ଚୌଦ୍ୱାର ମହାବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର: ଓଡ଼ିଆ ପକ୍ଷ ପାଳନରେ ମାନବତାର ଅନନ୍ୟ ଦୃଷ୍ଟାନ୍ତ ।।

ଚୌଦ୍ୱାର ଓଡ଼ିଆ ପକ୍ଷ ପାଳନର ଅବସରରେ ଚୌଦ୍ୱାର ମହାବିଦ୍ୟାଳୟରେ ଆଜି ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇ ମାନବତାର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ସୃଷ୍ଟି କରାଯାଇଛି। କଲେଜର ବିଜ୍ଞାନ ବିଭାଗ ଶିକ୍ଷାୟତନ କୋଠରୀ (Science Academic Block – IDP Building) ରେ ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇଥିବା ଏହି ଶିବିରରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ବିଭିନ୍ନ ସେବାମୂଳକ ସଂଗଠନମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ଦେଖାଯାଇଥିଲା।

ଉକ୍ତ ମେଗା ରକ୍ତଦାନ ଶିବିରରେ ଏଡିଏମଓ ଡ଼ଃ ସତ୍ୟବ୍ରତ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ, କଟକ ଏନସିସି ବାଟାଲିୟନର ମୁଖ୍ୟ କମାଣ୍ଡାଣ୍ଟ ଦେବବ୍ରତ ମୈତ୍ରୀ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଉଦଘାଟନ କରି ଡ଼ଃ ମହାପାତ୍ର ଛାତ୍ରଛାତ୍ରୀମାନଙ୍କୁ ରକ୍ତଦାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ମାନବସେବାରେ ଆଗୁଆ ହେବାକୁ ଆହ୍ୱାନ ଜଣାଇଥିଲେ।
ଓଡ଼ିଆ ପକ୍ଷ ପାଳନର ଉପଦେଷ୍ଟା ଡ଼ଃ ପ୍ରଫୁଲ୍ଲ କୁମାର ସାହୁ, ବରିଷ୍ଠ ପ୍ରାଧ୍ୟାପକ ପ୍ରଭାକର ମିଶ୍ର ଓ ପ୍ରାଧ୍ୟାପିକା ଡ଼ଃ ହରପ୍ରିୟା ମହାପାତ୍ର, ଅଧ୍ୟାପକ ସୁମନ୍ତ ସାହୁ,ଲକ୍ଷ୍ମଣ କରଣ, ସମ୍ବିତ୍ ସାମଲ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସହଯୋଗ କରିଥିଲେ।
ଜାତୀୟ ସେବା ସଂସ୍ଥା (NSS) +3 ଓ +2, ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡକ୍ରସ, ସ୍କାଉଟ୍‌ସ ଓ ଗାଇଡ୍‌ସ ରୋଭର୍ସ ଏବଂ ରେଞ୍ଜର୍ସଙ୍କ ସ୍ୱେଚ୍ଛାସେବୀ ସଦସ୍ୟମାନଙ୍କର ମିଳିତ ପ୍ରୟାସରେ ଶିବିରଟି ସୁଚାରୁ ଭାବେ ପରିଚାଳିତ ହୋଇଥିଲା।
ଏସସିବି ମେଡିକାଲ କଲେଜ, କଟକରୁ ଆସିଥିବା ଡାକ୍ତରୀ ଦଳ ଓ ପ୍ରଶିକ୍ଷିତ ଟେକନିକାଲ୍ ଷ୍ଟାଫଙ୍କ ନିରୀକ୍ଷଣରେ ରକ୍ତ ସଂଗ୍ରହ କାର୍ଯ୍ୟ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ସେହିପରି ରେଡକ୍ରସ ସଂଗଠନର ରକ୍ତ ସଂଗ୍ରହକାରୀମାନେ ମଧ୍ୟ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଶିବିରରେ ମୋଟ ୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି।।
ଏହି ଅବସରରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନେ ସ୍ୱଇଚ୍ଛାରେ ରକ୍ତଦାନ କରି ସମାଜସେବା ପ୍ରତି ନିଜମାନଙ୍କର ସଚେତନତା ଓ ଦାୟିତ୍ୱବୋଧର ପରିଚୟ ଦେଇଥିଲେ।
ଶିବିରଟିକୁ ସଫଳ କରିବାରେ ଅଧ୍ୟାପକ ସ୍ୱାଭିମାନ ସାମନ୍ତରାୟ (NSS Programme Officer), ଶୁଭଲକ୍ଷ୍ମୀ ଭୁଯଁା (Lecturer in English ଓ +2 NSS Officer), କ୍ୟାପ୍ଟେନ୍ ରତିକାନ୍ତ ସ୍ୱାଇଁ (ANO, NCC) ଓ ଡ଼ଃ ମମତା ସାହୁ (YRC Counsellor)ଙ୍କ ଭୂମିକା ବିଶେଷ ଉଲ୍ଲେଖନୀୟ ଥିଲା।

ଅଧ୍ୟକ୍ଷା ଶ୍ରୀମତୀ ରଶ୍ମୀ ରାଉତରାୟ ଏହି ପବିତ୍ର ଅବସରରେ ସମସ୍ତ ଅଂଶଗ୍ରାହୀଙ୍କୁ ଅଭିନନ୍ଦନ ଜଣାଇ ରକ୍ତଦାନକୁ “ଜୀବନଦାନ” ସହ ସମତୁଳ୍ୟ ବୋଲି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଏପରି ସେବାମୂଳକ କାର୍ଯ୍ୟ ଯୁବପିଢିକୁ ମାନବତା ଓ ସମାଜସେବାର ପଥରେ ଆଗୁଆ କରେ।
ରକ୍ତଦାନ ଶିବିର ଓଡ଼ିଆ ପକ୍ଷ ପାଳନକୁ ଅଧିକ ଅର୍ଥପୂର୍ଣ୍ଣ କରିଥିବା ସହିତ ସମାଜରେ ସେବାଭାବ ଓ ସହଯୋଗର ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିଛି ବୋଲି ଉପସ୍ଥିତ ଅଧ୍ୟାପକ ମାନେ ନିଜ ନିଜର ମତ ରଖିଥିଲେ।।
କଟକ- ଚୌଦ୍ବାର ରୁ ବ୍ୟୁରୋ ଚିଫ୍ ସାମ୍ବାଦିକ ଅକ୍ଷୟ ଫଗୁଣ ଙ୍କ ରିପୋର୍ଟ ଙ୍କ HRTV ଓଡିଆ ।।