ଖାଦ୍ୟ ଲୋଭରେ ବନସୀ କଣ୍ଟା ଗିଳି ଦେଲା ସାପ:ଅପରେସନ କରି ସାପ ବେକରେ ଫସିଥିବା କଣ୍ଟାକୁ ବାହାର କଲେ ଡାକ୍ତର

ଖାଦ୍ୟ ଅନ୍ୱେଷଣରେ ଆସି ବନସୀ କଣ୍ଟା ଗିଳି ଦେଲା ବିଷଧର ତମ୍ପ । ତଣ୍ଟିରେ ଅଟିକିଗଲା 3 ସେଣ୍ଟିମିଟର ଲମ୍ବର ବନସୀ କଣ୍ଟା ।ଏହିଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଉଜୁନି ଗାଁ’ରେ, ସୂଚନାମୁତାବକ ଭିକାରି ଚରଣ ମାଝୀଙ୍କ ଗାଡିଆରେ ମାଛ ଧରିବା ପାଇଁ ଏକ ବନସୀ ଖଡା ପୋତିଥିଲେ । 23 ତାରିଖ ସକାଳେ ସେଇ ବନସୀ କଣ୍ଟାରେ ଏକ 4 ଫୁଟ ଲମ୍ବର ତମ୍ପ ସାପ ଲାଗି ଥିବା ସେ ଦେଖିବାକୁ ପାଇଥିଲେ । ଭୟଭୀତ ହୋଇ ଭିକାରୀ ବାବୁଙ୍କ ଘର ଲୋକ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସଞ୍ଜୟ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ବନସୀ କଣ୍ଟାରେ ଲାଗିଥିବା ପ୍ଲାଷ୍ଟିକ ଡୋରକୁ କାଟି ସାପକୁ ବନସୀ ଖଡା ଠାରୁ ଅଲଗା କରିଥିଲେ । କିନ୍ତୁ ସାପର କେଉଁ ଜାଗାରେ କଣ୍ଟା ଲାଖିଥିଲା ସେ ଜାଣି ପାରି ନଥିଲେ । ସ୍ଥାନୀୟ ଅଞ୍ଚଳରେ ପ୍ରାଣୀ ଚିକିତ୍ସା ପାଇଁ ଏକ୍ସରେର ସୁବିଧା ମଧ୍ୟ ନଥିଲା ।

ସାପର ଅପରେସନ ପାଇଁ ଭୁବନେଶ୍ଵରରେ ଓୟୁଏଟିରେ ବ୍ୟବସ୍ଥା ରହିଛି । ତେଣୁ ସାପର ଅପରେସନ ପାଇଁ ଓୟୁଏଟି ଭେଟେରିନାରୀ କଲେଜକୁ ଆଣିବା ପାଇଁ ବନ ବିଭାଗର ଅନୁମତି ଲୋଡ଼ା । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏଥିପାଇଁ କେନ୍ଦୁଝର ୱାଇଲ୍ଡ ଲାଇଫ ଡିଭିଜନର DFO ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଅନୁରୋଧ କରିଥଲେ । DFO ଚିଠି କରି ଭେଟେରିନାରୀ କଲେଜରେ ଥିବା ସେଣ୍ଟର ଫର ୱାଇଲ୍ଡ ଲାଇଫ ହେଲଥକୁ ସାପକୁ ପଠେଇ ଥିଲେ ।ଓୟୁଏଟି ଭେଟେରିନାରୀ କଲେଜର ସର୍ଜରୀ ଓ ରେଡ଼ିଓଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ଵଦୀପ ଜେନାଙ୍କ ନେତୃତ୍ୱରେ ଏକ 5 ଜଣିଆ ପ୍ରାଣୀ ଚିକିତ୍ସକଙ୍କ ଟିମ ଆଜି ସକାଳେ ସାପର ଚିକିତ୍ସା ଆରମ୍ଭ କରିଥିଲେ । ଦୀର୍ଘ ଦେଢ଼ ଘଣ୍ଟା କାଳ ଅପରେସନ କରି ବହୁ କଷ୍ଟରେ ତମ୍ପ ସାପ ବେକରେ ଫସିଥିବା ବନସୀ କଣ୍ଟାକୁ ବାହାର କରାଯାଇଥିଲା । ସାପକୁ ପ୍ରଥମେ ଆନାସ୍ଥେସିଆ ଦେବା ପରେ ଡାକ୍ତର ଅପରେସନ ଆରମ୍ଭ କରିଥିଲେ । କିନ୍ତୁ X-rayରେ ଯେଉଁ ସ୍ଥାନରେ କଣ୍ଟା ଲାଖିଥିବା ଦେଖା ଯାଉଥିଲା, ସେଇ ସ୍ଥାନରେ କଣ୍ଟା ନଥିଲା । ପୁଣି ଥରେ ସି-ଆର୍ମ ମେସିନ ତଳେ ଏକ୍ସରେ ଚାଲିଥିବା ଅବସ୍ଥାରେ ଅପରେସନ କରି ପ୍ରାୟ 3 ସେଣ୍ଟିମିଟର ଲମ୍ବର ବନସୀ କଣ୍ଟାକୁ ସତର୍କତାର ସହିତ ବାହାର କରିବାରେ ସଫଳ ହୋଇଥିଲେ । କ୍ଷତ ସ୍ଥାନରେ ଷ୍ଟିଚ ପଡ଼ିବା ପରେ ବ୍ୟାଣ୍ଡେଜ ଗୁଡେ଼ଇବା ପରେ ସାପର ଚେତା ଫେରିଲା । ସାପକୁ ଆଣ୍ଟିବାୟୋଟିକ ଏବଂ ପେନ କିଲର ଇଞ୍ଜେକସନ ଦିଆଯାଇଛି । କ୍ଷତ ସମ୍ପୂର୍ଣ ଶୁଖି ଷ୍ଟିଚ ଖୋଲିବା ପର୍ଯ୍ୟନ୍ତ ସାପଟିକୁ ଅବଜରଭେସନରେ ରଖାଯିବ ।