ଚର୍ଚ୍ଚାରେ ଓଡ଼ିଶାର ଆଉଜଣେ ସାରଥୀ: ଯୌନ ନିର୍ଯାତନା ଅଭିଯୋଗ ପରେ ଫେରାର

ଦିଲ୍ଲୀର ଡାର୍ଟି ଆଶ୍ରମ । ପାଠ ପଢାଇବା ଆଳରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବାବା । ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଆଶ୍ରମର ମୁଖ୍ୟ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ଜଣେ କି ଦୁଇ ଜଣ ନୁହେଁ ୧୭ ଜଣ ଛାତ୍ରୀ ଆଣିଛନ୍ତି ଏହି ଅଭିଯୋଗ । ଶ୍ରୀ ଶୃଙ୍ଗେରୀ ମଠ ପରିସରରେ ଥିବା ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ । ଆଉ ଏଠାରେ ପଢୁଥିବା ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥୀ ।ଓଡ଼ିଶାରେ ଜନ୍ମିତ ୫୨ ବର୍ଷୀୟ ଏହି ଆଧ୍ୟାତ୍ମିକ ନେତା ଛାତ୍ରୀମାନଙ୍କୁ “ବେବୀ”, “ଆଇ ଲଭ ୟୁ” ଭଳି ମେସେଜ୍‌ ପଠାଇଥିବା ଓ ଅନୁଚିତ ଆଚରଣ କରିଥିବା ଅଭିଯୋଗ ହୋଇଛି। ୩୦୦ ପୃଷ୍ଠାରୁ ଅଧିକ ପ୍ରମାଣ ଓ ଛାତ୍ରୀମାନଙ୍କ ବୟାନ ଆଧାରରେ ଅନ୍ୟ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଛି। ସରସ୍ୱତୀ ବର୍ତମାନ ଫେରାର ଅଛନ୍ତି। ଦିଲ୍ଲୀ ପୁଲିସ ତାଙ୍କୁ ଖୋଜିବା ପାଇଁ ବିଭିନ୍ନ ରାଜ୍ୟରେ ଚଢ଼ାଉ କରୁଛି ଓ ଲୁକଆଉଟ ସର୍କୁଲାର ଜାରି କରିଛି।