ଗ୍ରିନ୍‌ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ ,ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନୁ-ଟ୍ରମ୍ପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ବାର୍ଷିକ ବୈଠକରେ କଠୋର ସ୍ବରରେ ଭାଷଣ ଦେଇଛନ୍ତି । ସେ କହିଛନ୍ତି, ଗ୍ରିନ୍‌ଲାଣ୍ଡ ଅଧିଗ୍ରହଣ ପାଇଁ ତୁରନ୍ତ ଆଲୋଚନା ଆବଶ୍ୟକ । କିନ୍ତୁ କହିଥିଲେ ଯେ ଆମେରିକା ପାଖରେ ଶକ୍ତି ଥିଲେ ମଧ୍ୟ ଡେନମାର୍କଠାରୁ ଆର୍କଟିକ ଦ୍ୱୀପକୁ ଛଡ଼ାଇ ନେବା ପାଇଁ ଏହାର ବ୍ୟବହାର କରିବ ନାହିଁ । ଆମେ ବଳ ପ୍ରୟୋଗ କରିବାକୁ ଚାହୁଁନୁ ।ଆମେରିକା ଗ୍ରୀନଲାଣ୍ଡ ଅକ୍ତିଆର କଲେ ୟୁରୋପ ମଧ୍ୟ ସୁରକ୍ଷିତ ରହିବ । ଏହାକୁ ନାଟୋ ବିରୋଧ କରୁଛି । ହେଲେ ନାଟୋ ପ୍ରତି ଆମେରିକା ବିପଦ ନୁହେଁ । ନାଟୋକୁ ଆମେରିକା ଅନେକ ସହାୟତା କରିଛି । ଏବେ ନାଟୋ ଆମେରିକାର ଗ୍ରୀନଲାଣ୍ଡ ଦାବିକୁ ବିରୋଧ କରି ଭୁଲ କରୁଛି । ଆମେରିକା କେବଳ ଖଣ୍ଡେ ବରଫ ଚାହୁଁଛି । ସେଠାରେ ଆମେ ବିକାଶ କରିବୁ । ଋଷ କିମ୍ବା ଚୀନ ଆକ୍ରମଣରୁ ଆମେରିକା ଗ୍ରୀନଲାଣ୍ଡକୁ ସୁରକ୍ଷା ଦେଇପାରିବ ବୋଲି କହିଛନ୍ତି ଟ୍ରମ୍ପ ।ଟ୍ରମ୍ପ ଗ୍ରିନ୍‌ଲାଣ୍ଡ ଠାରୁ ଆରମ୍ଭ କରି ଶୁଳ୍କ ଓ ଅର୍ଥନୀତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୟୁରୋପକୁ ସମାଲୋଚନା କରି କହିଥିଲେ ଯେ ଏହା ଠିକ୍ ଦିଗରେ ଗତି କରୁନାହିଁ । ତେବେ ଗ୍ରିନ୍‌ଲାଣ୍ଡକୁ ନେଇ ରାତାରାତି ଟ୍ରମ୍ପଙ୍କ ଆଭିମୁଖ୍ୟ କିପରି ବଦଳିଗଲା ଓ ସେ ବଳ ପ୍ରୟୋଗ କରିବା ନେଇ ପଛକୁ ହଟିଲେ ତାହାକୁ ନେଇ ପ୍ରଶ୍ନବାଚୀ ଉଠିବାରେ ଲାଗିଛି। ଟ୍ରମ୍ପଙ୍କ ମନ୍ତବ୍ୟରୁ ବାଘର ଫାଗକୁ ଭୟ ସଙ୍କେତ ମିଳୁଥିବା କୁହାଯାଉଛି ।