ଗଣିଆର ବିଭିନ୍ନ ସ୍ଥାନରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜାତ୍ସୋବ ପାଳିତ

ବୁଧବାର ଦେବଶିଳ୍ପୀ ବାବା ବିଶ୍ୱକର୍ମା ଦେବଙ୍କ ପୂଜାଉତ୍ସବ ମହାଆଡମ୍ବର ସହକାରେ ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ପୂଜା ମଣ୍ଡପଗୁଡିକରେ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳା ସାଙ୍ଗକୁ ଆକର୍ଷଣୀୟ ତୋରଣମାନ ଦେଖିବାକୁ ମିଳିଛି । ଗଣିଆ ବ୍ଲକର ଇଶ୍ୱରପୁର, ଗଣିଆ, ୱାଲିପୁର, ଧୂଆଁମଡା, କିଶୋରପ୍ରସାଦ ଆଦି ବିଭିନ୍ନ ସ୍ଥାନରେ ନିର୍ମାଣ ଶ୍ରମିକ ସଂଘ ଓ ଗ୍ରାମବାସୀଙ୍କ ତରଫରୁ ଦେବଶୀଳ୍ପୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସକାଳୁ ପବିତ୍ର ଜଳ ଆଣି ଘଟ କଳସ ସ୍ଥାପନ ପରେ ସୂର୍ଯ୍ୟପୂଜା କରାଯାଇଥିଲା । ପରେ ମଧ୍ୟାହ୍ନରେ ବିଶ୍ୱ ବିନ୍ଧାଣୀ ବାବା ବିଶ୍ୱକର୍ମାଙ୍କର ପୂଜା କରାଯାଇ ପୁଷ୍ପାଞଳି ପ୍ରଦାନ କରାଯାଇଥିଲା । ସେହିପରି ଗଣିଆ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗଣିଆ ବିଦ୍ୟୁତ୍ ସବଷ୍ଟେସନ, ଘରୋଇ ମୋଟର ଆସୋସିଏସନ ଓ ବିଭିନ୍ନ ଗ୍ୟାରେଜ୍‌ଗୁଡିକରେ ମଧ୍ୟ ବିଶ୍ୱକର୍ମା ଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ବିଭିନ୍ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା ।