ଗୈାତମ ବୁଦ୍ଧଦେବ । ତାଙ୍କ ବିଷୟରେ କିଛି।

ଶାକ୍ଯ ନରପତି ଶୁଦ୍ଧୋଦନ ଓ ମହାମାୟାଙ୍କ ଠାରୁ ଜନ୍ମିତ ଓ ମହା ପ୍ରଜାପତି ଗୌତମୀଙ୍କ ଆଦର ଯତ୍ନରେ ଲାଳନପାଳିତ ହୋଇଥିବା ସିଦ୍ଧାର୍ଥ,ପରବର୍ତ୍ତୀ ସମୟରେ ପରିଚିତ ହୋଇଥିଲେ ଗୌତମ ବୁଦ୍ଧ ଭାବେ।ଅତି ପ୍ରାଚୀନ କାଳରେ କପିଳ ମୁନି ବାସ କରୁଥିବା ହିମାଳୟର ପାଦଦେଶରେ ଅବସ୍ଥିତ ଏକ ଜଙ୍ଗଲରେ ‘ପଟଳ’ ନାମକ ଭାରତୀୟ ରାଜ୍ୟର ରାଜା ‘କପିଳବାସ୍ତୁ’ ନାମକ ନଗର ନିର୍ମାଣ କରିଥିଲେ।ପାଟଳ ରାଜପୁତ୍ର ମାନଙ୍କର ସାମର୍ଥ୍ୟ ଦେଖି କପିଳ ମୁନି ସେମାନଙ୍କୁ ଶାକ୍ଯ ବୋଲି ଆଖ୍ୟା ଦେଇଥିଲେ। ସେହି ଶକ୍ତିଶାଳୀ ବା ଶାକ୍ଯ ରାଜକୁମାର ମାନେ ଶାକ୍ଯବଂଶ ପ୍ରତିଷ୍ଠା କରିଥିଲେ। ଶୁଦ୍ଧୋଦନ,ଶୁକ୍ଳୋଦନ,ଶାକ୍ଯୋଦନ,ଧୋତୋଦନ ଓ ଅମିତୋଦନ ଏହିପରି ପାଞ୍ଚ ଭାଇ ଥିଲେ।ଶାକ୍ଯବଂଶର ରାଜା ଶୁଦ୍ଧୋଦନ, ରୋହିଣୀ ନଦୀର ଅପର ପାର୍ଶ୍ୱରେ ଅବସ୍ଥିତ ପ୍ରତିବେଶୀ କୋଳିଆ ବଂଶ ସହିତ ସୁସମ୍ପର୍କ ସ୍ଥାପନ କରିବା ପାଇଁ, ସେହି ଦେଶର ଦୁଇ ରାଜକୁମାରୀ ମହାମାୟା ଓ ମହା ପ୍ରଜାପତି ଗୌତମୀଙ୍କ ପାଣି ଗ୍ରହଣ କରିଥିଲେ।

ଅନେକ ବର୍ଷ ଯାଏଁ ଏହି ଦୁଇ ରାଣୀଙ୍କର ସନ୍ତାନ ସନ୍ତତି ନହେବାରୁ ରାଜା, ରାଣୀ ଓ ପ୍ରଜାବୃନ୍ଦ ଅତ୍ୟନ୍ତ ଚିନ୍ତାରେ ଥିଲେ। କିମ୍ବଦନ୍ତୀ ଅନୁସାରେ ନିଶୀଥରେ ସ୍ଵପ୍ନ ଦେଖିଲେ ମହାମାୟା। ଗୋଟିଏ ଭାସ୍ଵର ନକ୍ଷତ୍ର, ଶୂନ୍ୟରେ ତାଙ୍କ ଆଡ଼କୁ କ୍ରମେ କ୍ରମେ ଦ୍ରୁତ ଗତିରେ ଆସି ଗୋଟିଏ ବରଫ ଭଳି ଶୁଭ୍ର ଦନ୍ତାବଳରେ ପରିଣତ ହେଲା ଏବଂ ତାଙ୍କ ଗର୍ଭ ମଧ୍ୟକୁ ପ୍ରବେଶ କଲା। କିମ୍ବଦନ୍ତୀ ଅନୁଯାୟୀ ଆସନ୍ନ ପ୍ରସବା ମହାମାୟା ତାଙ୍କ ପିତ୍ରାଳୟ କୋଳିଆ ରାଜ୍ୟର ରାଜଧାନୀ ‘ଦେବଦାହ’କୁ ଯିବା ବାଟରେ ଗୋଟିଏ ମନୋରମ ଶାଳତରୁ ପୂର୍ଣ୍ଣ ବନର ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ, ସେଠାରେ କିଛି ସମୟ ଅତିବାହିତ କରିବାକୁ ଚିନ୍ତା କରି ତାହା ମଧ୍ୟକୁ ପ୍ରବେଶ କଲେ। ସେଠାରେ ପ୍ରସବ ବେଦନା ଆରମ୍ଭ ହେବାରୁ, ଗୋଟିଏ ଶାଳତରୁ ଶାଖାର ଆଶ୍ରୟ ନେଇ ପୁଅ ଟିଏ ଜନ୍ମ ଦେଲେ।ଗୌତମ ବୁଦ୍ଧଙ୍କ ଜନ୍ମ ବିଷୟରେ ବିଭିନ୍ନ ମତ ରହିଛି। କେତେକଙ୍କ ମତରେ ସେ ଖ୍ରୀଷ୍ଟପୂର୍ବ ୬୨୩ ରେ ଜନ୍ମ ଗ୍ରହଣ କରିଥିଲେ ବୋଲି କହୁଥିଲା ବେଳେ ଆଉ କେତେକ ତାଙ୍କ ଜନ୍ମ ଖ୍ରୀଷ୍ଟପୂର୍ବ ୫୬୮ ରେ ବୋଲି କହନ୍ତି। ଗୌତମ ବୁଦ୍ଧଙ୍କ ଜନ୍ମ ଠାରୁ ବୁଦ୍ଧତ୍ଵ ପ୍ରାପ୍ତି ପର୍ଯ୍ୟନ୍ତ ତାଙ୍କୁ ବୋଧିସତ୍ତ୍ଵ ରୂପେ ଅଭିହିତ କରାଯାଏ। ବୋଧିସତ୍ୱଙ୍କ ଜନ୍ମର ସାତଦିନ ପରେ ତାଙ୍କ ମାତା ମାୟାଦେବୀ ଇହଧାମ ତ୍ୟାଗ କରିଥିଲେ। ଶିଶୁଟି ପ୍ରଜାପତି ଗୌତମୀଙ୍କ ସନ୍ତାନ ତୁଲ୍ୟ ଆଦର ଯତ୍ନରେ ବଢ଼ିବାରେ ଲାଗିଲା। ତାଙ୍କର ନାମ ଦିଆଗଲା ‘ସିଦ୍ଧାର୍ଥ’। ଜଣେ ଋଷି, ସେହି ଶିଶୁଙ୍କର ୩୨ ଟି ଚିହ୍ନ ଦେଖି, ତାଙ୍କୁ ସାଷ୍ଟାଂଗ ପ୍ରଣାମ କରିଥିଲେ ବୋଲି କେତେକ ପୁସ୍ତକରେ ଉଲ୍ଲେଖ ଅଛି।

ସେହି ଋଷି ମଧ୍ୟ କହିଥିଲେ ଯେ ଏହି ଶିଶୁ, ଜଗତର ଲୋକ ମାନଙ୍କୁ ଉଦ୍ଧାର କରିବେ।ସିଦ୍ଧାର୍ଥଙ୍କର କେବଳ ସ୍ମରଣ ଶକ୍ତି ଓ ତୀକ୍ଷ୍ଣ ବୁଦ୍ଧି ନଥିଲା, ତାଙ୍କର ରଣ ନୈପୁଣ୍ୟ,ଶର ବିଦ୍ୟା,ଅଶ୍ଵଚାଳନାରେ ସମକକ୍ଷ ଶାକ୍ଯ ଦେଶରେ କେହି ନଥିଲେ।ସିଦ୍ଧାର୍ଥଙ୍କ ଜୀବନରେ ଧର୍ମଭାବ ଅଧିକ ପରିମାଣରେ ଦେଖା ଦେବାରୁ, ଶୁଦ୍ଧୋଦନ ତାଙ୍କୁ ଅପାର୍ଥିବ ଭାବରୁ ହଟାଇବା ପାଇଁ ଓ ଭୋଗବିଳାସରେ ରଖାଇବା ପାଇଁ ଚେଷ୍ଟା କଲେ। କିନ୍ତୁ ତାଙ୍କର ସବୁ ଯାକ ଚେଷ୍ଟା ବିଫଳ ହେଲା। ଗୋଟିଏ ଶରବିଦ୍ଧ ହଂସ ପାଇଁ ଦେବଦତ୍ତ ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଯୁକ୍ତିତର୍କ ଓ ସିଦ୍ଧାର୍ଥଙ୍କ ବିଜୟ ସମସ୍ତଙ୍କୁ ଜଣା।ଶୁଦ୍ଧୋଦନ ପୁତ୍ରର ମନ ପରିବର୍ତ୍ତନ ପାଇଁ ଯଶୋଧାରାଙ୍କ ସହିତ ବିବାହ କରାଇଥିଲେ। ଦେବଦତ୍ତଙ୍କୁ ପରାସ୍ତ କରି ସେ ଯଶୋଧାରାଙ୍କୁ ମୂଲ୍ୟବାନ ହାର ଦେଇ ପାଣି ଗ୍ରହଣ କରିଥିଲେ। ତାଙ୍କର ପୁତ୍ର ସନ୍ତାନ ଜନ୍ମ ହେଲା। ଦିନେ ରାତ୍ରି ଶେଷ ନ ହେଉଣୁ ପୁତ୍ର ଓ ପତ୍ନୀଙ୍କୁ ନିଦ୍ରାଭିଭୂତ ଅବସ୍ଥାରେ ଛାଡ଼ି ଛନ୍ଦକ ସହିତ ଅଶ୍ଵରେ ଅନୋମା ନଦୀ ପାର ହୋଇ ଛନ୍ଦକଙ୍କ ଠାରୁ ବିଦାୟ ନେଇ ପୂର୍ବାଭିମୁଖୀ ହୋଇ ପଦବ୍ରଜରେ ଯାତ୍ରା ଆରମ୍ଭ କଲେ।ଜଣେ ଗୁରୁଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା ନିମନ୍ତେ ସେ ଏକ ସପ୍ତାହରେ ଅନୁପୀୟ ଆମ୍ର କାନନରେ ପହଞ୍ଚି ସେଠାରୁ ମଗଧ ରାଜଧାନୀ ରାଜଗୃହକୁ ଗଲେ।ଆଲାରାକାଲାମା ଓ ଉଦ୍ଦାଳକଙ୍କ ପରି ଗୁରୁଙ୍କ ଦ୍ଵାରା ତାଙ୍କର ଜ୍ଞାନ ଉଦୟ ହେଲା ନାହିଁ। ତେଣୁ ସେ ହତୋତ୍ସାହିତ ହୋଇ ଉରୁବେଳ ନାମକ ଅରଣ୍ୟରେ ପ୍ରବେଶ କରି ଗୋଟିଏ ସ୍ଥାନରେ ୬ବର୍ଷ କାଳ ତପସ୍ୟା କଲେ। କଠୋର ତପସ୍ୟା ଫଳରେ ସେ ଅସ୍ଥି ଚର୍ମ ସାର କଙ୍କାଳ ହୋଇଗଲେ।ସେଦିନ ଥିଲା ବୈଶାଖ ପୂର୍ଣ୍ଣିମା। ସୁଜାତା ନାମ୍ନୀ ଜଣେ ରାଜକୁମାରୀ ବନଦେବତାଙ୍କ ଉଦ୍ଦେଶ୍ୟରେ ଗୋଟିଏ କ୍ଷୀର ପୂର୍ଣ୍ଣ ପାତ୍ର ଧରି ସେହି ବୃକ୍ଷ ଆଗରେ ଛିଡା ହୋଇଥିଲେ।ସେ ଦେଖିଲେ ବୃକ୍ଷ ମୂଳରେ ଜଣେ ଧ୍ୟାନରେ ବସିଛନ୍ତି। ସେ ମନେ ମନେ ଭାବିଲେ, ଏହି ହେଉଛନ୍ତି ବନଦେବତା। ସୁଜାତା, ସିଦ୍ଧାର୍ଥଙ୍କ ହାତକୁ କ୍ଷୀର ପାତ୍ରଟି ବଢାଇ ଦେଇ ପ୍ରଣାମ କରି ଆନନ୍ଦ ମନରେ ଘରକୁ ଫେରିଲେ।ସିଦ୍ଧାର୍ଥ ସେହି କ୍ଷୀର ପାତ୍ର ଧରି ପାଖରେ ପ୍ରବାହିତ ନୀରଞ୍ଜନା ନଦୀ ନିକଟକୁ ଗଲେ। ସେଠାରେ ସ୍ନାନ କରି ସେହି କ୍ଷୀର କିଛି ପାନ କଲେ। ତାପରେ କିଛି ସମୟ ବିଶ୍ରାମ କରି ଗୋଟିଏ ବଟବୃକ୍ଷ ମୂଳରେ ଯାଇ ବସିଲେ। ଏହି ପ୍ରଥମ ଦିନରେ ହିଁ ସେ ସତ୍ୟର ସନ୍ଧାନ ପାଇଲେ। ସେହି ସ୍ଥାନଟି ବୁଦ୍ଧଗୟା ନାମରେ ପରିଚିତ ହେଲା ଓ ସେ ପରମ ଜ୍ଞାନ ଲାଭ କରି ବୁଦ୍ଧତ୍ଵ ପ୍ରାପ୍ତି ହେଲେ।ସେ କହୁଥିଲେ,ପୁରୁଷରୂପୀ ଆତ୍ମା ମନୋମୟ, ଦୀପ୍ତିବନ୍ତ ଓ ସତ୍ୟ ସ୍ବରୂପ ଅଟେ।ଆତ୍ମା ଓ ଜଗତ୍ ଶାଶ୍ଵତ ଅଟେ।ଭଗବାନ ବୁଦ୍ଧ ବାରଣାସୀସ୍ଥ ଋଷିପତ୍ତନରେ ରହୁଥିଲେ। ସେଠାରେ ପଞ୍ଚବର୍ଗୀୟ ଭିକ୍ଷୁ ମାନଙ୍କୁ ସମ୍ବୋଧନ କରି କହିଥିଲେ ଯେ ଜଡ ଶରୀର ହେଉଛି ଅନାତ୍ମା।ଶରୀର ଅନାତ୍ମା ହୋଇ ଥିବାରୁ ସେ ଉପଦ୍ରବକାରୀ।ସଂଘ ସ୍ଥାପନ କରି ସେ ଅମୃତ ବାଣୀ ପ୍ରଚାର କଲେ।ସାରିପୁତ୍ତ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ଆନନ୍ଦ ଦୀକ୍ଷା ଗ୍ରହଣ କରିବା ଦିନ ଠାରୁ ବୁଦ୍ଧଦେବଙ୍କ ମହାପ୍ରୟାଣ ପର୍ଯ୍ୟନ୍ତ ତାଙ୍କର ସେବା କରୁଥିଲେ।ଯଜ୍ଞାନୁଷ୍ଠାନର ପ୍ରକୃତ ଅର୍ଥ ନବୁଝି ପଶୁବଳି ଦେବା ଉଚିତ ନୁହେଁ। ତେଣୁ ସେ ପଶୁବଳିର ବିରୋଧ କରି ପଶୁବଳି ନ ଦେବାକୁ କହୁଥିଲେ। ସମସ୍ତ କୁସଂସ୍କାର ପରିତ୍ୟାଗ କରି ନିଷ୍କାମ ପବିତ୍ର ଜୀବନ ଯାପନ କରି ନିର୍ବାଣ ପଥରେ ଅଗ୍ରସର ହେବା ପାଇଁ ସେ କହୁଥିଲେ।

ଆଠଟି ପନ୍ଥା ଅବଲମ୍ବନ କରିବାକୁ କହୁଥିଲେ। ସେହି ଆଠଟି ପନ୍ଥା ବା ଗୁଣ ହେଉଛି ସତ୍ ଭାବନା,ସତ୍ ସଙ୍କଳ୍ପ,ସତ୍ ବଚନ,ସତ୍ କର୍ମ,ସତ୍ ଜୀବନ ଧାରଣ, ସତ୍ ପ୍ରଯତ୍ନ, ସତ୍ ସ୍ମରଣ ଓ ସତ୍ ଧ୍ୟାନ।ଆନନ୍ଦ,ଉପାଲି,ଅନରୁଦ୍ଧ ଓ ଦେବଦତ୍ତ ନାମକ ଚାରିଜଣ ଶିଷ୍ୟଙ୍କୁ ସଂଘରେ ସ୍ଥାନ ଦେଇ ସେ ଧର୍ମପ୍ରଚାର କରିଥିଲେ।ଅତୁଳନୀୟ ଚରିତ୍ର ବୁଦ୍ଧ ଙ୍କର। ତାଙ୍କର ଆଦର୍ଶ ଜୀବନ ଓ ନୀତି ପାଳନ କଲେ ଅନେକ ସମସ୍ୟାର ସମାଧାନ ହୋଇ ଶାନ୍ତି ପ୍ରତିଷ୍ଠା ହୋଇ ପାରିବ।ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ରାଜା ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ।ବାବାଜୀ ଚରଣ ଦାସ,ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।