ଗୋଟିଏ ଜାଗାରେ ୩ ବର୍ଷ ଧରି କାମ କରୁଥିବା ରାଜସ୍ବ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦ୍ଦେଶ
ରାଜସ୍ବ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜସ୍ବ ବିଭାଗରେ ଗାଦି ମାଡ଼ି ବସିଥିବା ଅଧିକାରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।ଜିଲ୍ଲାପାଳ, ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ରାଜସ୍ବ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେକ୍ସନ ଅଫିସର, ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କ ସହ ଆର୍ଆଇ, ସହକାରୀ ଆର୍ଆଇ, ଅମିନଙ୍କର ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲପାଳଙ୍କୁ ଚିଠି କରାଯାଇଛି । ଏପରିକି ନିର୍ଦ୍ଦିଷ୍ଟ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ଥିବା କର୍ମଚାରୀଙ୍କୁ ସ୍ଥାନାନ୍ତର ପାଇଁ ସବୁ ଜିଲାପାଳଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି। ୧୫ ଦିନ ମଧ୍ୟରେ ଏହାର ସବିଶେଷ ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷେ ଠିକ୍ ଭାବେ ବଦଳି ନିୟମ ପାଳନ ହେଉନଥିବାରୁ ରାଜସ୍ବ ବିଭାଗର ପକ୍ଷରୁ ଉଦ୍ବେଗ ପ୍ରକାଶ କରିଛି। ୩ ବର୍ଷ ପରେ ବଦଳି ପାଇଁ ନିୟମ ଥିଲେ ବି ପାଳନ ହେଉନାହିଁ। ଅନେକ କର୍ମଚାରୀ ସମାନ କାର୍ଯ୍ୟାଳୟ ଓ ସମାନ ପୋଷ୍ଟରେ କାମ କରୁଛନ୍ତି। ଯାହା ଦୁର୍ନୀତି ଓ ସରକାରୀ କାର୍ଯ୍ୟରେ ଅବହେଳା ବୃଦ୍ଧିର ମୁଖ୍ୟ କାରଣ ହୋଇଛି।
