ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ

କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚୁକ ଭାବେ ପରିଚିତ । ମାସସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି । କିନ୍ତୁ ଚଳିତ ବର୍ଷ ତିଥି କ୍ଷୟ ଯୋଗୁଁ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପାଳନ କରାଯିବ । ଚଳିତ ବର୍ଷ ନଭେମ୍ବର ୨ ରୁ ୫ ତାରିଖ ପର୍ଯ୍ୟନ୍ତ ପଞ୍ଚୁକ ପାଳନ କରାଯିବ।ନଭେମ୍ବର ୨ ତାରିଖ ହରି ଉତ୍ଥାପନ ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ ସହ ହରି ଉଥାପନ୍ ନୀତି ଅନୁଷ୍ଠିତ ହେବ ।୩ ତାରିଖରେ ଡାଳିକିଆ ବେଶ ବା ତ୍ରିବିକ୍ରମ ବେଶ,୪ ତାରିଖରେ ଲକ୍ଷ୍ମୀ ନୃସିଂହ ବେଶ ଏବଂ ୫ ତାରିଖରେ ରାଜାଧିରାଜ ବା ସୁନା ବେଶ ଅନୁଷ୍ଠିତ ହେବ। ତିଥି କ୍ଷୟ ଯୋଗୁଁ ଏ ବର୍ଷ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ୍ ଦେଖିବାରୁ ବଞ୍ଚିତ ହେବେ ଭକ୍ତ ।