ଗଗନଯାନରେ ମହାକାଶ ଯିବ ରୋବୋଟ୍‌ ‘ବ୍ୟୋମମିତ୍ର’

ଏକ ମାନବ ସଦୃଶ ବା ହ୍ୟୁମାନଏଡ୍‌ ରୋବୋଟ୍‌କୁ ମହାକାଶକୁ ପଠାଯିବ, ଯାହାର ନାମ ‘ବ୍ୟୋମମିତ୍ର’ (Vyom Mitra) ରଖାଯାଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଗଗନଯାନ ମିଶନର ଅଂଶ ଭାବରେ ଏକ ମାନବହୀନ ରକେଟ୍ ଲଞ୍ଚ କରିବାକୁ ଯାଉଛି । ତେବେ ଏଥିରେ ରୋବୋଟ୍‌ର ମୁଣ୍ଡ, 2ଟି ହାତ ଓ ଶରୀରର ଅଧା ଅଂଶକୁ କ୍ୟାପିଟାଲ ସିଟି ଭୁବନେଶ୍ବର ସ୍ଥିତ ସେଣ୍ଟ୍ରାଲ୍ ଟୁଲ୍‌ ଟ୍ରେନିଂ ସେଣ୍ଟର (CTTC)ରେ ନିର୍ମାଣ କରାଯାଇଛି । ପୂର୍ବରୁ ଚନ୍ଦ୍ରଯାନର ଯନ୍ତ୍ରାଂଶଗୁଡ଼ିକୁ ନିର୍ମାଣ କରି ପ୍ରଶଂସା ସାଉଣ୍ଟିଥିବା ଏହି ପ୍ରତିଷ୍ଠାନ ଏବେ ପୁଣିଥରେ ଗଗନଯାନ ମିଶନ ଜରିଆରେ ଭାରତର ମହାକାଶ ଗବେଷଣାରେ ବଡ଼ ଅବଦାନ ରଖିଛି । ଏହାସହିତ ସ୍ପେଶ ଷ୍ଟେସନ କ୍ଲିନ୍‌ ମିଶନରେ ମଧ୍ୟ ସିଟିଟିସି ଯୋଗଦାନ ଦେଇଛି । ଚଳିତ ବର୍ଷ ଡିସେମ୍ବରରେ ପ୍ରଥମ ପରୀକ୍ଷଣ କରାଯିବ । ଏହା ଯଦି ସଫଳ ହୁଏ ତେବେ 2027 ମସିହାରେ ମହାକାଶଚାରୀଙ୍କୁ ପଠାଯିବ ।ରୋବୋଟ୍‌ କାମ 1 ବର୍ଷ ତଳେ ଆରମ୍ଭ ହୋଇଥିଲା । ବିଭିନ୍ନ ଗବେଷଣା ପରେ ଅତି କମ ସମୟ ମଧ୍ୟରେ ସଫଳତାର ସହିତ ଶେଷ ହୋଇଛି । ଏହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଯାଞ୍ଚ କରିବା ସହିତ ରୋବୋଟ୍‌କୁ ତନଖି କରି ଦେଖିଛନ୍ତି । ଏହାକୁ ବନାଇବା ପାଇଁ ପାଖାପାଖି 200 ଜଣ କାମ କରିଛନ୍ତି ।କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବରେ ସିଟିଟିସିକୁ 53 ହଜାର କୋଟି ଟଙ୍କା ଅନୁମୋଦନ ପ୍ରଦାନ କରିଛନ୍ତି । ଯାହାଦ୍ବାରା ସିଟିଟିସି ଆହୁରି ଅଧିକ ବିକାଶ, ଗବେଷଣା କରିବା ସହିତ ନୂଆ ନୂଆ ଟେକ୍ନୋଲୋଜି ପାଇଁ ଏହି ଅର୍ଥକୁ ବିନିଯୋଗ କରିବ । ତେବେ ଆଗାମୀ ଦିନରେ ଏଠାରେ 30 ନୂଆ ଏୟାରକ୍ରାଫ୍ଟର ଯନ୍ତ୍ରାଂଶଗୁଡ଼ିକୁ ମଧ୍ୟ ନିର୍ମାଣ କରାଯିବାର ଯୋଜନା ରହିଛି ।