ଚାକିରୀ ଛାଡି ଏହି ମହିଳା ଖାଉଛନ୍ତି ମୃତ ଜୀବଜନ୍ତୁଙ୍କ ମାଂସ

ରାସ୍ତାରେ ଯାତାୟତବେଳେ ପଶୁପକ୍ଷୀଙ୍କର ଦୁର୍ଘଟଣା ହୋଇ ସେମାନଙ୍କର ମୃତ୍ୟୁ ହେଲେ ତାଙ୍କ ଶରୀର କେବେ କେବେ ରାସ୍ତାରେ ପଚିସଢି ନଷ୍ଟ ହୋଇଯାଏ ତ କେବେ ଚିଲ କାଉଙ୍କର ଆହାର ପାଲଟିଯାଏ। କିନ୍ତୁ କେବେ ଶୁଣିଛନ୍ତି ଜୀବଜନ୍ତୁଙ୍କ ମୃତ ଶରୀରକୁ ଜଣେ ମହିଳା କଞ୍ଚା ରୂପେ ଆହାର କରନ୍ତି। ହଁ ଏହା ସତ୍ୟ, ଜଣେ ମହିଳା ଏପରି ଅଛନ୍ତି ଯିଏକି ରାସ୍ତାରେ ପଡିଥିବା ମୃତ ପଶୁମାନଙ୍କୁ ଖାଇଥାନ୍ତି । ଏବେ ଏହି ମହିଳା ଜଣକ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ଏହି ମହିଳାଙ୍କ ନାଁ ହେଉଛି ମାଣ୍ଡର୍ସ ବର୍ଣ୍ଣେଟ୍ । ବୟସ ୩୨ ବର୍ଷ । ମାଣ୍ଡର୍ସ ଆମେରିକାର ଓରେଗନ୍ର ବାସିନ୍ଦା । ସେ ୨୪ ଘଣ୍ଟା ବାହାରେ ରୁହନ୍ତି । ମାଣ୍ଡର୍ସ ରାସ୍ତାରେ ପଡିଥିବା ମୃତ ପଶୁମାନଙ୍କୁ ଖାଇଥାନ୍ତି । କାରଣ ସେ ଚାହିଁନଥାନ୍ତି ଯେ କୌଣସି ମୃତପଶୁଙ୍କ ମୃତ୍ୟୁ ବୃଥା ନଯାଉ । ଏଥିପାଇଁ ସେ ଏବେ ଖୁବ୍‌ ଚର୍ଚ୍ଚାରେ ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମ୍ୟାଣ୍ଡେର୍ସ ଗତ ଚାରି ବର୍ଷ ଧରି ଯାଯାବର ଜୀବନ ଯାପନ କରୁଛନ୍ତି। ଆଜିଯାଏଁ ସେ ଏକ ତମ୍ବୁରେ ରହି ଆସୁଛନ୍ତି। ମଣିଷ ସମାଜ ଠାରୁ ଦୂରେଇ ରହି ପ୍ରକୃତି ସହିତ ଜଡିତ ରହିବାକୁ ଇଚ୍ଛା ରଖିଛନ୍ତି ବୋଲି ସେ କହିଛନ୍ତି।ଯେବେ ଯାଯାବର ଜୀବନଯାପନ ଆରମ୍ଭ କରିଥିଲେ ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ଆଉ ଏହି ବ୍ୟକ୍ତି ଜଣକ ଦୀର୍ଘ ୬ବର୍ଷ ଧରି ଘୋଡାରେ ଯାତ୍ରା କରିଥିଲେ । ମାଣ୍ଡର୍ସ ବ୍ୟକ୍ତିଙ୍କ ଜୀବନଶୈଳୀରେ ଏତେ ପ୍ରଭାବିତ ହୋଇଥିଲେ ଯେ ସେ ବନ୍ୟଜନ୍ତୁ ଟେକ୍ନିସିଆନ ଭାବରେ ଥିବା ଚାକିରି ଛାଡି ଦେଇଥିଲେ ଏବଂ ସେହି ବ୍ୟକ୍ତିଙ୍କ ସାହଯ୍ୟ କରିବାକୁ ଲାଗିଥିଲେ । ସେମାନେ ଏକାଠି ଅଢେଇ ବର୍ଷ ବିତାଇଥିଲେ। ପରେ ଦୁହେଁ ଅଲଗା ହୋଇଯିବା ପରେ ମ୍ୟାଣ୍ଡେର୍ସ ଏକାକୀ ରହୁଛନ୍ତି। ମାଣ୍ଡର୍ସ କହିଛନ୍ତି ଯେ ରୋଷେଇ ପାଇଁ ସେ କାଠ ଚୁଲିର ବ୍ୟବହାର କରିଥାନ୍ତି|