ଗଣେଶ ପୂଜା ପାଇଁ ଗାଁଠୁ ସହର ସବୁ ଚଳଚଞ୍ଚଳ

ଧରାପୃଷ୍ଠକୁ ପାର୍ବଣ ଆଗମନର ସୂଚନା ନେଇ ବିରାଜମାନ କରିଛନ୍ତି ଅଗ୍ରପୂଜ୍ୟ ଗଜାନନ । ତେଣୁ ଗଣପତି ବାବାଙ୍କୁ ସ୍ୱାଗତ କରିବା ପାଇଁ ପୁରପଲ୍ଲୀ ସବୁଠି ଉତ୍ସାହ । ଶ୍ରୀଗଣେଶ ହେଉଛନ୍ତି ଜ୍ଞାନଦାତା, ଶକ୍ତିଦାତା, ସୁଖଶାନ୍ତି ପ୍ରଦାୟକ, ବିଘ୍ନ ବିନାଶକ, ଗଣଙ୍କର ପତି ଏବଂ ଅଗ୍ରପୂଜ୍ୟ। ଆଉ ଏକ ଅର୍ଥରେ ଗଣ ଶବ୍ଦର ‘ଗ’ ଅର୍ଥ ହେଲା ‘ବୁଦ୍ଧି’ ଓ ‘ଣ’ ଅର୍ଥ ହେଲା ‘ବିଜ୍ଞାନର’ ପ୍ରତୀକ। ତେଣୁ ଶ୍ରୀଗଣେଶ ହେଲେ ବୁଦ୍ଧି ଓ ବିଜ୍ଞାନର ଠାକୁର। ପୂଜା ମଣ୍ଡପ, ସ୍କୁଲ, କଲେଜରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀ ବିଦ୍ୟାଦାତାଙ୍କୁ ପୂଜା କରୁଛନ୍ତି ।

ଏଥିପାଇଁ ସ୍କୁଲ କଲେଜରେ ସାଜସଜା ଜୋରଦାର । ସେହିପରି ବଡ଼ ବଡ଼ ମଣ୍ଡପରେ କର୍ମକର୍ତ୍ତାମାନେ ଗଜରାଜଙ୍କ ପୂଜାରେ ମଗ୍ନ । ସହରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି ସୁଉଚ୍ଚ ତୋରଣ । ତା’ସାଙ୍ଗକୁ ରାତିର ଆକର୍ଷଣ ସାଜିବ ରଙ୍ଗୀନ ଆଲୋକମାଳା । ବିଶାଳକାୟ ଗଣେଶ ମୂର୍ତ୍ତି ସାଙ୍ଗକୁ ସାଂସ୍କୃତିକ ସନ୍ଧ୍ୟା ଓ ମୀନାବଜାର ବୁଲିବେ ଦର୍ଶକ । ପୂଜା ପାଇଁ ସାରା ସହରରେ ସୃଷ୍ଟି ହେବ ଭକ୍ତିମୟ ପରିବେଶ । ବ୍ରାହ୍ମଣଙ୍କ ଯଜ୍ଞ, ମନ୍ତ୍ରଧ୍ୱନିରେ ଗୁଞ୍ଜରିତ ହେବ ସହର । ଚାହିଦା ଅନୁଯାୟୀ ଲଡୁ ଗଣେଷ, ବାଲକ୍ରୀଷ୍ଣ ଗଣେଶ, ବୁଢା ଗଣେଶ ଭଳି ଆକର୍ଷଣୀୟ ମୂର୍ତ୍ତି ଗଢିଛନ୍ତି କାରିଗର । ଗହଳିକୁ ଆଖି ଆଗରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ପାଇଁ ପ୍ରସ୍ତାବ ଗ୍ରହଣ ହୋଇଛି । ଟ୍ୱିନ୍ ସିଟିରେ ଏଥର ଭଷାଣୀ ଉତ୍ସବରେ ଡିଜେ ବ୍ୟାନ୍ କରାଯାଇଛି।