ଚିନ୍ତା ବଢ଼ାଇଲା ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା

ଆଉ ଦିନ କେଇଟା ପରେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ଆରମ୍ଭ ହେବ। ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି। ନେଗେଟିଭ୍‌ ଆଇଓଡି ଓ ଲା-ନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ। ପୂର୍ବରୁ ଲା-ନିନା ପ୍ରଭାବରେ ଅକ୍ଟୋବର ମାସରେ ଅନେକ ବାତ୍ୟା ହୋଇଥିବା ନଜିର ରହିଛି । ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ । ପ୍ରଶାନ୍ତ ମହାସାଗରରେ ଜଳବାୟୁ ପ୍ରକ୍ରିୟା ଲା-ନିନା ପରିସ୍ଥିତି ସଂଗଠିତ ହେଲେ ତାହା ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ତୀବ୍ରତାକୁ ବୃଦ୍ଧି କରିବାରେ ଅନେକାଂଶରେ ସାହାଯ୍ୟ କରିଥାଏ। ଉଚ୍ଚ ସାମୁଦ୍ରିକ ପୃଷ୍ଠ ତାପମାତ୍ରାର ଉପସ୍ଥିତି ଯୋଗୁଁ ପଶ୍ଚିମ ପ୍ରଶାନ୍ତ ମହାସାଗର ତଥା ଚୀନ ସାଗର ଅଂଚଳରେ ସୃଷ୍ଟି ବାତ୍ୟା ଗୁଡିକର ଅବଶିଷ୍ଟ ଅଂଶ ବଙ୍ଗୋପସାଗରରେ ପ୍ରବେଶ କରେ। ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ସକ୍ରିୟ କରାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ ।ପୂର୍ବରୁ ଲା-ନିନା ପ୍ରଭାବ ଯୋଗୁଁ ଓଡ଼ିଶା ୧୯୯୯ରେ ସୁପର ସାଇକ୍ଲୋନ ସମ୍ମୁଖୀନ ହୋଇଥିଲା। ସେହିପରି ୨୦୦୯ ଅଇଲା, ୨୦୧୮ର ତିତିଲି, ୨୦୨୧ରେ ଗୁଲାବ ଏବଂ ଜୱାଦ, ୨୦୨୨ର ଅସାନି ଭଳି ବାତ୍ୟା ଲା-ନିନା ସକ୍ରିୟ ରହିଥିବା ବର୍ଷରେ ସୃଷ୍ଟି ହୋଇଛି। ସେହିପରି ପ୍ରାକ୍‌ ମୌସୁମୀ ଋତୁରେ ଆସିଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୨୦୧୯ ରେ ଆସିଥିବା ଫନି, ୨୦୨୦ରେ ଅମ୍ପନ, ୨୦୨୧ର ୟସ ଭଳି ବାତ୍ୟା ମଧ୍ୟ ଲା-ନିନା ବର୍ଷରେ ସୃଷ୍ଟି ହୋଇଛି ଓ ଏହାଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପଟେ ଗତ ୬୦ ବର୍ଷ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ସଂଖ୍ୟା ବଢ଼ି ଚାଲୁଥିବା ନେଇ ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି। ଏହି ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତିକାଳୀନ ଓ ପରବର୍ତ୍ତିକାଳୀନ ସମୟରେ ସୃଷ୍ଟି ହେଉଛି। ସେହିପରି ଭୀଷଣ ବାତ୍ୟା କିମ୍ୱା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ସଂଖ୍ୟା ମୌସୁମୀ ପରବର୍ତ୍ତୀକାଳନୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଇଛି। ଏ ଦୃଷ୍ଟିରୁ ଆଗାମୀ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଏକ ସମ୍ବେଦନଶୀଳ ସମୟ ସୃଷ୍ଟି ପାଇଁ ଯାଉଥିବା ଆଶଙ୍କା ରହିଛି।