ଚାହୁଁଛ ଯଦି ମୋତେ ଫାଶୀ ଦେଇଦିଅ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାସ୍ଥିତ ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ବା ପ୍ରଶିକ୍ଷକ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଖବର ଅନୁଯାୟୀ, ସଞ୍ଜୟ ରଏ ୨୦୧୯ରେ ସ୍ବେଚ୍ଛାସେବୀ ଭାବରେ କୋଲକାତା ପୁଲିସର ବିପର୍ଯ୍ୟୟ ପରିଚାଳନା ଟିମରେ ଯୋଗ ଦେଇଥିଲେ। କିନ୍ତୁ ପରେ ପୁଲିସ କଲ୍ୟାଣ ସେଲକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ସେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୁଲିସ ଆଉଟପୋଷ୍ଟରେ ନିୟୋଜିତ ହୋଇଥିଲେ। ସେଠାରେ ସେ ରୋଗୀଙ୍କୁ ଶଯ୍ୟା ଯୋଗାଇବାରେ ସାହାଯ୍ୟ କରୁଥିଲେ । ହେଲେ ପୁଲିସ ନହୋଇ ବି ‌ସେ ନିଜ ଗାଡ଼ି ଓ ୟୁନିଫର୍ମରେ କୋଲକାତା ପୁଲିସ ଲେଖିଥିଲେ । କୁହାଯାଉଛି ଯେ, ଗିରଫ ପରେ ପ‌ରେ ସଞ୍ଜୟ ଏହି ଅପରାଧ କରିଥିବା ମାନିଥିଲେ ଏବଂ ଚାହୁଁଛ ଯଦି ମୋତେ ଫାଶୀ ଦେଇଦିଅ ବୋଲି କହିଥିଲେ ।

ଏହା ସହ ସଞ୍ଜୟର ଫୋନରେ ଏକାଧିକ ଅଶ୍ଲୀଳ ଫିଲ୍ମ ଥିଲା ବୋଲି ସାମ୍ନାକୁ ଆସିଛି।ପୋଲିସ ପଚରାଉଚରା ଆରମ୍ଭ କରିବା ମାତ୍ରେ ଅଭିଯୁକ୍ତ ସଞ୍ଜୟ ତାଙ୍କ ଅପରାଧ ସ୍ବୀକାର କରିଛନ୍ତି। ଏହି ଜଘନ୍ୟ ଅପରାଧ ପାଇଁ ତାଙ୍କର କୌଣସି ଡର ଭୟ କିମ୍ବା ଲାଜ ମଧ୍ୟ ନ ଥିଲା କି ଅନୁତାପ ମଧ୍ୟ ନ ଥିଲା। ହତ୍ୟା ଓ ବଳାତ୍କାର କରିବା ପରେ ଅଭିଯୁକ୍ତ ତାଙ୍କ ଘରକୁ ଯାଇ ଶୋଇଥିଲେ। ଯେତେବେଳେ ସେ ଉଠିଲେ ପ୍ରମାଣ ହଟାଇବା ପାଇଁ ସେ ନିଜ ପୋଷାକ ମଧ୍ୟ ଧୋଇଥିଲେ। ପୋଲିସ ତାଙ୍କ ଜୋତାରେ ରକ୍ତ ଦାଗ ଲାଗିଥିବାର ଜବତ କରିଛି। ବର୍ତ୍ତମାନ ଅଭିଯୁକ୍ତ ୨୩ ଅଗଷ୍ଟ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ।