ଗଣିଆରେ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମ ଜୟନ୍ତୀ ପାଳିତ

ଗଣିଆ -(ବିଶ୍ୱରଂଜନ ସେଠି) ସୋମବାର ଦିନ ଅପରାହ୍ନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜନ୍ମଜୟନ୍ତୀ ଗଣିଆ ଡ଼ାକ ବଙ୍ଗଳାରେ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଜେପି କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇ ଅଟଳ ଜୀଙ୍କ ସ୍ମୃତି ଚାରଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ରାଘବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଗଣିଆ ସରପଞ୍ଚ ଗିରିଧାରୀ ସେଠୀ ଉପସ୍ଥିତ ଥିଲେ। ବରିଷ୍ଠ ବିଜେପି ନେତା ସୁଭ୍ରଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଉପସ୍ଥିତ ଅତିଥି ଓ କାର୍ଯ୍ୟକର୍ତ୍ତାମାନେ ଅଟଳ ଜୀଙ୍କର ଦେଶ ପ୍ରତି ରହିଥିବା ଅବଦାନ, ତାଙ୍କର ଓଜସ୍ୱୀ ଭାଷଣ ଏବଂ ସୁଶାସନର ନୀତିକୁ ମନେ ପକାଇଥିଲେ। ଦେଶକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ବାଜପେୟୀଙ୍କ ଭୂମିକା ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଗଣିଆ ଅଞ୍ଚଳର ବହୁ ବିଜେପି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଲୋକେ ଉପସ୍ଥିତ ରହି ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ସଂକଳ୍ପ ନେଇଥିଲେ। ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ଏହି ଅବସରରେ ଆଲୋଚନା କରାଯାଇଥିଲା।