ୍ତ୍ରୋପଚାର ମାଧ୍ୟମରେ ମୂଷାଙ୍କୁ ଚିକିତ୍ସା କରାଯାଇଥିଲା। କର୍କଟ କୋଷିକାଗୁଡିକ ମରିଯିବା ପରେ ଏହା ଛୋଟ ଛୋଟ କଣିକା ‘କ୍ରୋମାଟିନ ପାର୍ଟିକିଲ୍ସ’ରେ ପରିଣତ ହୋଇଥାଏ।

ଏହା ରକ୍ତପ୍ରବାହ ମାଧ୍ୟମରେ ଅନ୍ୟ ଅଙ୍ଗରେ ପହଞ୍ଚି କର୍କଟ ସୃଷ୍ଟି କରିଥାଏ। ଆଉ କିଛି କ୍ରୋମାଟିନ ପାର୍ଟିକିଲ୍ସ ସୁସ୍ଥ ଗୁଣସୂତ୍ର ସହ ମିଶି ପୁଣି କର୍କଟର କାରଣ ପାଲଟି ଥାଏ। ଏହି ସମସ୍ୟାର ସମାଧାନ ଲାଗି ଡାକ୍ତର ମୂଷାକୁ ରେସଭେରାଟ୍ରୋଲ ଏବଂ କପର (ଆର+ସିୟୁ) ସହିତ ପ୍ରି-ଅକ୍ସିଡାଣ୍ଟ ଦିଆଯାଇଥିଲା। (ଆର+ସିୟୁ) ଅକ୍ସିଜେନ ରାଡିକାଲ୍‌ ସୃଷ୍ଟି କରିଥାଏ। ଏହା କ୍ରୋମାଟିନ କଣିକାକୁ ନଷ୍ଟ କରିଦେଇଥାଏ। ଏହି ପ୍ରକ୍ରିୟା କେମୋଥେରାପିର ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିଥାଏ।

ଏହି ବଟିକାକୁ ମଞ୍ଜୁରି ଦେବା ପାଇଁ ଫୁଡ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟିକୁ ଆବେଦନ କରାଯାଇଛି ।
ଏବେ ମାନବ ପରୀକ୍ଷା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ । ଆଗକୁ ଏଥିପାଇଁ ପାଞ୍ଚ ବର୍ଷ ସମୟ ଲାଗିପାରେ । ଏହି ଟ୍ୟାବଲେଟ୍‌ର ବ୍ୟବାହରପାଇଁ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ର ଅନୁମୋଦନକୁ ଅପେକ୍ଷା ରହିଛି । ଜୁନ୍-ଜୁଲାଇ ସୁଦ୍ଧା ବଜାରରେ ଏହା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି ।